ଓଡ଼ିଆଙ୍କ ପାଇଁ ପଖାଳ କେବଳ ଖାଦ୍ୟ ନୁହେଁ, ଆବେଗ, ଜାଣନ୍ତୁ ବିଶ୍ୱ ପଖାଳ ଦିବସର ଇତିହାସ
ଆଜି ବିଶ୍ୱ ପଖାଳ ଦିବସ, ଚାରିଆଡେ ମହକୁଛି ଛୁଙ୍କର ବାସ୍ନା
ଓଡ଼ିଶା ଭାସ୍କର: ଆଜି ବିଶ୍ୱ ପଖାଳ ଦିବସ । ସହରଠୁପଲ୍ଲୀ ଯାଏଁ ପଖାଳର ବାସ୍ନା । ଓଡ଼ିଆଙ୍କର ଏହି ପ୍ରିୟ ଖାଦ୍ୟ ବର୍ତ୍ତମାନ ସାରା ବିଶ୍ୱରେ ପ୍ରସିଦ୍ଧ । ତେବେ ପ୍ରତିବର୍ଷ ଏହି ବିଶ୍ୱ ପଖାଳ ଦିବସ ମାର୍ଚ୍ଚ ୨୦ ତାରିଖରେ ପାଳନ କରାଯାଇଥାଏ ।
କିନ୍ତୁ ଏହି ପଖାଳ ଦିବସ କାହିଁକି ପାଳନ କରାଯାଏ ଏବଂ ଏହାର ଇତିହାସ ବିଷୟରେ ଆସନ୍ତୁ ଜାଣିବା ।
ପଖାଳ ଭାତ କାହାକୁ କୁହାଯାଏ: ରନ୍ଧା ଯାଇଥିବା ଭାତରେ ପାଣି ପୂରାଇବାକୁ ପଖାଳ ଭାତ କୁହାଯାଏ । ଏହା ୨ ପ୍ରକାରର ସଜ ପଖାଳ ଏବଂ ବାସି ପଖାଳ । ଆଜିକାଲିର ଯୁଗରେ ସମସ୍ତେ ସଜ ପଖାଳ ଖାଉଥିବା ବେଳେ ପୂର୍ବରୁ ଲୋକେ ବାସି ପଖାଳ ଖାଇଥାଆନ୍ତି । ଏହାର ସ୍ୱାଦ ସବୁଠୁ ଭିନ୍ନ ।
ଗରିବର ପଖାଳ: ଓଡ଼ିଶା ପୂର୍ବରୁ ଗରିବ ରାଜ୍ୟ ଥିଲା । ଲୋକେ ଏଠାରେ ଖାଦ୍ୟ ଖାଇବାକୁ ପାଉନଥିଲେ । ଏହି ସମୟରେ ପଖାଳ ଖାଇ ଜୀବନ ଅତିବାହିତ କରୁଥିଲେ ।
ଥରେ ରୋଷେଇ କଲେ ସେଇ ଭାତକୁ ରଖି ଖାଉଥିଲେ । ପ୍ରକୃତରେ କହିବାକୁ ଗଲେ ଗରିବଙ୍କ ଖାଦ୍ୟ ହେଉଛି ପଖାଳ । କୃଷକମାନେ ପଖାଳ ଖାଇ ଚାଷ-ହଳ ଏବଂ ଖରା-ବର୍ଷାରେ ବିଲରେ କାମ କରିଥାଆନ୍ତି ।
କିନ୍ତୁ ସମୟର ପରିବର୍ତ୍ତନ ସହ ଏହା ଗରିବଠାରୁ ଆରମ୍ଭ କରି ଧନୀଲୋକଙ୍କର ପ୍ରିୟ ହୋଇଯାଇଛି । ପଖାଳ ଆମ ମହାପ୍ରଭୁ ଜଗନ୍ନାଥଙ୍କର ପ୍ରିୟ । ଏହାର ପ୍ରମାଣ ଟଙ୍କ ତୋରାଣି । କିନ୍ତୁ ବର୍ତ୍ତମାନ ପଖାଳ ସାଙ୍ଗକୁ ୧୨ ପ୍ରକାରରୁ ୫୦ ପ୍ରକାରର ଆଇଟମ୍ କରି ପରସା ଯାଉଛି ।
