ନୂଆଦିଲ୍ଳୀ: ଦୀର୍ଘଦିନର ବ୍ୟବଧାନରେ ଓପନିଂ ସ୍ଲଟକୁ ଫେରିଥିବା କେ ଏଲ୍ ରାହୁଲ ପ୍ରଥମ ଦିନରେ ଶତକ ହାସଲ କରିଛନ୍ତି । ଚମକ୍ରାର ବ୍ୟାଟିଂ ନମୂନା ଦେଖାଇବା ସହିତ ନିଜ ଟେଷ୍ଟ କ୍ୟାରିୟରର ୭ମ ଶତକ ହାସଲ କରିଛନ୍ତି ରାହୁଲ । ଖବର ପ୍ରସ୍ତୁତ ସୁଦ୍ଧା ରାହୁଲ ୧୨୫ ବଲ ଖେଳି ୧୧୦ ରନରେ ବ୍ୟାଟିଂ କରୁଛନ୍ତି । ତାଙ୍କ ଇନିଂସରେ ୧୪ ଚୌକା ଓ ଗୋଟିଏ ଛକା ସାମିଲ ଥିଲା । ରାହୁଲଙ୍କ ଶତକ ବଳରେ ଭାରତ ୭୮ ଓଭର ସୁଦ୍ଧା ୩ ୱିକେଟ ହରାଇ ୨୪୦ ରନ ସଂଗ୍ରହ କରିଛି । ଟସ ଜିତି ଭାରତୀୟ ଅଧିନାୟକ କୋହଲି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଦୁଇ ଓପ୍ନର ମୟଙ୍କ ଓ ରାହୁଲ ଚମକ୍ରାର ବ୍ୟାଟିଂ କରିବା ସହିତ ଶତକୀୟ ଭାଗିଦାରୀ କରିଥିଲେ ।
ମୟଙ୍କ ୧୨୩ ବଲ ଖେଳି ୩ଟି ଚୌକା ସହିତ ୬୦ ରନ କରିଥିଲେ । ତେବେ ଲଗାତାର ବଲରେ ମୟଙ୍କ ଓ ଚେତେଶ୍ୱର ପୂଜାରାଙ୍କୁ ଆଉଟ କରିଥିଲେ ଲୁଙ୍ଗି ଏନଗିଡି । ତେବେ ଅଧିନାୟକ ବିରାଟ କୋହଲିଙ୍କ ସହିତ ମିଶି ଦଳର ରନ ଗତି ଆଗକୁ ବଢାଇଥିଲେ ରାହୁଲ । ଚା ପାନ ବିରତି ପରେ କୋହଲି ଏନଗିଡିଙ୍କ ତୃତୀୟ ଶିକାର ହୋଇଥିଲେ । ତେବେ ଆଜିଙ୍କ୍ୟ ରାହାଣେ କିନ୍ତୁ ପ୍ରଥମ ଥର ପାଇଁ ଲୟରେ ନଜର ଆସିଥିଲେ । ରିପୋର୍ଟ ପ୍ର୍ରସ୍ତୁତ ହେବା ବେଳକୁ ରାହାଣେ ୨୬ ରନରେ ବ୍ୟାଟିଂ କରୁଥିଲେ ।