fbpx

ଜେଲ ଗଲା ପରେ ବି ପଶିଲାନି ଚେତା, ଦାଦାଗିରି ପାଇଁ ପୋଲିସ ରଖିଲା ଅଟକ

ଭୁବନେଶ୍ୱର: ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଧୀନରେ ଦାଦାବଟି ମାଗିବା ଅଭିଯୋଗରେ ଜେଲଫେରନ୍ତାଙ୍କୁ ଅଟକ ରଖିଛି ପୋଲିସ । ଜେଲରୁ ଫେରିବା ପରେ ରଘୁ ବାରିକ ନାମକ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର ଜନୈକ ମିଠା ଦୋକାନୀଙ୍କଠାରୁ ବଟି ମାଗି ଦାଦାଗିରି କରିବା ନେଇ ଅଭିଯୋଗ ହୋଇଥିଲା ।

ସୂଚନା ମୁତାବକ, ଏୟାରଫିଲ୍ଡ ଥାନା ଅଧୀନରେ ଜନୈକ ମିଠା ଦୋକାନୀଙ୍କୁ ନିକଟରେ ଜେଲରୁ ଜାମିନରେ ବାହାରିଥିବା ରଘୁ ବାରିକ ନାମକ ଯୁବକ ୫ ଲକ୍ଷ ଟଙ୍କା ବଟି ମାଗିଥିଲା । ବଟି ଟଙ୍କା ନ ଦେବାକୁ କହିବାରୁ ଦୋକାନୀଙ୍କୁ ଧମକ ଚମକ ଦେଇଥିଲା ଅଭିଯୁକ୍ତ । ଏଥିସହ ଦୋକାନ ଆଗରେ ଟ୍ରାକ୍ଟରରେ ପଥର ଆଣି ଗଦା କରିଦେଇଥିଲା । ଫଳରେ ଦୋକାନୀଙ୍କ ବ୍ୟବସାୟ ବାଧାପ୍ରାପ୍ତ ହୋଇଥିଲା । ଏଥିସହ ତାଙ୍କ ଜୀବନ ପ୍ରତି ବିପଦ ଆଶଙ୍କାରେ ସମ୍ପୃକ୍ତ ଦୋକାନୀ ଥାନାରେ ଅଭିଯୋଗ କରିଥିଲେ ।

ପୋଲିସ ସେଠାରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରି ଅଭିଯୁକ୍ତକୁ ଥାନାରେ ଅଟକ ରଖିଛି ଓ ପଚରାଉଚରା ଚଳାଇଛି । ରଘୁ ଜଣେ ପେସାଦାର ଅପରାଧୀ । ତା ନାଁରେ ହତ୍ୟା ଅଭିଯୋଗ ରହିଛି । ଅମରେଶ ନାୟକ ନାମକ ଜଣଙ୍କୁ ହତ୍ୟା କରି ରଘୁ ଜେଲ ଯାଇଥିଲା । ଏବେ ସେ ଜାମିନରେ ବାହାରିଛି । ଜେଲରୁ ଆସିବା ପରେ ସେ ତାର ଅପରାଧ ଜାରି ରଖିଛି । ଏହି ଘଟଣାରେ ପୁଣି ପୋଲିସ ତାକୁ ଜେଲ ପଠାଇବା ସମ୍ଭାବନା ରହିଛି ।

Get real time updates directly on you device, subscribe now.