ଆୟରଙ୍କ ଅର୍ଦ୍ଧଶତକ ଓ ଦୀପକ ଚହରଙ୍କ ଅଲରାଉଣ୍ଡ ସଫଳତା: ସିରିଜ କ୍ଲିନ୍ ସୁଇପ୍ କଲା ଭାରତ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜକୁ ୩-୦ରେ ଜିତି ନେଇଛି ଭାରତ । ଅନ୍ତିମ ଦିନିକିଆରେ ଦଳ ୯୬ ରନରେ ବିଜୟୀ ହେବା ସହିତ ୩-୦ରେ କ୍ଲିନ ସୁଇପ୍ କରିଛି । ପ୍ରତ୍ୟାବର୍ତ୍ତନ ମ୍ୟାଚ ଖେଳୁଥିବା ଶ୍ରେୟସ ଆୟାର ଏବଂ ଦୀପକ ଚହର ଭାରତର ବିଜୟରେ ମୁଖ୍ୟ କର୍ଣ୍ଣଧାର ସାଜିଥିଲେ । ଶ୍ରେୟସ ଆୟର ୮୦ ରନ ସଂଗ୍ରହ କରିଥିବା ବେଳେ ଚହର ବ୍ୟାଟିଂରେ ୩୮ ରନ ଆଉ ବୋଲିଂରେ ଦୁଇଟି ୱିକେଟ ଅକ୍ତିଆର କରିଥିଲେ । ୱେଷ୍ଟଇଣ୍ଡିଜ ଦଳ ୩୭.୧ ଓଭରରେ ମାତ୍ର ୧୬୯ ରନରେ ସମସ୍ତ ୱିକେଟ ହରାଇଥିଲା ।

ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଦଳୀୟ ସ୍କୋର ୧୬ରେ ଉଭୟ ରୋହିତ ଶର୍ମା ଏବଂ ବିରାଟ କୋହଲି ପ୍ୟାଭିଲିୟନ ଫେରିଥିଲେ । ୪୨ ରନରେ ଶିଖର ଧୱନଙ୍କ ୱିକେଟ ପତନ ପରେ ପନ୍ତ ଓ ଆୟରଙ୍କ ମଧ୍ୟରେ ୧୧୦ ରନ ପାର୍ଟନରଶିପ୍ ହୋଇଥିଲା । ଶ୍ରେୟସ ଆୟର ୧୧୧ ବଲ ଖେଳି ୯ଟି ଚୌକା ସହିତ ୮୦ ରନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପନ୍ତ ୫୪ ବଲ୍ ଖେଳି ୪ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ଶେଷ ଆଡକୁ ୱାଶିଂଟନ୍ ସୁନ୍ଦର(୩୩) ଓ ଦୀପକ ଚହରଙ୍କ ଦ୍ରୁତ ୩୮ ରନ ବଳରେ ଭାରତ ୨୬୦ ରନ ପାର କରିଥିଲା । ୱେଷ୍ଟଇଣ୍ଡିଜ ପକ୍ଷରୁ ହୋଲ୍ଡର ୩୪ ରନରେ ୪ଟି ୱିକେଟ ନେଇଥିବା ବେଳେ ଆଲଜାରି ଯୋଶେଫ୍ ଓ ୱାଲ୍ସ ହେଡନ୍ ୨ଟି ଲେଖାଏଁ ୱିକେଟ ନେଇଥିଲେ ।ଓଡିନ୍ ସ୍ମିଥ୍ ଓ ଫାବିଏନ ଆଲେନ୍ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

୨୬୬ ରନର ପିଛା କରୁଥିବା ୱେଷ୍ଟଇଣ୍ଡିଜ ଦଳ ନିୟମିତ ବ୍ୟବଧାନରେ ୱିକେଟ ହରାଇବା ସହିତ ମାତ୍ର ୧୬୯ ରନରେ ସୀମିତ ରହିଥିଲା । ଦଳ ପକ୍ଷରୁ ଓଡିନ ସ୍ମିଥ ସର୍ବାଧିକ ୩୬ ରନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନିକୋଲାସ ପୁରନ ୩୪ ଓ ଆଲଜାରି ଯୋଶେଫ୍ ୨୯ ରନର ଅବଦାନ ଦେଇଥିଲେ । ଭାରତ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ଓ ମହମ୍ମଦ ସିରାଜ ୩ଟି ଲେଖାଏଁ ୱିକେଟ ନେଇଥିଲେ । ଅନ୍ୟ ପକ୍ଷରେ କୁଲଦୀପ ଯାଦବ ଓ ଦୀପକ ଚହର ଦୁଇଟି ଲେଖାଏଁ ୱିକେଟ ନେଇଥିଲେ । ଶ୍ରେୟସ ଆୟରଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ ଏବଂ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ପ୍ଲେୟର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.