ଜେସନ ଗିଲେସ୍ପି ପାକିସ୍ତାନ କ୍ରିକେଟ ଟିମର ନୂଆ ହେଡ୍ କୋଚ ନିଯୁକ୍ତ: ଗ୍ୟାରି କର୍ଷ୍ଟନଙ୍କ ସ୍ଥାନରେ ସମ୍ଭାଳିବେ ଦାୟିତ୍ୱ
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରେ ଗୁଜରାଟ ଟାଇଟନ୍ସର ମେଣ୍ଟର ଭୂମିକା ତୁଲାଇବା ପରେ ଚଳିତ ବର୍ଷ ମେ ମାସରେ ପାକିସ୍ତାନ କ୍ରିକେଟ ଟିମର ହେଡ୍ କୋଚ ଭାବେ ଗ୍ୟାରୀ କର୍ଷ୍ଟନଙ୍କ କାର୍ଯ୍ୟକାଳ ଆରମ୍ଭ ହୋଇଥିଲା । ଆଗାକୁ ଚାମ୍ପିୟନ୍ସ ଟ୍ରଫି ୨୦୨୫ ଥିବାବେଳେ ତା’ ପୂର୍ବରୁ ପାକିସ୍ତାନ ନୂଆ ଅଧିନାୟକ ଚୟନ କରିଥିଲା । ତେବେ ୨ ବର୍ଷିଆ ଚୁକ୍ତି ସମାପ୍ତ ପୂର୍ବରୁ ମାତ୍ର ୬ ମାସ ଦାୟିତ୍ୱ ତୁଲାଇବା ପରେ ମୁଖ୍ୟ କୋଚ ପଦରୁ କର୍ଷ୍ଟନ ଇସ୍ତଫା ଦେଇଥିଲେ ।
ତେବେ କର୍ଷ୍ଟନଙ୍କ ବଦଳରେ ଏବେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଜଣେ ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟରଙ୍କୁ ବଡ଼ ଦାୟିତ୍ୱ ଦେଇଛି । ପୂର୍ବତନ ଅଷ୍ଟ୍ରେଲୀୟ ପେସର ଜେସନ ଗିଲେସ୍ପିଙ୍କୁ ପାକିସ୍ତାନ କ୍ରିକେଟ ଟିମର ମୁଖ୍ୟ କୋଚ ଭାବେ ନିଯୁକ୍ତି ଦିଆଯାଇଛି । କର୍ଷ୍ଟନଙ୍କ ସ୍ଥାନରେ ଏବେ ଗିଲେସ୍ପି ଉକ୍ତ ଦାୟିତ୍ୱ ସମ୍ଭାଳିବେ । ପୂର୍ବରୁ ଗିଲେସ୍ପିଙ୍କୁ ପାକିସ୍ତାନର ଟେଷ୍ଟ ଟିମର କୋଚ ଦାୟିତ୍ୱ ଦିଆଯାଇଥିବା ବେଳେ ଏବେ ସେ ଉଭୟ ଦିନିକିଆ ଓ ଟି-୨୦ ଦଳର ଦାୟିତ୍ୱ ତୁଲାଇବେ । ଆଗକୁ ଆସୁଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ ପାଇଁ ଗିଲେସ୍ପି ପାକିସ୍ତାନର ମୁଖ୍ୟ କୋଚ ପଦ ସମ୍ଭାଳିବେ । ମହମ୍ମଦ ରିଜୱାନଙ୍କୁ ଅଷ୍ଟ୍ରେଲିଆ ଓ ଜିମ୍ବାୱେ ଗସ୍ତ ପାଇଁ ଟି-୨୦ ଓ ଦିନିକିଆ ଅଧିନାୟ ଦାୟିତ୍ୱ ଦିଆଯିବା ପରେ ଏବେ ଗିଲେସ୍ପିଙ୍କୁ ଏହି ଦୁଇ ଫର୍ମାଟ ପାଇଁ ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ଦିଆଯାଇଛି ।