ଶପଥ ନେବେ ସୁପ୍ରିମକୋର୍ଟର 3 ନୂଆ ବିଚାରପତି, ଶପଥ ପାଠ କରାଇବେ ପ୍ରଧାନ ବିଚାରପତି

ଆଜି ଶପଥ ନେବେ ସୁପ୍ରିମକୋର୍ଟର ୩ ଜଣ ନୂଆ ବିଚାରପତି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ବି.ଆର. ଗବାଇ ଆଜି ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ । ଏହାଦ୍ବାରା ସୁପ୍ରିମକୋର୍ଟରେ ନିର୍ଦ୍ଧାରିତ ପୂର୍ଣ୍ଣ ସଦସ୍ୟ 34 ଜଣ ହୋଇଛନ୍ତି ।

ନୁଆଦିଲ୍ଲୀ: ଆଜି ଶପଥ ନେବେ ସୁପ୍ରିମକୋର୍ଟର ୩ ଜଣ ନୂଆ ବିଚାରପତି । କେନ୍ଦ୍ର ସରକାର ଗୁରୁବାର ତିନି ଜଣ ହାଇକୋର୍ଟର ବିଚାରପତିଙ୍କୁ ସୁପ୍ରିମକୋର୍ଟରେ ନିଯୁକ୍ତି ଦେବା ପାଇଁ ଏକ ବିଜ୍ଞପ୍ତି ଜାରି କରିଥିଲେ। ଏହି ତିନି ଜଣ ବିଚାରପତି ଶୁକ୍ରବାର ଅର୍ଥାତ୍ 30 ମେ’ ମାନେ ଆଜି ଶପଥ ନେବେ। ନିଯୁକ୍ତ ବିଚାରପତିଙ୍କ ମଧ୍ୟରେ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଏନ.ଭି. ଅଞ୍ଜାରିଆ, ଗୌହାଟି ହାଇକୋର୍ଟର ମୁଖ୍ୟ ବିଚାରପତି ବିଜୟ ବିଷ୍ଣୋଇ ଏବଂ ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏ.ଏସ୍. ଚନ୍ଦୁରକର ଅଛନ୍ତି।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ବି.ଆର. ଗବାଇ ଆଜି ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ । ସର୍ବୋଚ୍ଚ ନ୍ୟାୟାଳୟରେ 3 ନୂଆ ବିଚାରପତିଙ୍କ ନିଯୁକ୍ତିକୁ ଗୁରୁବାର ମଞ୍ଜୁର କରିଥିଲେ କେନ୍ଦ୍ର ସରକାର । କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘାୱାଲ ଏନେଇ ‘ଏକ୍ସ’ରେ ପୋଷ୍ଟ କରିଥିଲେ । ଏହାଦ୍ବାରା ସୁପ୍ରିମକୋର୍ଟରେ ନିର୍ଦ୍ଧାରିତ ପୂର୍ଣ୍ଣ ସଦସ୍ୟ 34 ଜଣ ହୋଇଛନ୍ତି । ନୂତନ ବିଚାରପତିମାନେ ସୁପ୍ରିମକୋର୍ଟର ଖାଲି ପଦବୀ ପୂରଣ କରିବେ ।

ବିଚାରପତି ଏନ.ଭି. ଅଞ୍ଜାରିଆ କିଏ?

ବିଚାରପତି ଏନ.ଭି. ଅଞ୍ଜାରିଆ 25 ଫେବୃଆରୀ 2024 ରେ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଶପଥ ଗ୍ରହଣ କରିଥିଲେ। ତାଙ୍କର ଜନ୍ମ 23 ମାର୍ଚ୍ଚ 1965 ରେ ଅହମ୍ମଦାବାଦରେ ହୋଇଥିଲା। ସେ 1989 ମସିହାରେ ଅହମ୍ମଦାବାଦର ୟୁନିଭର୍ସିଟି ସ୍କୁଲ ଅଫ୍ ଲ’ରୁ ଆଇନରେ ମାଷ୍ଟର୍ସ (ଏଲଏଲ.ଏମ.) ଡିଗ୍ରୀ ହାସଲ କରିଥିଲେ। ଜଷ୍ଟିସ୍ ଅଞ୍ଜାରିଆ ଅଗଷ୍ଟ 1988 ମସିହାରେ ଗୁଜରାଟ ହାଇକୋର୍ଟରେ ଆଇନ ଅଭ୍ୟାସ ଆରମ୍ଭ କରିଥିଲେ ଏବଂ 21 ନଭେମ୍ବର 2011 ମସିହାରେ ଗୁଜରାଟ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ। ତାଙ୍କୁ 6 ସେପ୍ଟେମ୍ବର 2013 ମସିହାରେ ସ୍ଥାୟୀ ବିଚାରପତି କରାଯାଇଥିଲା। ତାଙ୍କର ସାମ୍ବିଧାନିକ ପ୍ରସଙ୍ଗ, ସିଭିଲ ମାମଲା, ଶ୍ରମ ଆଇନ ଏବଂ ସେବା ସମ୍ବନ୍ଧୀୟ ମାମଲାରେ ଗଭୀର ଅଭିଜ୍ଞତା ରହିଛି।

ବିଚାରପତି ଜଷ୍ଟିସ ବିଜୟ ବିଷ୍ଣୋଇ

ବିଚାରପତି ବିଜୟ ବିଷ୍ଣୋଇ 5 ଫେବୃଆରୀ 2024ରେ ଗୌହାଟି ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଶପଥ ଗ୍ରହଣ କରିଥିଲେ। ସେ 8 ଜାନୁଆରୀ 2013ରେ ରାଜସ୍ଥାନ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ 7 ଜାନୁଆରୀ 2015ରେ ସ୍ଥାୟୀ ବିଚାରପତି ହୋଇଥିଲେ।

ବିଚାରପତି ଏ. ଏସ୍. ଚାନ୍ଦୁରକର

ବିଚାରପତି ଏ. ଏସ୍. ଚାନ୍ଦୁରକରଙ୍କ ଜନ୍ମ 7 ଏପ୍ରିଲ 1965ରେ ହୋଇଥିଲା। ସେ 21 ଜୁଲାଇ 1988ରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ ଏବଂ 1992ରେ ନାଗପୁରକୁ ସ୍ଥାନାନ୍ତରିତ ହୋଇଥିଲେ। ଜଷ୍ଟିସ ଚାନ୍ଦୁରକରଙ୍କୁ 21 ଜୁନ 2013ରେ ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା।