ଖୋଖୋ ବିଶ୍ୱକପ୍: କ୍ୱାର୍ଟରରେ ଭାରତର ପୁରୁଷ ଓ ମହିଳା ଦଳ

ନୂଆଦିଲ୍ଲୀ: ଖୋଖୋ ଫେଡେରେସନ ଅଫ ଇଣ୍ଡିଆ ଆନୁକୂଲ୍ୟରେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡ଼ିୟମରେ ଚାଲିଥିବା ଖୋଖୋ ବିଶ୍ବକପର ପ୍ରଥମ ସଂସ୍କରଣରେ ଭାରତୀୟ ପୁରୁଷ ଓ ମହିଳା ଦଳ କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି। ବୁଧବାର ଗ୍ରୁପ-ଏ ର ଦ୍ବିତୀୟ ମ୍ୟାଚରେ ଭାରତୀୟ ମହିଳା ଦଳ ୮୪ ପଏଣ୍ଟ ୧୦୦-୧୬ରେ ଇରାନକୁ ପରାସ୍ତ କରିଛି।

ଭାରତ ପକ୍ଷରୁ ପ୍ରଥମ ଟର୍ମରେ ଅଶ୍ୱିନ ଓ ମନୁ ଚମତ୍କାର ପ୍ରଦର୍ଶନ କରି ୫୦ ପଏଣ୍ଟ ହାସଲ କରିଥିଲେ। ଅଧିନାୟିକା ପ୍ରିୟଙ୍କା ଇଙ୍ଗଲ ଓ ନିର୍ମଳା ଭାଙ୍ଗି ୬ ଓ ୮ ମିନିଟ୍ ରନିଂ କରିଥିଲେ। ମ୍ୟାଚରେ ଇରାନର ମୋବିନା ଶ୍ରେଷ୍ଠ ଆଟାକର, ମିନୁ ଶ୍ରେଷ୍ଠ ଡିଫେଣ୍ଡର ଓ ପ୍ରିୟଙ୍କା ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଭାରତ ଦୁଇଟି ମ୍ୟାଚରୁ ଦୁଇଟି ବିଜୟ ସହ ୬ ପଏଣ୍ଟ ପାଇ ଗ୍ରୁପର ଶୀର୍ଷରେ ରହି କ୍ୱାର୍ଟର ଫାଇନାଲରେ ପହଞ୍ଚିଛି। ପ୍ରଥମ ମ୍ୟାଚରେ ଭାରତ ୧୫୭ ପଏଣ୍ଟରେ ଦକ୍ଷିଣ କୋରିଆକୁ ପରାସ୍ତ କରିଥିଲା। ଦଳ ଗୁରୁବାର ତୃତୀୟ ମ୍ୟାଚ ମାଲେସିଆ ସହ ଖେଳିବ।

ସେହିପରି ଭାରତୀୟ ପୁରୁଷ ଦଳ କ୍ରମାଗତ ତୃତୀୟ ବିଜୟ ସହ କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି। ବୁଧବାର ଭାରତ ଗ୍ରୁପ-ଏ ର ତୃତୀୟ ମ୍ୟାଚରେ ପେରୁକୁ ୩୨ ପଏଣ୍ଟ ୭୦-୩୮ ରେ ପରାସ୍ତ କରିଛି। ଭାରତ ୩ଟି ମ୍ୟାଚରୁ ୩ଟି ବିଜୟ ସହ ୯ ପଏଣ୍ଟ ପାଇ ଗ୍ରୁପ ଶୀର୍ଷରେ ରହି କ୍ୱାର୍ଟର ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛି। ଭାରତ ପ୍ରଥମ ମ୍ୟାଚରେ ୪୨-୩୭ ପଏଣ୍ଟରେ ନେପାଳକୁ ଓ ଦ୍ଵିତୀୟ ମ୍ୟାଚରେ ଭାରତ ୬୪-୩୪ରେ ବ୍ରାଜିଲକୁ ପରାସ୍ତ କରିଥିଲା। ଦଳ ଗୁରୁବାର ଚତୁର୍ଥ ମ୍ୟାଚ୍ ୧୬ରେ ଭୂଟାନ ସହ ଖେଳିବ।