ଓଡିଶା ଭାସ୍କର; ରାଉରକେଲା ପରେ ଚିନ୍ତା ବଢ଼ାଇଛି କଣ୍ଟାବାଞ୍ଜି। କାରଣ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ଦେଖାଦେଇଛି ଝାଡ଼ାବାନ୍ତି ଆତଙ୍କ। ଝାଡାବାନ୍ତିରେ ୨ ଜଣଙ୍କ ମୃତ୍ୟୁ ନେଇ ବଲାଙ୍ଗିର ସିଡିଏମଓଙ୍କ ପକ୍ଷରୁ ସୂଚନା ମିଳିଛି। ତେବେ ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ୨ ମୃତକ ମଧ୍ୟରୁ ଜଣେ ଟିଟିଲାଗଡ଼ ବ୍ଲକ ପୁଡାପଦର ଗାଁର ଚାନ୍ଦିନୀ ସାହୁ ଏବଂ ଅନ୍ୟ ଜଣଙ୍କ ମୁରିବାହାଲ ବ୍ଲକ ମାଲିବାହାଲ ଗାଁର ସନ୍ତୋଷ ମାଝୀ । ଗତକାଲି କଣ୍ଟାବାଞ୍ଜି ନିକଟସ୍ଥ ବିଭିନ୍ନ ଗାଁର ୬ ଜଣ ରୋଗୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ଆଜି ସକାଳୁ ଏହି ୨ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପଟେ ଆଉ ୨ ଜଣ ଚିକିତ୍ସାଧୀନ ଥିବା ବେଳେ ବାକି ୨ ଜଣ ସୁସ୍ଥ ହୋଇ ଘରୁ ଯାଇଥିବା ଜଣାପଡ଼ିଛି।
ତେବେ କଣ୍ଟାବାଞ୍ଜିରେ ବ୍ୟାପିଥିବା ଡାଇରିଆ ସଂପର୍କରେ ସ୍ୱାସ୍ଥ୍ୟ ନିର୍ଦେଶକ କହିଛନ୍ତି, କଣ୍ଟାବାଞ୍ଜିରେ ୬ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଖବର ପାଇଛୁ। ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଟିମ୍ ଘଟଣାସ୍ଥଳକୁ ଯାଇଛି। ସେମାନେ ଆସିଲେ, ଯାହା ରିପୋର୍ଟ ଆସିବ। ଏଠାରେ କହି ରଖୁଛୁ ଯେ, ରାଉରକେଲାରେ ଝାଡ଼ାବାନ୍ତିରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪୦୦ରୁ ଅଧିକ ଆକ୍ରାନ୍ତ ହୋଇ ବିଭିନ୍ନ ମେଡ଼ିକାଲ୍ ଓ ଘରୋଇ ଚିକିତ୍ସାଧୀନ ରହିଛନ୍ତି।