ପୋଲିସ ଟେକିନେବା ପରେ ପ୍ରଥମ ଥର ମୁହଁ ଖୋଲିଲେ… କହୁ କହୁ ଖାନ୍ ସାର୍ କହିଦେଲେ ଏତେବଡ଼ କଥା….

ପାଟନା: ପୋଲିସ ଟେକି ନେବା ଘଟଣା ପରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ବିହାର ଜଣାଶୁଣା ଖାନ୍ ସାର୍ । ତାଙ୍କ ମତରେ ପିଲାମାନଙ୍କ ସପୋର୍ଟରେ ସେ ବିକ୍ଷୋଭରେ ସାମିଲ ହୋଇଥିଲେ । ବିପିଏସସି ପରୀକ୍ଷା ନିୟମରେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ପରିବର୍ତ୍ତନକୁ ଛାତ୍ରମାନେ ବିରୋଧ କରିଥିଲେ । ରାସ୍ତାରେ ଧାରଣା ଦେବା ସହ ପ୍ରତିବାଦ ପ୍ରଦର୍ଶନ କରିଥିଲେ । ଛାତ୍ରଛାତ୍ରୀଙ୍କ ସମକ୍ଷରେ ଖାନ୍ ସାର୍ ମଧ୍ୟ ସେଠାରେ ପହଞ୍ଚିଥିଲେ । ଯାହାପାଇଁ ଘଟଣା ସ୍ଥଳରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା । ଯେଉଁ କାରଣରୁ ତାଙ୍କୁ ପୋଲିସ ଉଠେଇ ନେଇଥିଲା ।

ସପ୍ତାହକରୁ ଅଧିକ ଦିନ ଘଟଣାକୁ ବିତିଯାଇଛି । ଉକ୍ତ ଘଟଣାକୁ ନେଇ ବର୍ତ୍ତମାନ ଖାନ୍ ସାର୍ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ସରକାର ନିୟମରେ କରିବାକୁ ଚାହୁଁଥିବା ପରିବର୍ତ୍ତନ ନିଷ୍ପତ୍ତିକୁ ବଦଳାଇବା ଦରକାର । ନଚେତ୍ ପିଲାମାନଙ୍କ ଭବିଷ୍ୟତ ଅନ୍ଧାର ହୋଇଯିବ । ଏଥିସହ ପୋଲିସମାନେ ତାଙ୍କ ସହ କୌଣସି ପ୍ରକାର ର୍ଦୁବ୍ୟବହାର କରି ନ ଥିବା ମଧ୍ୟ କହିଛନ୍ତି । ବିହାର ପବ୍ଲିକ୍ ସର୍ଭିସ କମିଶନ ପରୀକ୍ଷାରେ ପ୍ରତି ଜିଲା ପାଇଁ ଅଲଗା ଅଲଗା ପ୍ରଶ୍ନ ପତ୍ର ତିଆରି କରିବା ପାଇଁ ସରକାର ଖବରକାଗଜରେ ବିଜ୍ଞପ୍ତି ଛାପିଥିଲେ । ଯାହାକୁ ନେଇ ଛାତ୍ରଙ୍କ ମଧ୍ୟରେ ଆନ୍ଦୋଳନ ଦେଖିବାକୁ ମିଳିଥିଲା । ଡିସେମ୍ବର ମାସରେ ପରୀକ୍ଷା ହେବାର ଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏ ନେଇ କୌଣସି ବିଜ୍ଞପ୍ତି ସରକାରଙ୍କ ପକ୍ଷରୁ ବାହାରି ନାହିଁ । ନିଟ୍ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ଯାହାକୁ ରୋକିବା ପାଇଁ ରାଜ୍ୟସରକାର ବିପିଏସସି ପରୀକ୍ଷାରେ ୩୮ ଜିଲା ପାଇଁ ୩୮ ପ୍ରକାର ପ୍ରଶ୍ନପତ୍ର ପ୍ରସ୍ତୁତ କରିବାକୁ କହିଥିଲେ ।

ଆସନ୍ତା ଇଲେକ୍ସନ ଲଢ଼ିବା ବାବଦରେ ଖାନ୍ ସାର୍ ସଫା ସଫା ମନା କରି ଦେଇଛନ୍ତି । ସେ କହିଛନ୍ତି, ପଢ଼ାରୁ ଫୁରସତ ମିଳିପାରୁ ନାହିଁ । ଇଲେକ୍ସନରେ ମିଶିବା ପାଇଁ ମୋ ପାଖରେ ସମୟ ନାହିଁ । ସେମିତିରେ ଦେଢ଼ ମାସ ହେବ ତାଙ୍କ ଦେହ ଖରାପ ବୋଲି ଖାନ୍ ସାର୍ କହିଛନ୍ତି ।