fbpx

କନିଷ୍ଠ ଶିକ୍ଷକ ପରୀକ୍ଷାର ରେଜଲ୍ଟ ଘୋଷଣା କଲା OSEPA: ଛାତ୍ରଛାତ୍ରୀମାନେ ଶୀଘ୍ର ଚେକ୍ କରନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତବର୍ଷ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେଥିପାଇଁ ସେପ୍ଟେମ୍ବର ମାସ ୧୩ରୁ ଅକ୍ଟୋବର ମାସ ୧୦ ତାରିଖ ପର୍ଯ୍ୟନ୍ତ ଅନଲାଇନ ଆବେଦନ ପ୍ରକ୍ରିୟା ଚାଲିଥିଲା । ଏହାପରେ ନଭେମ୍ବର ମାସ ୧୭ ତାରିଖରେ ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେଇଥିଲେ ।

ତେବେ ଏହା ମଧ୍ୟରେ କନିଷ୍ଠ ଶିକ୍ଷକ (ସ୍କିମେଟିକ) – ୨୦୨୩ର ଫଳାଫଳ ଘୋଷଣା କରାଯାଇଛି । ଏହି ପରୀକ୍ଷା ଦେଇଥିବା ପ୍ରାର୍ଥୀମାନେ ଓସେପା ୱେବସାଇଟକୁ ଯାଇ ସେମାନଙ୍କର ରେଜଲ୍ଟ ଚେକ୍ କରିପାରିବେ । ଆପ୍ଲିକେସନ ନମ୍ବର କିମ୍ବା ରୋଲ ନମ୍ବର ଦେଇ ପ୍ରାର୍ଥୀମାନେ ନିଜ ନିଜର ରେଜଲ୍ଟ ଜାଣି ପାରିବେ । ମୋଟ ୨୦ ହଜାର ଯୋଗ୍ୟ ପ୍ରାର୍ଥୀଙ୍କୁ ରାଜ୍ୟର ବିଭିନ୍ନ ସ୍କୁଲରେ ନିଯୁକ୍ତି ଦିଆଯିବ ।

କଳା, ବିଜ୍ଞାନ, ତେଲୁଗୁ, ଊର୍ଦ୍ଦୁ ଓ ବଙ୍ଗଳା ଶିକ୍ଷକ ପଦରେ ମୋଟ ୧୮ ହଜାର ୭୮୮ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ବିଭିନ୍ନ ବର୍ଗ ପାଇଁ ସଂରକ୍ଷିତ ସିଟ୍ ପୂରଣ ହୋଇନଥିବାରୁ ସେହି ସବୁ ପଦ ଖାଲି ରହିଥିବା କୁହାଯାଇଛି । ୯ ହଜାର ୯୮୨ ଜଣ ପ୍ରାର୍ଥୀ ପ୍ରଥମରୁ ପଞ୍ଚ ଶ୍ରେଣୀ ପର୍ଯ୍ୟନ୍ତ କନିଷ୍ଠ ଶିକ୍ଷକ ପଦ ପାଇଁ କୃତକାର୍ଯ୍ୟ ହୋଇଛନ୍ତି । ସେହିପରି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଶିକ୍ଷକ ପାଇଁ ମୋଟ ୮ ହଜାର ୮୦୬ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଏହି ସମସ୍ତ ପଦ ପୂରଣ ପାଇଁ ଆସନ୍ତା ୧୭ ତାରିଖରୁ ଡକ୍ୟୁମେଣ୍ଟ ଯାଞ୍ଚ ଆରମ୍ଭ ହେବ । ୭ ଦିନ ମଧ୍ୟରେ ଏହି ସମସ୍ତ ପ୍ରକ୍ରିୟା ସରିବା ପରେ ପରେ ଚଳିତ ମାସ ଶେଷ ସୁଦ୍ଧା କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ ନେଇ ଲକ୍ଷ୍ୟ ରଖାଯାଇଛି ।

Get real time updates directly on you device, subscribe now.