fbpx

ସରକାରୀ ଚାକିରି ଛାଡି ରାଜନୀତିକୁ ଆପଣେଇଲେ, ଏମିତି ଥିଲା ବିଷ୍ଣୁ ସେଠୀଙ୍କ ରାଜନୈତିକ ଜୀବନ…

ଭୁବନେଶ୍ୱର: ରାଜନୀତି ଏକ ସାଧାରଣ କ୍ଷେତ୍ର ନୁହେଁ । ଏଥିରେ ପାଦ ଦେବା ତିଷ୍ଠିବା ଆଉ ନୀତି ଆଦର୍ଶରେ କାର୍ଯ୍ୟକରିବା ସହଜ ନୁହେଁ । ବହୁ ନେତା ଏହି କ୍ଷେତ୍ରରେ ରହି ନିଜର ପରିଚୟ ସୃଷ୍ଟି କରିଛନ୍ତି ତ ଆଉ କେହି ଏହି କ୍ଷେତ୍ରରେ ନିଜର ଆଦର୍ଶକୁ ପାଦରେ ଦଳି ଚକଟି ନଷ୍ଟ କରିଦେଇଥାଆନ୍ତି । ସରକାରୀ ଚାକିରିକୁ ଛାଡି ରାଜନୀତିକୁ ଆଦର୍ଶ ମାନିଥିବା ନେତା ହେଉଛନ୍ତି ବିଷ୍ଣୁ ସେଠୀ। ଆମ ଗହଣରେ ଆଉ ନାହାନ୍ତି ସରକାରଙ୍କୁ ଶାଣିତ ସ୍ଵରରେ ଟାର୍ଗେଟ୍ କରୁଥିବା ବିଜେପି ନେତା ବିଷ୍ଣୁ ସେଠୀ। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ସକାଳେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ଓଡିଶା ରାଜନୀତିରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ବିୟୋଗରେ କେନ୍ଦ୍ର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ନେତା ଏବଂ ମାନ୍ୟଗଣ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି।

