ନୂଆଦିଲ୍ଲୀ: ସର୍ଭିକାଲ କ୍ୟାନ୍ସର ବିରୋଧରେ ଭାରତର ବୈଜ୍ଞାନିକଙ୍କୁ ଏକ ବଡ଼ ସଫଳତା ମିଳିଛି । ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ବାୟୋଟେକ୍ନୋଲୋଜି ବିଭାଗ ପ୍ରଥମ ଥର ପାଇଁ ଜରାୟୁ କର୍କଟ ବିରୁଦ୍ଧରେ ଏକ ସ୍ୱଦେଶୀ ଟିକା ପ୍ରସ୍ତୁତ କରିଛି, ଯାହା ଆଜି ଅର୍ଥାତ୍ ୧ ସେପ୍ଟେମ୍ବରରେ ଲଞ୍ଚ ହେଉଛି ।
ଏପରି ପରିସ୍ଥିତିରେ ଜରାୟୁ କର୍କଟ କ’ଣ ଏବଂ ଏହା କେତେ ବିପଜ୍ଜନକ, ତାହା ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ଜରାୟୁ କର୍କଟ ହେଉଛି ଏକ ପ୍ରକାର କର୍କଟ ଯାହା ଗର୍ଭାଶୟର କୋଷରେ ଦେଖାଯାଏ, ଯାହା ମହିଳାମାନଙ୍କୁ ଅଧିକ ପ୍ରଭାବିତ କରିଥାଏ । ଜରାୟୁ କର୍କଟ ଗର୍ଭାଶୟ, ଗର୍ଭାଶୟ ଗ୍ରୀୱା, ଗର୍ଭାଶୟର ନିମ୍ନ ଭାଗରେ ଦେଖାଯାଏ, ଯାହା ଯୋନୀ ସହିତ ସଂଯୁକ୍ତ । ଜରାୟୁ କର୍କଟ କାରଣ ଯୋଗୁଁ ପ୍ରତ୍ୟେକ ଦେଶରେ ଅନେକ ମହିଳାଙ୍କର ମୃତ୍ୟୁ ହେଉଛି ।
ଜରାୟୁ କର୍କଟ ରୋଗର ଲକ୍ଷଣ :-
– ଜରାୟୁ କର୍କଟର ସାଧାରଣତଃ କୌଣସି ଲକ୍ଷଣ ସିଧାସଳଖ ଦୃଶ୍ୟମାନ ହୋଇନଥାଏ । ପ୍ରାରମ୍ଭିକ ଅବସ୍ଥାରେ କୌଣସି ଲକ୍ଷଣ ନଦେଖାଯିବା କାରଣରୁ ଏହାକୁ ସହଜରେ ଚିହ୍ନଟ କରିବା କଷ୍ଟ ହୋଇପଡେ ।
– ଗର୍ଭାଶୟରେ ଅସ୍ୱାଭାବିକ ଯନ୍ତ୍ରଣା, ପରିସ୍ରା ସମୟରେ ଯନ୍ତ୍ରଣା ହେବା ମାତ୍ରେ ମହିଳାମାନେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା ଉଚିତ୍ । ଏହା ବ୍ୟତୀତ ଯୌନ ସମ୍ପର୍କରେ ରକ୍ତସ୍ରାବ, ଋତୁସ୍ରାବ ପରେ କିମ୍ବା ଯୋନୀରୁ ପ୍ରବଳ ରକ୍ତସ୍ରାବ ମଧ୍ୟ ଜରାୟୁ କର୍କଟ ରୋଗର ଲକ୍ଷଣ ହୋଇପାରେ ଏବଂ ତୁରନ୍ତ ଏହାର ଯାଞ୍ଚ କରାଯିବା ଉଚିତ୍ ।
– ଜରାୟୁ କର୍କଟ ୩୫ ବର୍ଷରୁ ଅଧିକ ମହିଳାଙ୍କଠାରେ ସବୁଠାରୁ ଅଧିକ ଦେଖାଯାଏ ।
ଏହି କାରଣରୁ ଜରାୟୁ କର୍କଟ ହୋଇଥାଏ:-
ଗର୍ଭାଶୟରେ ଥିବା କୋଷିକାଗୁଡ଼ିକ ଉଚ୍ଚ ବିପଦପୂର୍ଣ୍ଣ ପ୍ରକାରର ଏଚପିଭି ବା ପାପିଲୋମାଭାଇରସ୍ ଦ୍ୱାରା ସଂକ୍ରମିତ ହୁଅନ୍ତି, ସେବେ ସର୍ଭିକାଲକ୍ୟାନ୍ସର ହେବାର ବିପଦ ଅଧିକ ବଢ଼ିଯାଏ । ଏହି କ୍ୟାନ୍ସରର ମୁଖ୍ୟ ରୂପକୁ ୪ଟି ସ୍ତରରେ ବଣ୍ଟାଯାଇଛି । ଏହା ୦ ସ୍ତରରେ ଆରମ୍ଭ ହୁଏ, ଯାହା କେବଳ ସଂକ୍ରମଣର ପ୍ରାରମ୍ଭିକ ସ୍ତରକୁ ଦର୍ଶାଏ । ତା’ପରେ ପ୍ରଥମ ପର୍ଯ୍ୟାୟରେ ଏହା ଗର୍ଭାଶୟ ଏବଂ ଲିମ୍ଫ ନୋଡରେ ସଂକ୍ରମଣ ଦେଖାଏ । ଦ୍ୱିତୀୟ ପର୍ଯ୍ୟାୟରେ ଯୋନିର ଉପର ଅଂଶ, ଗର୍ଭାଶୟ ଏବଂ ଗର୍ଭାଶୟର ବାହ୍ୟ ବିସ୍ତାର ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଯୋନୀ ଏବଂ ଏହାର ତଳ ଅଂଶରେ ଦେଖାଯାଏ । ଅନ୍ତିମ ପର୍ଯ୍ୟାୟରେ କର୍କଟ ଶରୀରର ଅନ୍ୟ ଅଙ୍ଗ ତଥା ଦୂର ଲିମ୍ଫ ନୋଡ ପର୍ଯ୍ୟନ୍ତ ବ୍ୟାପିଥାଏ ।
ଭାରତରେ ଜରାୟୁ କର୍କଟ ରୋଗୀ :-
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ରିପୋର୍ଟ ଅନୁସାରେ, ଭାରତରେ ପ୍ରତିବର୍ଷ ସର୍ଭିକାଲ କ୍ୟାନ୍ସରର ୧.୨୩ ଲକ୍ଷ ମାମଲା ସାମ୍ନାକୁ ଆସୁଛି, ଯେଉଁଥିରୁ ପ୍ରତିବର୍ଷ ୬୭୦୦୦ ମହିଳାଙ୍କର ମୃତ୍ୟୁ ହେଉଛି । ଜରାୟୁ କର୍କଟ କ୍ଷେତ୍ରରେ ଭାରତ ବିଶ୍ୱରେ ୫ମ ସ୍ଥାନରେ ରହିଛି । ଭାରତରେ କର୍କଟ ରୋଗରେ ଆକ୍ରାନ୍ତ ରୋଗୀଙ୍କ ମଧ୍ୟରେ ଜରାୟୁ କର୍କଟ ଦ୍ୱିତୀୟ ସ୍ଥାନରେ ରହିଛି, ଯେଉଁଥିରେ ମହିଳାମାନେ ଅଧିକ ପ୍ରଭାବିତ ହୋଇଥାନ୍ତି ।