fbpx

ମଣିପୁର ଘଟଣାର ଦୋଷୀଙ୍କୁ ଫାଶୀଦଣ୍ଡ ମିଳିପାରିବ କି: କ’ଣ କହୁଛି ଭାରତୀୟ ଆଇନ, ସୁପ୍ରିମକୋର୍ଟ କ’ଣ ପଦକ୍ଷେପ ନେଇପାରିବେ

Advertisement

ନୂଆଦିଲ୍ଲୀ: ଗତ ୧୯ ତାରିଖରେ ଘଟିଥିବା ମଣିପୁରର ଦୁଇଜଣ ମହିଳାଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ସାରା ଦେଶରେ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୪ ଜଣ ଗିରଫ ହୋଇଥିବା ବେଳେ ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ବିଧାନ କରିବା ନେଇ ବିଭିନ୍ନ ମହଲରୁ ଦାବି ହେଉଛି । ଯଦି କେନ୍ଦ୍ର ଓ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଏନେଇ ପଦକ୍ଷେପ ନିଆଯିବ ବୋଲି ସୁପ୍ରିମକୋର୍ଟ ଚେତାବନୀ ଦିଆଯାଇଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ମହିଳାଙ୍କୁ ସର୍ବସାଧାରଣରେ ନିବସ୍ତ୍ର କରି ବୁଲାଇବା ଘଟଣାର ଦୋଷୀଙ୍କୁ କି ଦଣ୍ଡ ମିଳିପାରିବ? ଗୋଟିଏ ପଟେ ଆମେ ନାରୀଙ୍କୁ ଦେବୀ, ମାଆ, ଭଉଣୀ କହୁଥିବା ବେଳେ ଅନ୍ୟପଟେ ଆମେ ରାକ୍ଷସ ପାଲଟି ଯାଉଛେ । ଏହି ଅମାନୁଷିକ ଘଟଣା ପଛରେ ଯେଉଁମାନଙ୍କର ହାତ ରହିଛି ସେମାନଙ୍କୁ ଆଇନ କି ଦଣ୍ଡ ଦେବ? ସେମାନଙ୍କୁ କ’ଣ ଫାଶୀଦଣ୍ଡ ମିଳିପାରିବ କି ବୋଲି ପ୍ରଶ୍ନ ଉଠୁଛି । ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ନେଇ ପ୍ରୟାସ କରାଯିବ ବୋଲି ଏହି ଘଟଣା ପରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ. ବିରେନ୍ ସିଂହ କହିଥିଲେ ।

ଦୀର୍ଘ ଅଢ଼େଇ ମାସ ଧରି ମଣିପୁର ଜଳୁଥିବା ବେଳେ ଏ ପର୍ଯ୍ୟନ୍ତ ଥମିବାର ନାଁ ଧରୁନାହିଁ । ହତ୍ୟା, ଲୁଟ୍, ଘର, ଶିକ୍ଷାନୁଷ୍ଠାନ ସବୁ ଜଳିପୋଡ଼ି ଛାରଖାର ହେବାରେ ଲାଗିଛି । ଏହା ମଧ୍ୟରେ ମହିଳାଙ୍କୁ ଗଣଦୁଷ୍କର୍ମ ଓ ନିବସ୍ତ୍ର କରି ବୁଲାଇବା ଘଟଣା ଲଜ୍ଜାର ସବୁ ସୀମା ଟପିଯାଇଛି । ଏବେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କୁ କ’ଣ ଦଣ୍ଡ ମିଳିବ? ସେମାନଙ୍କ ଉପରେ ଆଇପିସିର ଧାରା ୩୦୨, ୩୭୬ ଡି, ୩୫୪, ୩୨୬ ଲାଗିଛି । ସେହି ଆଇନ ଅନୁସାରେ ସେମାନଙ୍କୁ ଫାଶୀ ଠାରୁ ଆରମ୍ଭ କରି ଆଜୀବନ କାରାଦଣ୍ଡ ହୋଇପାରେ । ମାତ୍ର ଯଦି ପୋଲିସ ଚାର୍ଜଶିଟରେ ପର୍ଯ୍ୟାପ୍ତ ପ୍ରମାଣ ସହ କୋର୍ଟରେ ଦାଖଲ କରିପାରିବ ତେବେ ଏହା ସମ୍ଭବ ହୋଇପାରିବ ।

ଗତ ମେ ମାସ ୪ ତାରିଖରେ ଏହି ଘଟଣା ଘଟିଥିବା ବେଳେ ଏହା ମଧ୍ୟରେ ଏହି ଘଟଣା ପାଖାପାଖି ୨ ମାସ ହୋଇଗଲାଣି । ଏହି ଘଟଣାରେ ଦୋଷୀଙ୍କୁ ଦଣ୍ଡ ବିଧାନ ନେଇ ପ୍ରମାଣ ହିଁ ବଡ଼ ସଙ୍କଟ ଭାବେ ଉଭା ହେବ । ଯଦି ପୋଲିସ ଠିକ୍ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତା, ତେବେ ହୁଏତ ପ୍ରମାଣ ମିଳିପାରିଥାନ୍ତା । ମେଡିକାଲ ଟେଷ୍ଟ, ପଲିଗ୍ରାଫ ଟେଷ୍ଟ, ପୀଡ଼ିତା ଓ ସାକ୍ଷୀଙ୍କ ବୟାନରୁ ବହୁତ କିଛି ପ୍ରମାଣ ମିଳିପାରିଥାନ୍ତା । ମାତ୍ର ପୋଲିସ ସାମ୍ନାରେ ଏତେବଡ଼ ଅଘଟଣ ଘଟିଥିବା ଅଭିଯୋଗ ଆସୁଛି । ଏହି ଘଟଣାରେ ଦେଢ଼ ମାସ ପୂର୍ବରୁ ମାମଲା ଦାୟର ହୋଇଥିଲା ।
ଆଇପିସିର ଧାରା ୩୦୨ର ଅର୍ଥ ହତ୍ୟା । ଏଥିରେ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ସହିତ ଫାଶୀ ଦଣ୍ଡ ହୋଇପାରେ । ଧାରା ୩୭୬ ଅର୍ଥ ଦୁଷ୍କର୍ମ । ଏଥିରେ ସାତ ବର୍ଷରୁ ଆରମ୍ଭ କରି ଆଜୀବନ କାରାଦଣ୍ଡ ହୋଇପାରେ । ୩୭୬ ଡି ଅର୍ଥ ଗଣବଳାକ୍ରାର । ଏଥିରେ ଦୋଷୀଙ୍କୁ ଅତିକମରେ ୨୦ ବର୍ଷର କଠୋର କାରାଦଣ୍ଡ ହୋଇପାରେ । ତେବେ ସୁପ୍ରିମକୋର୍ଟ ନିକଟରେ ଅସୀମିତ ଅଧିକାର ରହିଥିବାରୁ ସର୍ବୋଚ୍ଚ ଅଦାଲତ କିଛି ଆକ୍ସନ ନେଇ ପାରନ୍ତି । ସୁପ୍ରିମକୋର୍ଟ କୋର୍ଟ ଏସଆଇଟି ସହାୟତାରେ କୌଣସି ଖାସ୍ ଯାଞ୍ଚ ଏଜେନ୍ସିକୁ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇ ପାରନ୍ତି ।

Get real time updates directly on you device, subscribe now.