ଶିବରାତ୍ରୀରେ କେମିତି ଚଢାଇଲେ ବେଲପତ୍ର ପ୍ରଭୁ ହେବେ ପ୍ରସନ୍ନ, ଜାଣନ୍ତୁ

ଶିବଲିଙ୍ଗ ଉପରେ ବେଲପତ୍ର ଚଢାଇବାର ନିୟମ, ଜାଣନ୍ତୁ

ଓଡ଼ିଶା ଭାସ୍କର: ସମୁଦ୍ର ମନ୍ଥନ ପରେ ବିଷ ସମଗ୍ର ସୃଷ୍ଟିକୁ ନଷ୍ଟ କରିବାକୁ ବସିଥିଲା। ଦେବତାମାନେ ଚିନ୍ତିତ ହୋଇ ଭଗବାନ ବିଷ୍ଣୁଙ୍କ ଶରଣାପନ୍ନ ହେଲେ। ନାରାୟଣ ନିଜର ଇଷ୍ଟ ଦେବ ସଦାଶିବ ଶଙ୍କରଙ୍କୁ ସ୍ମରଣ କଲେ। ଏହାପରେ ମହାଦେବ ସୃଷ୍ଟିକୁ ବିଷ ବଳୟରୁ ମୁକ୍ତ କରିବା ପାଇଁ ବିଷ ପାନ କରିବାକୁ ନିଷ୍ପତ୍ତି ନେଲେ।

ପ୍ରଭୁ ବିଷ ପାନ କଲେ କିନ୍ତୁ ବିଷକୁ ସେ ନ ଗିଳି କଣ୍ଠରେ ଧାରଣ କଲେ। ଏଥିପାଇଁ ପ୍ରଭୁଙ୍କୁ ନୀଳକଣ୍ଠ ବୋଲି କୁହାଯାଏ। କିନ୍ତୁ ବିଷ ଜ୍ୱାଳାରେ ପ୍ରଭୁ ଶଙ୍କର ମୂର୍ଛିତ ହୋଇପଡିଲେ। ଦେବତାମାନେ ଦୁଃଖରେ ମ୍ରିୟମାଣ ହୋଇ ରାତି ଉଜାଗର ରହି ପ୍ରଭୁଙ୍କୁ ସୁସ୍ଥ ଅବସ୍ଥାରେ ଦେଖିବାକୁ ଦୀପ ଜାଳି ପ୍ରତୀକ୍ଷା କରିଥିଲେ। ଏଥିପାଇଁ ଆରମ୍ଭ ହେଲା ମହାଶିବରାତ୍ରି।

ଶିବ ପୁରାଣ ଅନୁସାରେ ଭଗବାନ ଶିବଙ୍କୁ ବେଲପତ୍ର ଚଢାଇବା ଦ୍ୱାରା ଦାରିଦ୍ରତା ଦୂର ହୋଇଥାଏ। କୁହାଯାଏ ଘରର ବଗିଚାରେ ବେଲ ଗଛ ରହିବା ଦ୍ୱାରା ପରିବାରର ସଦସ୍ୟମାନେ ପାପରୁ ମୁକ୍ତି ପାଇଥାନ୍ତି ଏବଂ ସେମାନେ ପୁଣ୍ୟ ପ୍ରାପ୍ତି କରିଥାନ୍ତି।

ବେଲପତ୍ର ଅର୍ପଣ କରିବାର ବିଧି: ସର୍ବଦା ଅନାମିକା ଓ ମଧ୍ୟମା ଆଙ୍ଗୁଠିରେ ବେଲପତ୍ର ଶିବଲିଙ୍ଗରେ ଅର୍ପଣ କରିବା ଉଚିତ। ବେଲ ପତ୍ର ଚଢାଇବା ସହ ଜଳ ମଧ୍ୟ ଅର୍ପଣ କରିବା ଉଚିତ।
ସେହିପରି କେବେ ମଧ୍ୟ ଫାଟି ଯାଇଥିବା ବେଲ ପତ୍ର ଶିବ ଲିଙ୍ଗରେ ଚଢାନ୍ତୁ ନାହିଁ। ମହାଶିବରାତ୍ରୀରେ ଭଗବାନ ଶିବଙ୍କ ଉପରେ ବେଲପତ୍ର ଚଢାଇବା ଦ୍ୱାରା ଭୋଳାଶଙ୍କର ପ୍ରସନ୍ନ ହୋଇଥାନ୍ତି। ମହାଶିବରାତ୍ରୀରେ ଭଗବାନ ଶିବଙ୍କ ଉପାସନା ବେଲପତ୍ର ବିନା ଅସମ୍ପୂର୍ଣ୍ଣ ବୋଲି ମାନ୍ୟତା ରହିଛି ।