ଆସନ୍ତା ୩ରେ ଜନ ଅଭିଯୋଗ ଶୁଣାଣି; ଜାଣନ୍ତୁ କିପରି କରିବେ ପଞ୍ଜୀକରଣ

ଭୁବନେଶ୍ବର: ଫେବୃୟାରୀ ୩ ତାରିଖ ସୋମବାରରେ ଜନ ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱରର ୟୁନିଟ୍-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ ।

ଏହି ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ଜାନୁଆରୀ ୩୧ ତାରିଖ ତଥା ଶୁକ୍ରବାର ଦିନ ୧୧ଟାରୁ ଆରମ୍ଭ ହେବ । ତେବେ ସର୍ବାଧିକ ଏକ ହଜାର ଜଣ ପଞ୍ଜୀକରଣ କରିପାରିବେ । ଏଥିନିମନ୍ତେ, ଆଗ୍ରହୀ ଜନସାଧାରଣ ଜନଶୁଣାଣି ପୋର୍ଟାଲ (https://janasunani.odisha.gov.in/) ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିପାରିବେ । ଏ ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଜନସାଧାରଣ ପଞ୍ଜୀକୃତ ପ୍ରାପ୍ତି ସ୍ଵୀକାର ପତ୍ର ଏବଂ ବ୍ୟକ୍ତିଗତ ପରିଚୟ ପତ୍ର ତଥା ନିଜର ଅଭିଯୋଗ ପତ୍ର ସହ ଦର୍ଶାଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ନିଜର ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇପାରିବେ ।