BBCର ମାଲିକ କିଏ? ଏହି ସଂସ୍ଥା ଫଣ୍ଡ କେଉଁଠୁ ଆଣେ, କେବେ ଆରମ୍ଭ ହୋଇଥିଲା, ମୁଖ୍ୟ କାମ କ’ଣ, ଜାଣନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ନୂଆଦିଲ୍ଲୀ: ସାରା ଦେଶରେ ଗତ କିଛିଦିନ ଧରି ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ (ବିବିସି)କୁ ନେଇ ବିବାଦ ଦେଖାଦେଇଛି । ଏପରିକି ଏହି ଝଡ଼ ଦେଶର ବଡ଼ ବଡ଼ ବିଶ୍ୱବିଦ୍ୟାଳୟରେ ମଧ୍ୟ ଉଗ୍ର ରୂପ ନେଇଥିବା ବେଳେ ବିରୋଧୀ କଂଗ୍ରେସ ଏହାକୁ ନେଇ ବିଜେପି ଉପରେ ଆକ୍ରମଣ କରିବା ଆରମ୍ଭ କରିଦେଇଛି । ଏହା ମଧ୍ୟରେ ଆଜି ବିବିସିର ଦିଲ୍ଲୀ କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଅଫିସରେ ବିଭିନ୍ନ ସାମଗ୍ରୀର ଯାଞ୍ଚ କରାଯିବା ସହ କୌଣସି କର୍ମଚାରୀଙ୍କୁ ବାହାରକୁ ଯିବାକୁ ଅନୁମତି ଦିଆଯାଇ ନଥିଲା ।

ତେବେ ଗୁଜରାଟ ଦଙ୍ଗାକୁ ନେଇ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ ହେବା ପରଠାରୁ ବିବିସିକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଛି । ବିବିସିର ମାଲିକ କିଏ, କେଉଁଠୁ ଫଣ୍ଡିଂ ଆସୁଛି, ଏହି ସଂସ୍ଥା କିପରି କାର୍ଯ୍ୟ କରେ, କିପରି ଏହାର ଆରମ୍ଭ ହୋଇଥିଲା ଏପରି ଅନେକ ପ୍ରଶ୍ନ ସାମ୍ନାକୁ ଆସୁଛି । ଗତ ୧୯୨୨ ମସିହା ଅକ୍ଟୋବର ମାସରେ ବିବିସି ଏକ ପ୍ରାଇଭେଟ ସଂସ୍ଥା ଭାବେ ଜନ୍ମ ନେଇଥିଲା । ପ୍ରଥମେ ଏଥିରେ କେବଳ ବ୍ରିଟିଶ ମେକର୍ସଙ୍କୁ ଶେୟାର ରଖିବାର ଅନୁମତି ରହିଥିଲା । ଇଣ୍ଡଷ୍ଟ୍ରିରେ ନିଜର ସ୍ଥିତି ଜାହିର କରିବା ପାଇଁ ପ୍ରଥମରୁ ବିବିସିକୁ ବହୁତ ସଂଘର୍ଷ କରିବାକୁ ପଡ଼ିଥିଲା । ୧୯୨୬ରେ ହରତାଳ ସମୟରେ ସୃଷ୍ଟି ହୋଇଥିବା ସଂକଟକୁ କଭର କରି ବିବିସି ଲୋକପ୍ରିୟତା ଅର୍ଜନ କରିଥିଲା ।

ବିବିସିର ସଞ୍ଚାଳନ ରୟାଲ ଚାର୍ଟର ଅଧିନରେ ହୋଇଥାଏ । ଏହା ବ୍ରିଟେନ ସରକାରଙ୍କ ଦ୍ୱାରା ଦିଆଯାଇଥିବା ଇନକର୍ପୋରେସନର ଏକ ସାଧନ ଅଟେ । ଏହା ଗୃହ ସଚିବଙ୍କଠାରୁ ଲାଇସେନ୍ସ ପ୍ରାପ୍ତ କରିବା ବାଧ୍ୟତାମୂଳକ ଅଟେ । ଏହି ଚାର୍ଟରକୁ ପ୍ରତି ୧୦ ବର୍ଷରେ ରିନ୍ୟୁ କରିବାକୁ ହୋଇଥାଏ । ରିପୋର୍ଟସ ମୁତାବକ ଚାର୍ଟର ଆସନ୍ତା ୨୦୨୭ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବୈଧ ରହିଛି ।

କମ୍ପାନୀକୁ ବିବିସି ଟ୍ରଷ୍ଟ, ଏହାର କାର୍ଯ୍ୟନିର୍ବାହୀ ବୋର୍ଡ ଓ ସରକାର ଦ୍ୱାରା ଆପ୍ରୁଭଡ ରେଗୁଲେଟରୀ ଅଥରିଟି ରେଗୁଲେଟ କରୁଥିଲା, ଯାହାକୁ କି ଓଫକ୍ୟାମ କୁହାଯାଉଥିଲା । ଗତ ୨୦୧୬ରେ ଏକ ସ୍ୱତନ୍ତ୍ର ସମୀକ୍ଷା ପରେ ଟ୍ରଷ୍ଟରେ କିଛି ତ୍ରୁଟି ଦେଖାଯାଇଥିଲା । କମ୍ପାନୀକୁ ସଞ୍ଚାଳିତ କରିବା ପାଇଁ ସେତେବେଳେ ବିବିସି ବୋର୍ଡର ସ୍ଥାପନ କରାଯାଇଥିଲା । ବର୍ତ୍ତମାନ ସମୟରେ କାର୍ଯ୍ୟକାରୀ ବୋର୍ଡର ଦେଖାଶୁଣା ଓଫକ୍ୟାମ କରୁଛି । ଏକ ରିପୋର୍ଟ ମୁତାବକ, ଟ୍ରଷ୍ଟର କାର୍ଯ୍ୟକାରୀ ମଣ୍ଡଳ ଅଲଗା ରହିଛି, ମହାନିର୍ଦ୍ଦେଶକ ପଦରେ ବସିଥିବା ବ୍ୟକ୍ତି ଏହାକୁ ସଞ୍ଚାଳନ କରୁଛନ୍ତି । ଏହାର ପ୍ରୋଗ୍ରାମ ଓ ଡିଷ୍ଟ୍ରିବ୍ୟୁସନର ଭାର ତାଙ୍କ ହାତରେ ରହିଛି ।

ବିବିସିର ଅଧିକାଂଶ ଫଣ୍ଡିଂ ଆନୁଆଲ ଫିସରୁ ଆସିଥାଏ । ଲାଇଭ ଟେଲିଭିଜନ ପ୍ରସାରଣ ପ୍ରାପ୍ତ କରିବା ବା ରେକର୍ଡ କରିବା ପାଇଁ ବ୍ରିଟିଶ ସଂସ୍ଥାଠାରୁ ଏହି ଫିସ୍ ମିଳିଥାଏ । ଏକ ପତ୍ରିକାରେ ପ୍ରକାଶିତ ତଥ୍ୟ ମୁତାବକ, ବିବିସିକୁ ପାଖାପାଖି ୩୨ ହଜାର କୋଟି ରାଶି ମିଳିବା ପ୍ରକ୍ରିୟା ଜାରି ରହିବ । ଏଥିସହିତ ବିବିସିକୁ ସମାଚାର ସେବା, ୱାର୍ଲ୍ଡ ନ୍ୟୁଜ୍ ଓ ଡିଜିଟାଲ ରିପୋର୍ଟର ଡିଷ୍ଟ୍ରିବ୍ୟୁସନରୁ ମଧ୍ୟ ବହୁତ ଭଲ ଇନକମ୍ ମିଳିଥାଏ ।