fbpx

ଦେଶର ସମସ୍ତ ମତ୍ସ୍ୟଜୀବୀଙ୍କୁ ମିଳିବ କିଷାନ କ୍ରେଡିଟ୍‍ କାର୍ଡ: କେନ୍ଦ୍ର ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ସମସ୍ତ ମତ୍ସ୍ୟଜୀବୀଙ୍କୁ କିଷାନ କ୍ରେଡିଟ କାର୍ଡ ପ୍ରଦାନ କରାଯିବ ବୋଲି କେନ୍ଦ୍ର ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ପରଷୋତ୍ତମ ରୂପାଲା କହିଛନ୍ତି । ଭଦ୍ରକ ଜିଲ୍ଲା ଧାମରା ନିକଟ ଚନ୍ଦନିପାଳ ଏବଂ ଧାମରା ମତ୍ସ୍ୟ ପୋତାଶ୍ରୟ ଠାରେ ଆୟୋଜିତ ସାଗର ପରିକ୍ରମା କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀରୂପାଲା ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କ ସହିତ ଆଲୋଚନା କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ରୂପାଲା କହିଛନ୍ତି ଦେଶ ସ୍ୱାଧୀନତା ପରଠାରୁ କେବଳ କୃଷକମାନଙ୍କୁ କିଷାନ କ୍ରେଡିଟ କାର୍ଡ ଦିଆଯାଉଥିଲା । ଦେଶର ସମସ୍ତ ମତ୍ସ୍ୟଜୀବୀଙ୍କ ସୁରକ୍ଷା ଓ ଆର୍ଥିକ ପ୍ରଗତି ଲକ୍ଷ୍ୟରେ କେନ୍ଦ୍ର ସରକାର ସମସ୍ତ ମତ୍ସ୍ୟଜୀବୀଙ୍କୁ କିଷାନ କ୍ରେଡିଟ୍‍ କାର୍ଡ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସ୍ଥାନୀୟ ମତ୍ସ୍ୟଜୀବୀମାନେ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରି ଏହି କିଷାନ କ୍ରେଡିଟ୍‍ କାର୍ଡର ଲାଭ ଉଠାଇବାକୁ ସେ ଆହ୍ୱାନ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ କେତେକ ମତ୍ସ୍ୟଜୀବୀଙ୍କୁ କିଶାନ କ୍ରେଡିଟ୍‍ କାର୍ଡ ବଣ୍ଟନ କରିଥିଲେ । ଧାମରାରେ ଶୁଖୁଆଖଳା ଏବଂ ବତିଘରର ଆନୁସଙ୍ଗିକ ଭିତ୍ତିଭୂମି ନିର୍ମାଣ ପାଇଁ ହୋଇଥିବା ଦାବି ପ୍ରତି ଦୃଷ୍ଟି ଦେବାକୁ ମନ୍ତ୍ରୀ କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ବ୍ୟୋମକେଶ ରାୟ, ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ । ଅପରାହ୍ନରେ କେନ୍ଦ୍ରମନ୍ତ୍ରୀ ଚୂଡ଼ାମଣି ଠାରେ ଆୟୋଜିତ ସାଗର ପରିକ୍ରମା କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ।

ଆସନ୍ତାକାଲି ପୂର୍ବାହ୍ନରେ ସମ୍ବଲପୁର ଗସ୍ତରେ ଯାଇ ମନ୍ତ୍ରୀ ହୀରାକୁଦ ଜଳଭଣ୍ଡାର ମତ୍ସ୍ୟଜୀବୀମାନଙ୍କ ସହିତ ମତବିନିମୟ କରିବା ସହ ଜଳଜୀବ ପାର୍କ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି ।

Get real time updates directly on you device, subscribe now.