କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସୟ, ଏବଂ ଜିଲ୍ଲାପାଳ କୋଟା ରେ ଆଡମିଶନକୁ ବନ୍ଦ କରିବା ନିଷ୍ପତିକୁ ନେଇ ରାଜ୍ୟରେ ରାଜନୀତି ଆରମ୍ଭ ହୋଇଯାଇଛି । ଶାସକ ବିଜେଡି ଏବଂ କଂଗ୍ରେସ ଏହି ନିଷ୍ପତିକୁ ବିରୋଧ କରିଛନ୍ତି । ଏହି କୋଟା ମାଧ୍ୟମରେ ପ୍ରତ୍ୟେକ ସାଂସଦ ୧୦ ଜଣ ଛାତ୍ରଛାତ୍ରୀଙ୍କୁ ଆଡମିଶନ କରିବାକୁ ସୁପାରିସ କରିପାରୁଥିଲେ ।
କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏହି ନଷ୍ପତ୍ତିକୁ ଶିଘ୍ର ପରିବର୍ତ୍ତନ କରି ପୁଣି କୋଟା ବ୍ୟବସ୍ଥା ଲାଗୁ କରିବାକୁ କହିଛନ୍ତି । ଏହି କୋଟାକୁ ଏକପାଖିଆ ଭାବରେ ବନ୍ଦ କରିବା ଠିକ୍ ନୁିହେଁ । ଏହି ନିଷ୍ପତ୍ତି ଦ୍ୱାରା ଦେଶର ଅନେକ ପଛୁଆ, ଗରିବଙ୍କ ଉପରେ ଅନ୍ୟାୟ ହୋଇଛି ବୋଲି ସେ କହିଛନ୍ତି ।
ସେ ଏହା ମଧ୍ୟ କହିଛନ୍ତି ଯେ ନୂତନ ଭାବରେ ଶିକ୍ଷା ମନ୍ତ୍ରଳାୟ ଦାୟିତ୍ୱ ନେଇଥିବା ଧର୍ମ୍ରେନ୍ଦଙ୍କୁ ଆଗରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତି କାରଣରୁ ପୂରା ଦେଶର ଲୋକେ ଧର୍ମେନ୍ଦ୍ରଙ୍କୁ ନିନ୍ଦା କରୁଛନ୍ତି ବୋଲି ସେ କହିଛନ୍ତି । ତେଣୁ ଏହି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ, ଏବଂ ଏହାର ସୂଯୋଗ ଗରିବ ଶ୍ରେଣିର ଲୋକମାନଙ୍କୁ ମିଳୁ ବୋଲି ସେ କହିଛନ୍ତି ।
ସେହିଭଳି ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାଁ କହିଛନ୍ତି ଯେଉଁମାନେ ସେମାନଙ୍କ ପିଲାଙ୍କୁ ଶିକ୍ଷା ଦେବାକୁ ସକ୍ଷମ ନୁହନ୍ତି ଏହି କୋଟା ମାଧ୍ୟମରେ ଆମେ ଅତି କମରେ ସେହିଭଳି ୧୦ ଜଣ ପିଲାଙ୍କୁ ସାହାଯ୍ୟ କରିପାରିବୁ । ତେଣୁ ମୁଁ ଦାୟିତ୍ୱରେ ଥିବା ମନ୍ତ୍ରୀଙ୍କୁ ଏହି ନିଷ୍ପତ୍ତି ନ ନେବାକୁ ଅନୁରୋଧ କରୁିଛି, ଯାହା ଫଳରେ ଗରିବ ପିଲାମାନଙ୍କର ଶିକ୍ଷା ବାଧାପ୍ରାପ୍ତ ହେବ ନାହିଁ ।
ସେପଟେ ଏହି ଅଭିଯୋଗର ଜବାବ ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସେ କହିଛନ୍ତି ଯେ ଏହି ନିଷ୍ପତି ସମାଜର ଆର୍ଥିକ ପଛୁଆ ବର୍ଗର ପିଲାମାନଙ୍କୁ ଉପକୃତ କରିବ ।