ଓଡ଼ିଶା ଭାସ୍କର: ଅନିୟମିତ ଜୀବନଶୈଳୀ ଏବଂ ଅସନ୍ତୁଳିତ ଖାଦ୍ୟପେୟ ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପକାଉଛି । ଏଥିପାଇଁ ଅକାଳରେ ଅନେକ ରୋଗ ମାଡ଼ି ବସିଥାଏ । ସେଥିମଧ୍ୟରୁ ଡାଇବେଟିସ୍ ଏକ ସାଧାରଣ ରୋଗ ଭାବେ ଉଭା ହୋଇଛି । ସାଧାରଣତଃ ବୟସ୍କ ଲୋକଙ୍କ କ୍ଷେତ୍ରରେ ଡାଇବେଟିସ୍ ଦେଖାଦେଇଥାଏ । ଆଜିକାଲି କିନ୍ତୁ ପିଲାମାନେ ମଧ୍ୟ ଡାଇବେଟିସର ଶିକାର ହେଉଛନ୍ତି ।
WHOର ଏକ ରିପୋର୍ଟ ଅନୁଯାୟୀ ଭାରତରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ଆନୁମାନିକ ୭୭ ମିଲିୟନ ଟାଇପ୍-୨ ଡାଇବେଟିସ୍ ଏବଂ ପ୍ରାୟ ୨୫ ମିଲିୟନ ପ୍ରିଡାଇବେଟିସ୍ ରୋଗରେ ପୀଡ଼ିତ । ବିଶେଷ କରି ୧୨ରୁ ୧୮ ବର୍ଷ କିଶୋରଙ୍କ ମଧ୍ୟରେ ଏହି ସମସ୍ୟା ଦେଖାଦେଇଥାଏ ।
ସାଧାରଣତଃ ପିଲାମାନେ ମିଠା ଜିନିଷ ଖାଇବାକୁ ପସନ୍ଦ କରିଥାନ୍ତି । ସେମାନଙ୍କୁ ଯେତେ ବାରଣ କଲେ ବି ଲୁଚି ଲୁଚି ଖାଇଥାନ୍ତି । ପ୍ରାରମ୍ଭରେ ଏହା ପାଟି ସୁଆଦ ଲାଗୁଥିଲେ ବି ପରବର୍ତ୍ତୀ ସମୟରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଯାଇଥାଏ । ସବୁବେଳେ ମିଠା ଜିନିଷ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହୋଇଯାଏ । ଅଭିଭାବକମାନେ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ।
ପିଲାଙ୍କୁ ଡାଇବେଟିସ୍ ହେଲେ ଏହି ସବୁ ଲକ୍ଷଣ ଦେଖାଦେଇଥାଏ:
୧. ଓଜନ କମିଯିବା: ପିଲାଙ୍କ ଓଜନ ହଠାତ କମି ଗଲେ ଏହା ଡାଇବେଟିସର ଲକ୍ଷଣ ହୋଇପାରେ । ଏହି ଲକ୍ଷଣ ଅଧିକାଂଶ ଟାଇପ୍-୧ ଡାଇବେଟିସରେ ଦେଖିବାକୁ ମିଳିଥାଏ ।
୨. ଥକ୍କାପଣ: ବିନା କୌଣସି ଶାରୀରିକ ପରିଶ୍ରମରେ ଶୀଘ୍ର ଥକ୍କାପଣ ଅନୁଭବ କରିବା ଡାଇବେଟିସର ଲକ୍ଷଣ ହୋଇଥାଏ ।
୩. ବାରମ୍ବାର ପରିଶ୍ରା ଯିବା: ଶରୀରରେ ରକ୍ତ ଶର୍କରା ସ୍ତର ବୃଦ୍ଧି ହେଲେ ଅଧିକ ଶୋଷ ଲାଗିଥାଏ । ଫଳରେ ପିଲା ବାରମ୍ବାର ପରିଶ୍ରା ପାଇଁ ଯାଇଥାଏ । କେତେକାଂଶରେ ସେମାନେ ଶଯ୍ୟାରେ ମଧ୍ୟ ପରିଶ୍ରା କରିଥାନ୍ତି ।
୪. ମୁଡ୍ ସ୍ୱିଙ୍ଗ୍: ଅଧିକାଂଶ କ୍ଷେତ୍ରରେ ପିଲାଙ୍କୁ ଡାଇବେଟିସ୍ ହୋଇଥିଲେ ଚିଡ଼ଚିଡ଼ାପଣ, ବାରମ୍ବାର କାନ୍ଦିବା, ରାଗିବା ଭଳି ଲକ୍ଷଣ ଦେଖାଦେଇଥାଏ ।
୫. ଘା’ ଶୀଘ୍ର ନଶୁଖିବା: ଡାଇବେଟିସ୍ ହୋଇଥିଲେ ଶରୀରରେ ଥିବା କ୍ଷତ ଶୀଘ୍ର ଶୁଖିନଥାଏ । ଏହା ଠିକ୍ ହେବା ପାଇଁ ଦୀର୍ଘ ସମୟ ନେଇଥାଏ ।
୬. ଅଧିକ ଶୋଷ ଲାଗିବା: ଶରୀରରେ ରକ୍ତ ଶର୍କରା ସ୍ତର ବୃଦ୍ଧି ହେଲେ ଅଧିକ ଶୋଷ ଲାଗିଥାଏ । ତେଣୁ ପିଲାଙ୍କୁ ହଠାତ ଅଧିକ ଶୋଷ ଅନୁଭବ ହେବା କିମ୍ବା ବାରମ୍ବାର ପାଣି ପିଉଥିଲେ ଏହା ଡାଇବେଟିସ୍ ଲକ୍ଷଣକୁ ସୁଚାଇଥାଏ ।
୭. ଅଧିକ ଭୋକ ଲାଗିବା: ପିଲାଙ୍କୁ ଅଧିକ ଭୋକ ଲାଗିବା ବି ସମସ୍ୟା ହୋଇପାରେ । ପେଟ ପୁରା ଖାଇବା ପରେ ମଧ୍ୟ ପିଲାକୁ ଭୋକ ଲାଗିଲେ ଏହା ଡାଇବେଟିସର ଲକ୍ଷଣ ହୋଇପାରେ ।
ଡାକ୍ତରଙ୍କ କହିବାନୁଯାୟୀ ପିଲାଙ୍କ କ୍ଷେତ୍ରରେ ଟାଇପ୍-୧ ଡାଇବେଟିସ୍ ହୋଇଥିଲେ ଶରୀରରେ ଏକ ଗୁରୁତ୍ୱପୂର୍ଣ୍ଣ ହରମୋନ୍ ଇନସୁଲିନ୍ ଉତ୍ପାଦନ ହୋଇନଥାଏ । ତେଣୁ ଉପରୋକ୍ତ ଲକ୍ଷଣ ଦେଖାଗଲେ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ।
– ଉପରୋକ୍ତ ଲକ୍ଷଣ ଦେଖାଗଲେ ତୁରନ୍ତ ରକ୍ତଶର୍କରା ସ୍ତର ଯାଞ୍ଚ କରନ୍ତୁ
– ପିଲାଙ୍କୁ ଶାରୀରିକ କାର୍ଯ୍ୟକଳାପ (activities) ପାଇଁ ପ୍ରୋତ୍ସାହିତ କରନ୍ତୁ
– ଯେତେ ଦୂର ସମ୍ଭବ ପିଲାଙ୍କୁ ଚିନି ସେବନ ଠାରୁ ଦୂରେଇ ରଖନ୍ତୁ