fbpx

୨୫ ବର୍ଷରେ ଦେଶ ପାଇଁ ଶହୀଦ ଯଜ୍ଞ ନାରାୟଣ କର

କବିସୂର୍ୟ୍ୟନଗର(ଓଡ଼ିଶା ଭାସ୍କର): ଦେଶ ମାତୃକାର ସେବା କରିବା ସଦାସର୍ବଦା ଏକ ଗୌରବର ବିଷୟ । ମାତ୍ର ୨୫ ବର୍ଷ ବୟସରେ ଦେଶ ପାଇଁ ଶହୀଦ ହେବା ସହିତ ନିଜର ବଳିଦାନ ପାଇଁ ଇତିହାସ ବକ୍ଷରେ ନିଜର ନାମ ଲେଖିଛନ୍ତି ଯଜ୍ଞ ନାରାୟଣ କର । କବିସୂର୍ୟ୍ୟନଗରର ଯଜ୍ଞ ସିକ୍କିମର ନାଥୁଲା ପାସରେ ପ୍ରାଣ ହରାଇଥିଲେ । କହିବାକୁ ଶବ୍ଦ ନାହିଁ ,ବାଣୀ ବି ମୌନରେ ଶ୍ରଦ୍ଧାଞ୍ଜଳି ଦେଉଛି ଏଇ ବୀର ସୈନିକକୁ । ଗୋଟିଏ ପୁଅ ଥିଲା ସେ ବି ଦେଶ ପାଇଁ ସହିଦ ହେଇଗଲା । ଘରେ ଏକୁଟିଆ ଏବେ ବାପା ମା ,ଯାହାକୁ ନେଇ ଏତେ ସ୍ବପ୍ନ ଦେଖିଥିଲେ ସେ ସିକ୍କିମର ପାହାଡରେ ସବୁଦିନ ପାଇଁ ହଜିଗଲା । ଘରେ ଝୁଲୁଛି ସହିଦ ଯଜ୍ଞ ନାରାୟଣ କରଙ୍କ ସେନା ପୋଷାକ ,ଆଜିବି ମା ଅତି ଯତ୍ନ ରେ ତାକୁ ସାଇତି ରଖିଛି । ଏଇ ପୋଷାକ ପିନ୍ଧି ସେ ଦେଶପାଇଁ ଲଢ଼ିବାକୁ ଯାଇଥିଲା , ଏଇ ପୋଷାକ ରେ ତା ସ୍ମୃତି ନେଇ ବଞ୍ଚିଛି ମା ।
୧୦ ମେ ୧୯୯୬ ମସିହାରେ ପିତା ପ୍ରଫୁଲ୍ଲ ଚନ୍ଦ୍ର କର ଓ ମାତା କବିତା କରଙ୍କ ଔରସରୁ ଜନ୍ମ ଲାଭ କରିଥିଲେ ସହିଦ ଯଜ୍ଞ ନାରାୟଣ କର । ଅତି ସାଧାରଣ ପରିବାରରେ ଜନ୍ମ ଲାଭ କରିଥିଲେ । ପରିବାର କହିଲେ ପିତା ମାତା ଆଉ ପୁଅକୁ ବୁଝାଏ ! ପିତା ବାହାର ରାଜ୍ୟରେ ମୂଲ ଲାଗି ନିଜର ପରିବାର ଚଳାଉଥିଲେ ! ଆଶା ଥିଲା ପୁଅଟି ଜନ୍ମ ହେବା ପରେ ତାଙ୍କର ସମସ୍ତ ଦୁଃଖ ଦୁର ହେବ! ଆଉ ତାହାରି କନ୍ଧରେ ନିଜର ଜୀବନ ଯିବ । ମାତ୍ର ୨୧ବର୍ଷ ବୟସରେ ସେନା ବାହିନୀରେ ଯୋଗ ଦେଇ ପୁନାରେ ପ୍ରଥମେ ଟ୍ରେନିଂ ସାରି ରାଜସ୍ତାନର ଜୟପୁରଠାରେ ପ୍ରଥମ ପୋଷ୍ଟିଙ୍ଗ ହୋଇଥିଲା । ସେନାରେ ଯୋଗ ଦାନର କିଛି ବର୍ଷ ପରେ ସିକିମରେ ଦ୍ୱିତୀୟ ଥର ପାଇଁ ପୋଷ୍ଟିଙ୍ଗ ହୋଇଥିଲା ମେଳାପି ସ୍ୱଭାବର ଥିଲେ ସହିଦ ଯଜ୍ଞ ନାରାୟଣ କର , ଖାଲି ଗାଁ ରେ କାହିଁକି ନିଜ ରେଜୀମେଣ୍ଟ୍ ରେ ମଧ୍ୟ ନିଜ ଚମତ୍କର ବ୍ୟକ୍ତିତ୍ଵ ପାଇଁ ସେ ସମସ୍ତଙ୍କ ପ୍ରିୟ ଥିଲେ । ଜୀବନର ଏ ସାଗର ରେ ସାଥିରୁପେ ହାତ ଧରିଥିଲେ ଆରତୀଙ୍କର । ଆଉ ବାପାମା ସ୍ତ୍ରୀଙ୍କ ସହ ହସଖୁସିରେରେ ଜୀଇଁବାର ସ୍ବପ୍ନ ପୂରଣ ହୋଇ ସାରିଥିଲା , ବୋଧ ହୁଏ କାହାର ନଜର ଲାଗିଗଲା ଏହି ଘର ଉପରେ ।
୨୦/୧୨/୨୦୨୦ରେ ସିକିମ ରାଜ୍ୟର ଭାରତ ଓ ଚୀନ ସୀମାନ୍ତ ନାଥୁଲାରେ ସକାଳ ସମୟରେ ସେନା ବାହିନୀର ଏକ ଜିପ ବରଫବୃତ୍ତ ପାହାଡିଆ ଇଲାକାରୁ ଯାଉଥିବା ସମୟରେ ଏକ ଖାଲକୁ ଖସି ପଡିଥିଲା । ଯାହା ଫଳରେ ସହିଦ ଯଜ୍ଞ ନାରାୟଣ କରଙ୍କ ଘଟଣା ସ୍ଥଳରେ ସହିଦ୍ ହୋଇଯାଇଥିଲେ ଯଜ୍ଞ ନାରାୟଣ କର।ଖବର ଆସିଲା ଗାଁ କୁ, ସେଦିନ କାହା ଘରେ ବି ଚୁଲି ଜଳିନି , ବାପାଙ୍କ ଲୁହ ବୋଲ ମାନିଲାନି , ମା ର ବାହୁନା କିଏ ବା ଧର୍ୟ୍ୟ ଧରି ଶୁଣି ପରିଥାନ୍ତା । ମୁଁ ଗଲା ପରେ ତୁ କାନ୍ଦିବୁନି ବୋଉ, ତୁମ ପ୍ରେମ ଦେଶ ପ୍ରେମ ଆଗରେ ବହୁତ୍ ଛୋଟ ହେଇଗଲା । ଆରତୀ ତୁମ ହାତ ଧରି ମୁଁ ବେଶୀ ବାଟ ଚାଲି ପାରିଲିନି, ମତେ କ୍ଷମା କରିବ । ସଂସାର ଦେଖିବା ବୟସରେ ସଂସାରରୁ ବିଦାୟ ନେଇ ସହିଦ ଯଜ୍ଞ ନାରାୟଣ କର ଆମଠାରୁ ବହୁ ଦୂରରେ ହେଲେ , ହେଲେ ଦେଶ ମାତୃକା ପାଇଁ ତାଙ୍କ ନିଷ୍ଠାପର ସେବା ଓ ବଳିଦାନ ଆମ ଚିର ନମସ୍ୟ ହୋଇ ରହିବ । ଆସନ୍ତା ୧୫ ଅଗଷ୍ଟ ରେ ଓଡ଼ିଶା ଭାସ୍କର ସମ୍ମାନିତ କରିବ ଏହି ବରପୁତ୍ର ଙ୍କୁ ମା ତୁଝେ ସଲାମ ମାଧ୍ୟମରେ । ସହିଦ ଯଜ୍ଞ ନାରାୟଣ କର ସର୍ବଦା ଅମର ରହିବେ ଆମ ସ୍ମୃତି ରେ । ଜୟ ହିନ୍ଦ୍ ବନ୍ଦେ ମାତରଂ ।

Get real time updates directly on you device, subscribe now.