fbpx

ବିଲରୁ ଚୋରୀ ହେଲା ୨.୫ ଲକ୍ଷ ଟଙ୍କାର ଟମାଟୋ, ଥାନାର ଦ୍ୱାରସ୍ଥ ହେଲେ ମହିଳା

Advertisement

ବାଙ୍ଗାଲୁର: ଏବେ ଦେଶରେ ଟମାଟୋ ମୂଲ୍ୟ ଆକାଶ ଛୁଆଁ ହୋଇଛି । ଗତ କିଛି ଦିନ ହେବ ଟମାଟୋର ଚଢା ମୂଲ୍ୟ ଯୋଗୁ ଲାଭଖୋର ବେପାରୀମାନେ ବି ଏହାର କଳାବଜାରୀ କରିବା ଆରମ୍ଭ କରି ଦେଇଛନ୍ତି । ଦାମ୍ ଚଢା ରହିଥିବାରୁ ଲୋକମାନେ ଟମାଟୋ କିଣିବା ବି କମ୍ କରି ଦେଇଛନ୍ତି । ମାର୍କେଟରେ ଏବେ ଟମାଟୋ କିଲୋ ପ୍ରତି ଦାମ୍ ୧୨୦ରୁ ୧୫୦ ମଧ୍ୟରେ ରହିଛି । ତେବେ ଟମାଟୋର ଏହି ଉଚ୍ଚା ଦର କାରଣରୁ ଏହାର କଳାବଜାରୀ ସହିତ ଏବେ କ୍ଷେତରୁ ଟମାଟୋ ଚୋରୀ ମାମଲା ବି ସାମ୍ନାକୁ ଆସିଲାଣି । କର୍ଣ୍ଣାଟକର ହାସନ ଜିଲ୍ଲାରୁ ଏହିପରି ଏକ ଖବର ସାମ୍ନାକୁ ଆସିଛି । ଏଠିକାର ଜଣେ କୃଷକଙ୍କ କ୍ଷେତରୁ ଟମାଟୋ ଚୋରି ହୋଇଛି ।

ମିଳିଥିବା ଏକ ସୂଚନା ଅନୁଯାୟୀ କର୍ଣ୍ଣାଟକ ହାସନ ଜିଲ୍ଲା ହଲେବିଡୁ ଥାନା ଅନ୍ତର୍ଗତ ଜଣେ ମହିଳା କୃଷକ ଅଭିଯୋଗ କରିଛନ୍ତି ଯେ, ଗତ ୪ ଜୁଲାଇ ରାତିରେ ତାଙ୍କ ବିଲରୁ ୨.୫ ଲକ୍ଷ ଟଙ୍କାର ଟମାଟୋ ଚୋରି ହୋଇଯାଇଛି । ଏହି ମହିଳା କୃଷକ କହିଛନ୍ତି ସେ ୨ ଏକର ଜମିରେ ଟମାଟୋ ଲଗାଇଥିଲେ ଓ ଫସଲ ଅମଳ କରିବାର ସମୟ ବି ହୋଇ ଯାଇଥିଲା । ସେ ଏହାକୁ ବଜାର ନେଇଯିବାକୁ ଯୋଜନା ବି କରି ସାରିଥିଲେ ।

ମହିଳା କହିଛନ୍ତି ବାଙ୍ଗାଲୁରରେ ଟମାଟୋ କିଲୋ ପ୍ରତି ୧୨୦ ଟଙ୍କା ମୂଲ୍ୟରେ ବିକ୍ରୀ ହେଉଛି । ଏପରି ସ୍ଥିତିରେ ସେ ଫସଲକୁ ତୋଳି ବଜାରକୁ ନେବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରି ଦେଇଥିଲେ । ସେ ଋଣ କରି ଟମାଟୋ ଚାଷ କରିଥିଲେ ବୋଲି କହିଛନ୍ତି । ଏଥର ତାଙ୍କର ଟମାଟୋ ଫସଲ ଭଲ ହୋଇଥିଲା ଓ ମାର୍କେଟ୍ରେ ଦର ଉଚ୍ଚା ଥିବାରୁ ସେ ଏହା ବିକି ଭଲ ଦି ପଇସା ରୋଜଗାର କରିବେ ଓ ଋଣ ପରିଶୋଧ କରିବେ ବୋଲି ଆଶା ରଖିଥିଲେ । କିନ୍ତୁ ଚୋର ତାଙ୍କ କ୍ଷେତରୁ ସବୁ ଟମାଟୋ ଚୋରୀ କରି ନେଇଥିବାରୁ ଏବେ ସେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ସେ କହିଛନ୍ତି ଚୋର ପ୍ରାୟ ୫୦ରୁ ୬୦ ଟୋକେଇ ଟମାଟୋ ଚୋରୀ କରି ନେଇଯିବା ସହ ବାକି ଫସଲ ନଷ୍ଟ କରିଦେଇ ଯାଇଛି । ଏହି ମାମଲାରେ ହଲେବୀଡୁ ଥାନାରେ ମାମଲା ଦାୟର କରାଯାଇଛି । ଏବେ ପୋଲିସ ଏହି ଘଟଣାର ଯାଞ୍ଚ ଆରମ୍ଭ କରି ଦେଇଛି ।

Get real time updates directly on you device, subscribe now.