ନୂଆଦିଲ୍ଲୀ- ଆପ ଛାଡିବାର ଦିନକ ପରେ ଦଳର ବରିଷ୍ଠ ସଦସ୍ୟ ତଥା ଦିଲ୍ଲୀର ପୂର୍ବତନ ଟ୍ରାନ୍ସପୋର୍ଟ ମନ୍ତ୍ରୀ କୈଳାସ ଗେହଲଟ ସୋମବାର ବିଜେପିରେ ସାମିଲ ହୋଇଛନ୍ତି । କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ଖଟ୍ଟର, ଦିଲ୍ଲୀ ବିଜେପି ନିର୍ବାଚନ ଅଧିକାରୀ ବୈଜୟନ୍ତ ପଣ୍ଡା, ଜାତୀୟ ସାଧାରଣ ସମ୍ପାଦକ ଦୁଶ୍ୟନ୍ତ ଗୌତମ ପ୍ରମୁଖଙ୍କ ଉପସ୍ଥିତିରେ ଗେହଲଟ ପଦ୍ମ ଧରିଛନ୍ତି । ଏହି ଅବସରରେ ତାଙ୍କୁ ଦଳ ତରଫରୁ ଭବ୍ୟ ସ୍ୱାଗତ କରାଯାଇଛି ।
ଗେହଲଟ ଆପ ସରକାରରେ ପରିବହନ, ଡବ୍ଲୁସିଡି, ଗୃହ, ପ୍ରଶାସନିକ ପୁନର୍ବିନ୍ୟାଶ ଓ ଆଇଟି ପରି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱରେ ରହିଥିଲେ । ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପିରେ ସାମିଲ ହୋଇଛନ୍ତି । ସେ ବିଜେପିରୁ ତାଙ୍କ ଆସନ ନଜଫଗଡରୁ ନିର୍ବାଚନ ଲଢିବେ ବୋଲି ସୂତ୍ର ତରଫରୁ ଜଣାପଡିଛି । ଗତକାଲି ସେ ଆପରୁ ଇସ୍ତଫା ଦେଇଥିଲେ । ସେ ଦଳ ଛାଡିବା ପରେ ଅଭିଯୋଗ କରିଥିଲେ କି, ଆପ ଲୋକଙ୍କ ପାଇଁ କାମ କରିବା ବଦଳରେ କେନ୍ଦ୍ର ସରକାର ସହ ଟକ୍କଟ ଦେବାରେ ବ୍ୟସ୍ତ ରହିଛି । ରାଜନୈତିକ ଅଜେଣ୍ଡା, ବିବାଦ ଓ ମୁଖ୍ୟମନ୍ତ୍ରୀ ଆବାସ ମରାମତିକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତି ତାଙ୍କୁ ଦଳ ଛାଡିବାକୁ ବାଧ୍ୟ କରିଥିବା ସେ କହିଥିଲେ ।
ନଜଫଗଡର ମିତ୍ରାଓଁ ଗାଁରେ ଜନ୍ମିତ କୈଳାସ ଆପ ଟିକେଟରୁ ତାଙ୍କ ଆସନରୁ ଲଢିଥିଲେ ଓ ୫୫,୫୯୮ ଭୋଟରେ ବିଜୟୀ ହୋଇଥିଲେ । ସେ ଓକିଲାତିରୁ ରାଜନୀତିରେ ପ୍ରବେଶକରିଥିଲେ । ଏକ କୃଷକ ପରିବାରରୁ ଆସିଥିବା ଗେହଲଟ କୃଷକଙ୍କ ସ୍ୱାର୍ଥ ପାଇଁ ଅନେକ ନ୍ୟାୟିକ ଲଢେଇ ଲଢି ଲୋକପ୍ରିୟତା ହାସଲ କରିଥିଲେ ।
ଏଠାରେ କହି ରଖୁଛୁ କି, କୈଳାସ ହେଉଛନ୍ତି ଆପ ଛାଡି ବିଜେପିରେ ସାମିଲ ହୋଇଥିବା ୪ର୍ଥ ନେତା । ତାଙ୍କ ପୂର୍ବରୁ ହରସରନ ସିଂ, ଗୁରୁମିତ ସିଂ ବାଲି, ରାମନାରାୟଣ ଭରଦ୍ୱାଜ ଆପ ଛାଡି ବିଜେପିରେ ଯୋଗ ଦେଇସାରିଛନ୍ତି ।