fbpx

ମା’ ସର୍ବଂସହା: ୨୬ ବର୍ଷର ଛୁଆକୁ ପିଠିରେ ବସାଇ କଲା ବିଶ୍ୱ ଭ୍ରମଣ

ନୂଆଦିଲ୍ଲୀ: ଦୁନିଆରେ ମା’କୁ ସବୁଠାରୁ ବଡ଼ ଯୋଦ୍ଧା ବୋଲି କୁହାଯାଏ। ଜଣେ ମା’ ନିଜ ପିଲା ପାଇଁ ସବୁ ସମସ୍ୟାକୁ ସାମ୍ନା କରିବାକୁ ପ୍ରସ୍ତୁତ ଥାଏ। ପିଲାଙ୍କ ପାଇଁ ସେ କିଛି ବି କରିପାରେ। ଏବେ ଅଷ୍ଟ୍ରେଲିଆରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠି ଜଣେ ମା’ ନିଜ ପିଲା ପାଇଁ ଯାହା କରିଛି, ତାହା ଅତ୍ୟନ୍ତ ପ୍ରେରଣାଦାୟୀ ରହିଛି। ଅଷ୍ଟ୍ରେଲିଆରେ ରହୁଥିବା ଜଣେ ମହିଳା ନିଜର ୨୬ ବର୍ଷର ପୁଅକୁ ପିଠିରେ ଲଦି ସାରା ବିଶ୍ୱ ଭ୍ରମଣ କରାଉଛନ୍ତି। ତେବେ ଏହା ପଛର କାରଣ ବି ଅତ୍ୟନ୍ତ ଭାବପ୍ରବଣ ରହିଛି। ବାସ୍ତବରେ ମହିଳାଙ୍କ ପୁଅ ପିଲାଟି ଦିନରୁ ଚକ୍ଷୁହୀନ, ଯେଉଁଥିପାଇଁ ମହିଳା ଜଣକ ତାକୁ ନିଜ ପିଠିରେ ଲଦି ଦୁନିଆ ବୁଲାଉଛନ୍ତି।

ଅଷ୍ଟ୍ରେଲିଆର ପର୍ଥରେ ରହୁଛନ୍ତି ୨୬ ବର୍ଷୀୟ ଜିମି ଅନ୍ତରମ୍‌। ସେ ପିଲାଦିନରୁ ଚକ୍ଷୁହୀନ ଥିବା ସହ ଅନ୍ୟାନ୍ୟ ଶାରୀରିକ ସମସ୍ୟାରେ ମଧ୍ୟ ପୀଡିତ ଅଛନ୍ତି। ଜିମି ଏବେ ନିଜ ମା’ ନିକ୍କି ଅନ୍ତରମଙ୍କ ପିଠିରେ ବସି ଦୁନିଆ ଭ୍ରମଣ କରୁଛନ୍ତି। ବାସ୍ତବରେ, ୧୭ ବର୍ଷ ବୟସରୁ ହିଁ ମା’ ହୋଇ ଯାଇଥିବା ନିକ୍କି ଯେତେବେଳେ ଜାଣିବାକୁ ପାଇଲେ କି, ତାଙ୍କ ପୁଅ ଦେଖି ପାରିବ ନାହିଁ, ତ ସେ ନିଜକୁ ପ୍ରତିଜ୍ଞା କରିଥିଲେ ଯେ ସେ ନିଜ ପୁଅକୁ ପୂରା ବିଶ୍ୱ ଦେଖାଇବେ। ନିକ୍କିଙ୍କୁ ବର୍ତ୍ତମାନ ୪୩ ବର୍ଷ ବୟସ। ମା’, ପୁଅ ଏ ପର୍ଯ୍ୟନ୍ତ ହାୱାଇ, ବାଲି ଓ ଅଷ୍ଟ୍ରେଲିଆର ଅନେକ ସ୍ଥାନ ବୁଲି ସାରିଛନ୍ତି ଏବଂ କାନାଡା ଯିବାକୁ ଯୋଜନା କରୁଛନ୍ତି।

ନିକ୍କିଙ୍କ କହିବା ହେଲା ଯେ ବର୍ତ୍ତମାନ ତାଙ୍କ ବୟସ ବଢ଼ି ବଢ଼ି ଚାଲିଛି ଏବଂ ଜିମିଙ୍କୁ ପିଠିରେ ବସାଇବା ଦ୍ୱାରା ବହୁତ ଅଧିକ ଥକା ଅନୁଭବ ହେଉଛି। ସେ କହିଥିଲେ, ଜିମିର ଅନ୍ଧତ୍ୱ ବିଷୟରେ ସେତେବେଳେ ତାଙ୍କୁ ଜଣା ପଡ଼ିଥିଲା, ଯେତେବେଳେ ଜିମି ମାତ୍ର ୨ ମାସର ଥିଲା। ଜିମିର ଜେଜେମାଆ ଦେଖିଲେ ଯେ ସେ ଖେଳଣା ପାଖରେ ପହଞ୍ଚି ପାରୁ ନାହିଁ। ଏହାର ଛଅ ମାସ ପରେ ସେମାନେ ଜାଣିବାକୁ ପାଇଲେ କି, ଜିମିକୁ ଅପସ୍ମାର ମଧ୍ୟ ଅଛି। କିନ୍ତୁ ବର୍ଷ ବର୍ଷ ଧରି ଚିକିତ୍ସିତ ହେବା ପରେ ଅପସ୍ମାର ଔଷଧକୁ ବନ୍ଦ କରି ଦିଆଯାଇଥିଲା।

ନିକ୍କିଙ୍କ କହିବା ହେଲା, ଜିମି ଜନ୍ମରୁ ଚକ୍ଷୁହୀନ ଏବଂ ତାଙ୍କର କିଛି ଶାରୀରିକ ସମସ୍ୟା ମଧ୍ୟ ରହିଛି, ଯେଉଁ କାରଣରୁ ତାଙ୍କୁ ୨୪ ଘଣ୍ଟା ଦେଖାଶୁଣାର ଆବଶ୍ୟକ ପଡ଼ିଥାଏ। ହ୍ୱିଲ୍ ଚେୟାର ଥିବା ସତ୍ତ୍ୱେ ନିକ୍କି ତାଙ୍କୁ ପିଠି ଉପରେ ବସାଇ ନେଇ ଯାଆନ୍ତି। ସେ କହିଥିଲେ ଯେ ଯେତେବେଳେ ସେ ବଡ଼ ଛୁଟିର ପ୍ଲାନ କରନ୍ତି, ତ ଏହି କଥା ଉପରେ ଧ୍ୟାନ ରଖନ୍ତି କି, ତାଙ୍କ ପାଖରେ ଜିମିଙ୍କ ପାଇଁ ବହୁତ କପଡ଼ା, ବେଡ୍‌ ପାଇଁ ଚାଦର ଏବଂ ତକିଆ ଅଛି କି ନାହିଁ। ନିକ୍କି ସମସ୍ତ ଛୁଟି ପାଇଁ ଯୋଜନା ପ୍ରସ୍ତୁତ କରନ୍ତି ଏବଂ ସେହି ଅନୁଯାୟୀ ଜିମିଙ୍କୁ ଟୁର୍‌ରେ ନେଇ ଯାଆନ୍ତି। ନିକ୍କି କୁହନ୍ତି, ‘ଜିମି ମୋର ପ୍ରେରଣା। ମୁଁ ତାକୁ ଦେଖେ, ସେ ସବୁବେଳେ ଖୁସି ରହିଥାଏ, ହସୁଥାଏ’।

Get real time updates directly on you device, subscribe now.