ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ କଂଗ୍ରେସର କହ୍ନେୟା କୁମାରଙ୍କୁ ଦିଲ୍ଲୀର ଉତ୍ତର ପୂର୍ବ ଆସନରୁ ପ୍ରାର୍ଥୀ କରାଯାଇପାରେ । ମିଳିଥିବା ସୂତ୍ର ଅନୁଯାୟୀ, ତାଙ୍କ ନାମରେ ଶେଷ ମୋହର ଆଜି ହେବାକୁ ଥିବା କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ସମିତିର ବୈଠକରେ ଲାଗିପାରେ ।
ଉତ୍ତର-ପୂର୍ବ ସିଟରେ ଯଦି କହ୍ନେୟାଙ୍କୁ ଟିକେଟ ମିଳେ ତେବେ ତାଙ୍କ ମୁକାବିଲା ବିଜେପି ପ୍ରାର୍ଥୀ ମନୋଜ ତିୱାରୀଙ୍କ ସହ ହେବ । ମନୋଜ ତିୱାରୀ ୨୦୧୪ ଏବଂ ୨୦୧୯ର ନିର୍ବାଚନରେ ଏହି ଆସନରୁ ଜିତିସାରିଛନ୍ତି । ୨୦୧୯ର ଲୋକସଭା ନିର୍ବାଚନରେ ଲେଫ୍ଟର ଟିକେଟରେ କହ୍ନେୟା କୁମାର ବିହାରର ବେଗୁସରାୟ ଆସନରୁ ନିର୍ବାଚନରେ ଲଢିଥିଲେ । ତାଙ୍କୁ ବିଜେପିର ବରିଷ୍ଠ ନେତା ଏବଂ କେନ୍ଦ୍ରୀୟ ମନ୍ତ୍ରୀ ଗିରିରାଜ ସିଂହଙ୍କ ଠାରୁ ହାରିବାକୁ ପଡିଥିଲା ।
କହ୍ନେୟା କୁମାର ସେପ୍ଟେମ୍ବର ୨୦୨୧ରେ ଲେଫ୍ଟ ଛାଡି କଂଗ୍ରେସରେ ସାମିଲ ହୋଇଥିଲେ । ଏହା ପରେ ସେ ଲଗାତାର ସାର୍ବଜନୀନ ଭାବେ କଂଗ୍ରେସର ସପକ୍ଷରେ କହୁଥିବାର ନଜର ଆସିଛନ୍ତି । ଆଜି କଂଗ୍ରେସର ଘୋଷଣାପତ୍ର ଜାରି ହେବା ପରେ କହ୍ନେୟା କୁମାର କହିଛନ୍ତି ଯେ, ଆମେ ୧୪୦ କୋଟି ଜନତାଙ୍କୁ ଅଭିନନ୍ଦନ ଜଣାଉଛୁ ଯେ, ସେହି ନ୍ୟାୟର ସ୍ୱରକୁ କଂଗ୍ରେସ ସଂକଳ୍ପ ରୂପେ ନେଇଛି । ସେଥିପାଇଁ କଂଗ୍ରେସର ଘୋଷଣାପତ୍ରକୁ ନ୍ୟାୟ ପତ୍ରର ନାମ ଦିଆଯାଇଛି ।
ସେପ୍ଟେମ୍ବର ୨୦୧୫ରେ କହ୍ନେୟା ଜବାହାରଲାଲ ନେହେରୁ ୟୁନିର୍ଭସିଟି ଛାତ୍ରସଂଘର ଅଧ୍ୟକ୍ଷ କରିଛନ୍ତି । ସେତେବେଳେ ସେ ନିଜ ଭାଷଣକୁ ନେଇ ଚର୍ଚ୍ଚାରେ ଆସିଥିଲେ ।