ପଖାଳ ଶବ୍ଦଟି ‘ପାଲି’ ଭାଷାର ‘ପଖାଳିବା’ ଶବ୍ଦରୁ ଆଦୃତ । ଏହାର ଅର୍ଥ ଧୋଇବା । ପଖାଳର ଅର୍ଥ ହେଉଛି ଭାତକୁ ଧୋଇ ସୁସଞ୍ଜିତ କରିବା । ବୈଜ୍ଞାନିକ ପ୍ରମାଣ ଏହାକୁ ସ୍ପଷ୍ଟ କରିଛି ଯେ, ଭାତରେ ପାଣି ପକାଇ ରଖିଲେ ଏହା ଅଧିକ ସମୟ ଧରି ତିଷ୍ଟି ରହେ ଏବଂ ଏହାର ମାଧୁର୍ଯ୍ୟ ବଢିଥାଏ । ଏଥିରେ ଅମ୍ଳିୟ ଗୁଣ ବୃଦ୍ଧି ପାଏ ।
ଇତିହାସ: ପଖାଳକୁ ସ୍ବତନ୍ତ୍ର ପରିଚୟ ଦେବା ପାଇଁ ପଖାଳ ଦିବସର ପ୍ରତିଷ୍ଠାତା ଅମରେଶ ଦାସ ୨୦୦୯ ରୁ ଧୀରେ ଧୀରେ କିଛି ବନ୍ଧୁମାନଙ୍କ ସହ ଏହି ବିପ୍ଳବ ଆରମ୍ଭ କରିଥିଲେ । ୨୦୧୧ ମାର୍ଚ୍ଚ ୨୦ ତାରିଖରେ ଏହି ବିପ୍ଳବକୁ ସଫଳତା ମିଳିଥିଲା । ପଖାଳ ସହ ସେଲ୍ଫି ସୋସିଆଲ ମିଡିଆରେ ବେଶ ପପୁଲାର ହୋଇଥିଲା ।
ସେମାନଙ୍କର ପୋଷ୍ଟ କୁ ଦେଖି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକା ଶିଳ୍ପ ମଧ୍ୟରେ ଏହାର ପ୍ରଚାର ପ୍ରସାର କରିଥିଲେ । ଧୀରେ ଧୀରେ ଏହି ବିପ୍ଳବ ପୁରା ବିଶ୍ୱକୁ ଛୁଇଁଥିଲା । ଯାହା ଫଳରେ ଆଉ ଆମେ ସମସ୍ତେ ଏବେ ମାର୍ଚ୍ଚ ୨୦ କୁ ପଖାଳ ଦିବସ ରୂପେ ପାଳନ କରୁଛେ । ୨୦୧୧ ମସିହାରେ ପ୍ରଥମ ଥର ପାଇଁ ପଖାଳ ଦିବସ ପାଳନ କରାଯାଇଥିଲା। ଯାହା ଡିଜିଟାଲ ଦୁନିଆରେ ୨୦୧୫ ମସିହାରେ ପଖାଳ ଦିବସ ନେଇ ପ୍ରଥମେ ଟ୍ୱିଟର ଟ୍ରେଣ୍ଡ ଆରମ୍ଭ ହୋଇଥିଲା ।
ସେହିପରି ଆସାମ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, କେରଳ ଓ ତାମିଲନାଡ଼ୁ ସମେତ ପଡ଼ୋଶୀ ବାଂଲାଦେଶରେ ମଧ୍ୟ ଲୋକେ ପଖାଳ ଖାଇ ଥାଆନ୍ତି ।
ଓଡିଶାରେ ଯଦିଓ ଛୁଙ୍କ ଦହି ପଖାଳ ଭାବେ ସମସ୍ତେ ଜାଣନ୍ତି, ହେଲେ ଆସାମରେ ଏହାକୁ ‘ପୋଇତା ଭାତ’, ପଶ୍ଚିମ ବଙ୍ଗରେ ‘ପାନ୍ତ ଭାତ’, ଝାଡ଼ଖଣ୍ଡ ଓ ବିହାରରେ ‘ମାରା ଭାତ’, ଛତିଶଗଡ଼ରେ ‘ବୋରେ ଭାତ’, ମାଲାୟାଲାମରେ ‘ବଲ୍ଲୁ ଚୋରୁ’ ଓ ତାମିଲନାଡ଼ୁରେ ‘ବକାଲ ବାତ’ ବୋଲି କୁହାଯାଏ ।
ଓଡ଼ିଶା ଓ ଏହାର ପଡ଼ୋଶୀ ରାଜ୍ୟମାନଙ୍କୁ ଛାଡ଼ି ଦେଲେ ଅନ୍ୟ କେଉଁଠି ଭାତକୁ ପାଣିରେ ରଖି ବାସୀ ତୋରାଣି ସହ ଖାଇବାର ପରମ୍ପରା ନାହିଁ ।