ମୁଖିଆରୁ ଉପନେତା ଯାତ୍ରା:
ସର୍ବଦା ସାରସତ୍ୱ ସାଧକ ଉପରେ ବଞ୍ଚିବାକୁ ଚାହୁଁଥିବା ଜଣେ ଆଗଧାଡିର ନେତା ହେଉଛନ୍ତି ବିଷ୍ଣୁ ସେଠୀ । ଦୁଇ ଦୁଇଥର ବିଧାୟକ । ରାଜନୀତିକୁ ଛାଡି ଦେଲେ ଏକାଧାରରେ ସେ ଜଣେ ସାହିତ୍ୟିକ,ସାମ୍ବାଦିକ,ସମ୍ପାଦକ,ସମାଲୋଚକ ଆଦି ଅନେକ । ବିରୋଧୀଙ୍କୁ ଟାର୍ଗେଟ କରିବା ଠାରୁ ଆରମ୍ଭ କରି ସରକାରକୁ ସବୁ ବେଳେ ପ୍ରଶ୍ନ କରିବାର ଦମ୍ଭ ରଖୁଥିଲେ ବିଷ୍ଣୁ ସେଠୀ । ଓଡିଶା ପ୍ରଶାସନିକ ସେବା ପାଇଁ ମନୋନୀତ ହୋଇଥିଲେ ବି ସେ ଯୋଗଦେଇନଥିଲେ । ସରକାରୀ ଚାକିରୀକୁ ଛାଡି ରାଜନୀତିରେ ପାଦ ଦେଇଥିଲେ ବିଷ୍ଣୁ ସେଠୀ । ସାପ୍ତାହିକ ସମ୍ବାଦ ‘ବିଶେଷ ଖବର’ରେ କାର୍ଯ୍ୟକରୁଥିବା ବେଳେ ସେ ବିଜେପିରେ ମିଶିଥିଲେ । ତେବେ ଏହା ପଛରେ ସାପ୍ତାହିକ ସମ୍ବାଦ ବିଶେଷ ଖବର ମୁଖ୍ୟ ଖାରବେଳ ସ୍ୱାଇଁ ଙ୍କ ଭୂମିକା ଅଧିକ ରହିଛି । କାରଣ ସେ ଯେତେବେଳେ ବିଜେପିରେ ମିଶିଲେ ସେ ତାଙ୍କ ସହ ବିଷ୍ଣୁ ସେଠୀଙ୍କୁ ମଧ୍ୟ ବିଜେପିରେ ମିଶିବାକୁ ବାଧ୍ୟ କରିଥିଲେ । ଏବଂ ଡିସେମ୍ବର ୨୫ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଦିବସରେ ସେ ବିଜେପିରେ ମିଶିଲେ । ବାସ ସେବେ ଠାରୁ ଆରମ୍ଭ ହେଲା ତାଙ୍କର ରାଜନୈତିକ ଯାତ୍ରା । ଏହାପରେ ଭଦକ୍ର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଦେଇ ନଥିଲା । ଏହା ଶ୍ରୀଯୁକ୍ତ ସେଠୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଭାବେ ଉଭା ହେଲା । ଏହାପରେ ୨୦୦୦ ମସିହାରେ ଚାନ୍ଦବାଲିରୁ ବିଧାୟକ ଭାବେ ନିର୍ବାଚନ ଲଢ଼ିଲେ ଆଉ ଜିତିଲେ ମଧ୍ୟ । କଡା ବିରୋଧୀ ଥିଲେ ମଧ୍ୟ ସମସ୍ତଙ୍କୁ ମାତ ଦେଇ ବିଜେପିର ମୁଖିଆ ଭାବେ ଜୟଯୁକ୍ତ ହେଲେ। ଏହାପରେ ସେ ଧାମନଗର ନିର୍ବାଚନ ମଣ୍ଡଳିରୁ ବିଧାୟକ ପଦ ପାଇଁ ଛିଡା ହେଲେ ଆଉ ଜିତିଲେ । ୨୦୦୬ ରେ କାଜୁ ନିଗମର ଅଧ୍ୟକ୍ଷ ହୋଇଥିଲେ। ଆରଏସଏସର ଦକ୍ଷ ସଂଗଠକ ଥିବା ବିଷ୍ଣୁ ସେଠୀ ୨୦୧୯ରେ ଧାମନଗର ଆସନରୁ ବିରୋଧୀ ପ୍ରାର୍ଥୀଙ୍କୁ ହରାଇ ବାଜିମାତ୍ କରିଥିଲେ। ତାଙ୍କର ଦକ୍ଷତା ପାଇଁ ତାଙ୍କୁ ବିରୋଧୀ ଦଳ ଉପନେତା ଭାବେ ମଧ୍ୟ ଦାଇତ୍ୱ ଦିଆଯାଇଥିଲା ।

