ନୂଆଦିଲ୍ଲୀ: ଟେଷ୍ଟ ପରେ ଭାରତର ଟି-୨୦ ଦଳରେ ଡେବ୍ୟୁ କରିବାକୁ ଯାଉଛନ୍ତି ଯୁବ ଓପନର ଯଶସ୍ୱୀ ଜଏସ୍ୱାଲ । ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦ରେ ଭାରତୀୟ ଦଳର ଅଧିନାୟକ ଏକ ବଡ଼ ପରିବର୍ତ୍ତନ କରିଛନ୍ତି । ପ୍ରଥମ ଦୁଇଟି ମ୍ୟାଚରେ ପରାଜୟର ସାମନା କରିବା ପରେ ତୃତୀୟ ମ୍ୟାଚରେ ନୂଆ ରଣନୀତି ସହ ମଇଦାନକୁ ଓହ୍ଲାଇଛନ୍ତି କ୍ୟାପ୍ଟେନ ପାଣ୍ଡ୍ୟା । ତେବେ ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଘରୋଇ ଦଳର ଅଧିନାୟକ ରୋଭମନ ପାୱେଲ ।
ଭାରତର ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଯଶସ୍ୱୀ ଜଏସ୍ୱାଲଙ୍କୁ ଡେବ୍ୟୁ କରିବାର ସୁଯୋଗ ମିଳିଛି । ୱିକେଟ କିପର ଶୁଭମନ ଗିଲଙ୍କ ସହ ଯଶସ୍ୱୀ ଜଏସ୍ୱାଲଙ୍କ ଉପରେ ଆଜି ମ୍ୟାଚରେ ଓପନିଙ୍ଗ ଦାୟିତ୍ୱ ପ୍ରଦାନ କରିଛନ୍ତି ଅଧିନାୟକ ପାଣ୍ଡ୍ୟା । ତେବେ ଇଶାନଙ୍କ ଅନୁପସ୍ଥିତିରେ ସଞ୍ଜୁ ସାମସନ ଦଳରେ ୱିକେଟ କିପର ଭୂମିକା ତୁଲାଇବେ । ସେହିପରି କୁଳଦୀପ ଯାଦବଙ୍କୁ ଏହି ଦଳରେ ସ୍ଥାନ ମିଳିଛି । ରବି ବିଷ୍ଣୋଇଙ୍କୁ ଦଳରୁ ବାଦ୍ ଦେଇ କୁଳଦୀପଙ୍କୁ ସୁଯୋଗ ଦେଇଛନ୍ତି ହାର୍ଦ୍ଦିକ । ତେବେ ଶୁଭମନ ଗିଲ ଖରାପ ଫର୍ମ ଦେଇ ଗତି କରୁଥିବା ବେଳେ ଇଶାନ କିଶାନ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଏବଂ ଟି-୨୦ରେ ଭଲ ପ୍ରଦର୍ଶନ କରିଛନ୍ତି । ଏହାପରେ ମଧ୍ୟ ତାଙ୍କୁ ଦଳରୁ ବାଦ୍ ଦିଆଯିବା ଭଳି ଏକ ଆଶ୍ଚର୍ଯ୍ୟ ଜନକ ନିଷ୍ପତ୍ତି ନେଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ।
ଭାରତୀୟ ଦଳ: ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ଶୁଭମନ ଗିଲ, ଯଶସ୍ୱୀ ଜଏସ୍ୱାଲ, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ସଞ୍ଜୁ ସାମସନ, ଅକ୍ସର ପଟେଲ, କୁଳଦୀପ ଯାଦବ, ଅର୍ଶଦୀପ ସିଂହ, ୟୁଜବେନ୍ଦ୍ର ଚହଲ, ମୁକେଶ କୁମାର