fbpx

ICC ରାଙ୍କିଙ୍ଗ: ଟପ୍ ଟେନକୁ ଫେରିଲେ ବୁମରା, ବାବରଙ୍କ ପଛରେ କୋହଲି

ନୂଆଦିଲ୍ଳୀ: ବୁଧବାର ପ୍ରକାଶ ପାଇଛି ଆଇସିସି ଟେଷ୍ଟ ରାଙ୍କିଙ୍ଗ । ସେଞ୍ଚୁରିଆନ ଟେଷ୍ଟରେ ଭଲ ବୋଲିଂ ପ୍ରଦର୍ଶନ କରିଥିବା ଦ୍ରୁତ ବୋଲର ଜସପ୍ରୀତ ବୁମରା ଟପ ଟେନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ଟେଷ୍ଟରେ ୫ଟି ୱିକେଟ ନେଇଥିବା ବୁମରା ୩ଟି ସ୍ଥାନ ଉପରକୁ ଉଠି ୯ମ ସ୍ଥାନରେ ପହଞ୍ଚିଛନ୍ତି । ଏହି ପ୍ରଦର୍ଶନ ଆଧାରରେ ବୁମରାଙ୍କୁ ପଦୋନ୍ନତି ମିଳିଛି । ସମାନ ଭାବରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ଦୁଇଟି ସ୍ଥାନ ଉପରକୁ ଉଠି ୧୭ତମ ସ୍ଥାନରେ ପହଞ୍ଚିଛନ୍ତି । ଶାମି ଏହି ମ୍ୟାଚରେ ସମୁଦାୟ ୮ଟି ୱିକେଟ ନେଇଥିଲେ । ରବି ଚନ୍ଦ୍ରନ ଅଶ୍ୱିନ ଦ୍ୱିତୀୟ ସ୍ଥାନରେ ସ୍ଥିର ରହିଥିବା ବେଳେ ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି ଅଷ୍ଟ୍ରେଲୀୟ ଅଧିନାୟକ ତଥା ପେସର ପ୍ୟାଟ କମିନ୍ସ ।

ତେବେ ବ୍ୟାଟ୍ସମ୍ୟାନଙ୍କ ରାଙ୍କିଙ୍ଗରେ ଦୁଇଟି ସ୍ଥାନ ତଳକୁ ଖସିଛନ୍ତି ବିରାଟ କୋହଲି । ଭାରତୀୟ ଅଧିନାୟକ କୋହଲି ବର୍ତ୍ତମାନ ୯ମ ସ୍ଥାନରେ ରହିଛନ୍ତି । ପାକିସ୍ତାନ କ୍ୟାପଟେନ ବାବର ଆଜମ ଗୋଟିଏ ସ୍ଥାନ ଉପରକୁ ଉଠି ୮ମ ସ୍ଥାନରେ ରହିଛନ୍ତି । ଅନ୍ୟ ପକ୍ଷରେ ଟେଷ୍ଟ ସିରିଜ ଖେଳୁ ନଥିବା ଭାରତୀୟ ସୀମିତ ଓଭର ଅଧିନାୟକ ରୋହିତ ଶର୍ମା ପୂର୍ବପରି ୫ ନମ୍ବର ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି ।

Get real time updates directly on you device, subscribe now.