ଅସୁସ୍ଥତା ସହ ରାଜନୀତି: ୨୪ ବର୍ଷ ଧରି ମଧୁମେୟ ରୋଗରେ ପୀଡିତ ଥିବା ଶ୍ରୀ ସେଠୀ କଥା କଥାରେ ରାଗି ଯାଆନ୍ତି । ଏହି କଥାକୁ ସେ ସ୍ୱୟଂ ସ୍ୱୀକାର ମଧ୍ୟ କରିଛନ୍ତି । ଏହା ସହିତ ସେ ଦିନକୁ ୨୬ ଟି କ୍ୟାପସୁଲ ଆଉ ୩ଟି ଇନସୁଲିନ ମଧ୍ୟ ନେଉଥିଲେ । ଏତେ ସବୁ ଶାରୀରିକ ଅସୁସ୍ଥତା ଦେଇ ଗତିକରୁଥିଲେ ମଧ୍ୟ ରାଜ୍ୟବାସୀଙ୍କ ସ୍ୱାର୍ଥ ଏବଂ ହକ ପାଇଁ ସେ ସର୍ବଦା ଗର୍ଜ୍ଜନ କରନ୍ତି । ଆଇନ ବ୍ୟବସ୍ଥା ଠାରୁ ଆରମ୍ଭ କରି ଖାଦ୍ୟ ଏବଂ ଜଳସୁରକ୍ଷା ପ୍ରତ୍ୟଟି କ୍ଷେତ୍ରରେ ସେ ତାଙ୍କର ପକ୍ଷ ଉପସ୍ଥାପନା କରନ୍ତି । ତାଙ୍କର ଶାଣିତ ସ୍ୱର ପାଇଁ ତାଙ୍କୁ ଜଣେ ମୁଖ୍ୟ ଉପସ୍ଥାପକ ବୋଲି ମଧ୍ୟ ବିବେଚନା କରାଯାଏ ।

ବ୍ୟକ୍ତିଗତ ଜୀବନ:
ବାସ୍ତବରେ ଜଣେ ମଜାଳିଆ ନେତା ଥିଲେ ବିଷ୍ଣୁ ସେଠୀ । ସେ ପ୍ରେମ ବିବାହ କରିଥିଲେ । ସାମ୍ବାଦିକତା କରୁଥିବା ବେଳେ ପ୍ରେମ ସମ୍ପର୍କ ଗଢ଼ିଥିବା ଶ୍ରୀ ସେଠୀ ବିବାହ କରିବା ପାଇଁ ତାଙ୍କ ପ୍ରେମୀକାଙ୍କୁ ଘରୁ ଉଠାଇ ଆଣିଥିଲେ । ତେବେ ଆଜି ତାଙ୍କ ବିୟୋଗରେ ଏକା ହୋଇଗଲେ ତାଙ୍କର ଜୀବନ ସାଥୀ । କିଛି ଦିନ ତଳେ ଏମ୍ସରୁ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଘୂରିବୁଲୁଥିଲା । ଯେଉଁଥିରେ ତାଙ୍କ ପତ୍ନୀ ତାଙ୍କ ପାଖରେ ହାତ ଧରି ବସିଥିଲେ ।  ଆଜି ତାଙ୍କ ସହଧର୍ମଣୀଙ୍କ ହାତ ଛାଡି ସବୁ ଦିନ ପାଇଁ ଆର ପାରିକୁ ଚାଲି ଯାଇଛନ୍ତି ବିଷ୍ଣୁ ସେଠୀ ।

ତେବେ ଆଜି ତାଙ୍କର ଦେହାନ୍ତ ହୋଇଥିବା ବେଳେ ରାଜନୀତି ମୈଦାନରେ ଯେପରି ଶୋକର ମରୁଡି ସହ ଦୁଃଖର ବନ୍ୟା ସୃଷ୍ଟି ହୋଇଛି । ଆଜି ସାରା ଓଡିଶା ଏକ ପାରଙ୍ଗମ୍ୟ ରାଜନେତା ବାଦ ଜଣେ ସର୍ଚ୍ଚୋଟ ବ୍ୟକ୍ତି ବିଶେଷକୁ ହରାଇଛି । ତାଙ୍କର ସ୍ଥାନ ଆଉ କେହି ପୂରା କରିପାରିବେ ନାହିଁ ଆଉ ବିଧାନସଭା ରେ ସରକାରଙ୍କୁ ପ୍ରଶ୍ନ କଲା ଭଳି ଏଭଳି ନେତା ହୁଏତ ଆଉ କମ ମିଳିବେ । ଭଗବାନ ତାଙ୍କର ଆତ୍ମାକୁ ସଦଗତି ପ୍ରଦାନ କରନ୍ତୁ ଏତିକି ପ୍ରାର୍ଥନା ।

Get real time updates directly on you device, subscribe now.