ଦିଲ୍ଲୀରୁ ଯାଉଥିବା ଇଣ୍ଡିଗୋର ବିମାନ ପାକିସ୍ତାନରେ କଲା ଲାଣ୍ଡିଂ, ଆଉ ତାପରେ…

ନୂଆଦିଲ୍ଲୀ : ଇଣ୍ଡିଗୋର ଦିଲ୍ଲୀ-ଜେଡ୍ଡା ବିମାନ (6E 63) ଶୁକ୍ରବାର ବିଳମ୍ବିତ ରାତିରେ କରାଚି ଅଭିମୁଖେ ଯାତ୍ରା କରୁଥିଲା । କୁହାଯାଉଛି ଯେ, ଜରୁରୀକାଳୀନ ପରିସ୍ଥିତି କାରଣ ପାଇଁ ବିମାନଟି ପାକିସ୍ତାନରେ ଅବତରଣ କରିଥିଲା। ବିମାନଟି ଡିସେମ୍ବର 13 ରାତି 9.15 ରେ ଦିଲ୍ଲୀରୁ ବାହାରି 11 ଟା ସମୟରେ କରାଚିରେ ଅବତରଣ କରିଥିଲା । ଫ୍ଲାଇଟ୍ ଟ୍ରାକିଂ ସାଇଟ୍ ଦର୍ଶାଉଛି ଯେ, ତିନି ଘଣ୍ଟା ପରେ, ଶନିବାର ଦିନ ପ୍ରାୟ 1.55 ସମୟରେ, ଏୟାରବସ୍ A321 କରାଚିରୁ ଓହ୍ଲାଇ 3.54 ରେ ଦିଲ୍ଲୀ ଫେରିଥିଲା।

ପାକ୍ ମିଡିଆ ସୂତ୍ରରୁ ପ୍ରକାଶ ଯେ, 55 ବର୍ଷ ବୟସ୍କ ପୁରୁଷ ଯାତ୍ରୀ ପାକିସ୍ତାନର ଆକାଶ ମାର୍ଗରେ ଗୁରୁତର ଅସୁସ୍ଥ ହୋଇପଡିଥିଲେ। ବ୍ୟକ୍ତିଙ୍କ ଅବସ୍ଥା ଦେଖି ଇଣ୍ଡିଗୋ ବିମାନର କର୍ମଚାରୀମାନେ ଯାତ୍ରୀଙ୍କୁ ଅମ୍ଳଜାନ ଯୋଗାଇଥିଲେ ମଧ୍ୟ ତାଙ୍କ ଅବସ୍ଥା ସୁଧୁରି ନଥିଲା । ପରେ ଦେହ ଅଧିକ ଖରାପ ହୋଇଯାଇଥିଲା। ମାନବିକତା ଭିତ୍ତିରେ ଏହି ନିଷ୍ପତ୍ତି ନେଇ ପାଇଲଟ କରାଚି ଏୟାର ଟ୍ରାଫିକ ନିୟନ୍ତ୍ରଣ ସହ ଯୋଗାଯୋଗ କରି ଜରୁରୀକାଳୀନ ଅବତରଣ ପାଇଁ ଅନୁମତି ମାଗିଥିଲେ। କରାଚି ଏୟାର ଟ୍ରାଫିକ ନିୟନ୍ତ୍ରଣରୁ ଅନୁମୋଦନ ପାଇବା ପରେ ବିମାନଟି କରାଚି ଆଡକୁ ମୁହାଁଇଲା।

ପାକିସ୍ତାନ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣର ଏକ ଡାକ୍ତରୀ ଟିମ୍ ତୁରନ୍ତ ବିମାନରେ ଚଢି ଅସୁସ୍ଥ ଯାତ୍ରୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେଇଥିଲେ । ଫଳରେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିଲା। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସେଠାରୁ ଯାତ୍ରୀଙ୍କୁ ଔଷଧ ମଧ୍ୟ ଦିଆଯାଇଛି। ଜିଓ ନ୍ୟୁଜ୍ ବିମାନବନ୍ଦର ସୂତ୍ରରୁ ପ୍ରକାଶ ଯେ, ପରିସ୍ଥିତି ସ୍ଥିର ହେବା ପରେ ବିମାନଟି କରାଚିରୁ ଜେଡ୍ଡା ଯିବା ପରିବର୍ତ୍ତେ ଦିଲ୍ଲୀ ଫେରିଥିଲା।

ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ଜରୁରୀକାଳୀନ ପରିସ୍ଥିତିରେ ଆନ୍ତର୍ଜାତୀୟ ସହଯୋଗର ଏହା ପ୍ରଥମ ଉଦାହରଣ ନୁହେଁ, ଏପରି ଅନେକ ଭାରତୀୟ ବିମାନ ପୂର୍ବରୁ କରାଚିରେ ଅବତରଣ କରିଛନ୍ତି ।