fbpx

ଜଣେ ବି କରିପାରିବ ପୂରା ଟ୍ରେନ୍ ବୁକ୍, ଦେବାକୁ ପଡ଼ିବ ଏତିକି ଟଙ୍କା…

ନୂଆଦିଲ୍ଲୀ: ଭାରତୀୟ ରେଲୱେ ସ୍ଥଳପଥରେ ଗମନାଗମନର ମେରୁଦଣ୍ଡ କହିଲେ ଅତ୍ୟୁକ୍ତି ହେବ ନାହିଁ । ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରିଥାନ୍ତି । ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ନିର୍ଭର କରିଥାନ୍ତି ଭାରତୀୟ ରେଲୱେ ଉପରେ । ଅନେକ ସ୍ଥାନ ରହିଛି ଯେଉଁଠାରେ କେବଳ ଟ୍ରେନହିଁ ଗମନାଗମନର ଏକମାତ୍ର ମାଧ୍ୟମ । ଧନୀ ହୁଅନ୍ତୁ କିମ୍ବା ଗରିବ ନିଜ ସୁବିଧା ଅନୁଯାୟୀ ସମସ୍ତେ ଟିକେଟ୍ ବୁକ୍ କରିଥାନ୍ତି । ଟ୍ରେନରେ ସାଧାରଣ ବଗିରୁ ଆରମ୍ଭ କରି ଏସି କୋଚର ସୁବିଧା ରହିଛି । ଆପଣ ଯାତ୍ରା କରିବା ପାଇଁ ଅନଲାଇନ କମ୍ବା କାଉଣ୍ଟରକୁ ଯାଇ ଅନେକ ଥର ଟିକେଟ ବୁକ୍ ମଧ୍ୟ କରିଥିବେ । କିନ୍ତୁ କ’ଣ ଆପଣ ଜାଣନ୍ତି ଭାରତୀୟ ରେଳ ଲୋକଙ୍କୁ ପୂରା ଟ୍ରେନ୍ ବୁକ୍ କରିବାକୁ ମଧ୍ୟ ସୁବିଧା ବି ଦେଇଥାଏ!

ହଁ ଆଜ୍ଞା, କେହି ଚାହିଲେ ପୂରା ଟ୍ରେନ୍ ବୁକ୍ କରିପାରିବ । ଅର୍ଥାତ ଟ୍ରେନରେ କେବଳ ସେ ଏକା କିମ୍ବା ତାଙ୍କ ପରିବାର ତଥା ସଂପର୍କୀୟଙ୍କ ସହ ଯାଇପାରିବେ । ଅବଶ୍ୟ ଏହାର ବୁକିଂ ପ୍ରକ୍ରିୟା ସାଧାରଣ ବୁକିଂ ପ୍ରକ୍ରିୟା ଠାରୁ ଭିନ୍ନ ଏବଂ ଏଥିପାଇଁ ଅଧିକ ଖର୍ଚ୍ଚ ମଧ୍ୟ କରିବାକୁ ପଡ଼ିଥାଏ । ତେବେ ଆସନ୍ତୁ ଜାଣିବା କିପରି ଏହି ବୁକିଂ କରିପାରିବେ ।

ତେବେ ଏଥିପାଇଁ ଆପଣଙ୍କୁ ନିକଟସ୍ଥ ଷ୍ଟେସନ ମାଷ୍ଟର ସହ କଥା ହେବାକୁ ପଡ଼ିବ ଏହାପରେ ୫୦ ହଜାର ଡିପୋଜିଟ୍ କରିବାକୁ ପଡ଼ିବ । ପୂରା ଟ୍ରେନ୍ ବୁକିଂ ପାଇଁ ଆପଣଙ୍କୁ ସର୍ବନିମ୍ନ ୧୮ ବଗି ବୁକିଂ କରିବାକୁ ପଡ଼ିବ । ଏହାପରେ ଆପଣଙ୍କୁ ଟ୍ରେନ୍ ର ବୁକିଂ ପାଇଁ ୯ ଲକ୍ଷ ଟଙ୍କା ରେଜିଷ୍ଟ୍ରେସନ ଏବଂ ସିକ୍ୟୁରିଟି ବାବାଦକୁ ଦେବାକୁ ହେବ । ଯଦି ଆପଣଙ୍କ ଯାତ୍ରା ସାତରୁ ଅଧିକ ଦିନର ତେବେ ଆପଣଙ୍କୁ ପ୍ରତି ବଗି ପିଛା ଅତିରିକ୍ତ ୧୦ ହଜାର ଦେବାକୁ ହେବ । ଏହାଛଡ଼ା ଆପଣଙ୍କୁ ରେଲୱେ ସର୍ଭିସ ଚାର୍ଜ ଆଦି ମଧ୍ୟ ଦେବାକୁ ହେବ ।

ତେବେ ଟଙ୍କା ଜମା କରିବା ପରେ ଆପଣଙ୍କୁ ଏହାକୁ କନଫର୍ମ କରାଇବା ପାଇଁ ଚିଫ୍ ପାସେଞ୍ଜର ଟ୍ରାନ୍ସପୋର୍ଟେସନ ମ୍ୟାନେଜରଙ୍କୁ ଏକ ଦରଖାସ୍ତ ଦେବାକୁ ପଡ଼ିବ । ଆଉ ଏହି ଆବେଦନ ବୁକିଂ କରିବାକୁ ଚାହୁଥିବା ତାରିଖର ଏକ ମାସ ପୂର୍ବରୁ କରିବାକୁ ପଡ଼ିବ । ଏହାପରେ ଯାତ୍ରାର ୭୨ ଘଣ୍ଟା ପୂର୍ବରୁ ଆପଣଙ୍କୁ ଫାଇନାଲ ପ୍ରୋଗ୍ରାମ କପି ମୁଖ୍ୟ ଯାତ୍ରା ପରିବହନ ପ୍ରବନ୍ଧକ କାର୍ଯ୍ୟାଳୟଠାରୁ ନେବାକୁ ହେବ । ଏହାପରେ ଯାତ୍ରା କରୁଥିବା ସବୁ ପାସେଞ୍ଜରଙ୍କ ତଥ୍ୟ ଦେବାକୁ ହେବ, ଫଳରେ ରେଲୱେ ୪୮ ଘଣ୍ଟା ପୂର୍ବରୁ ସମସ୍ତଙ୍କର ଟିକେଟ ତିଆରି କରିପାରିବ । ଏହା ପରେ ଯାଇ ଆପଣ ସଂପୂର୍ଣ୍ଣ ଟ୍ରେନରେ ଏକା କିମ୍ବା ନିଜ ପରିବାର ସହ ଯାତ୍ରା କରିପାରିବେ ।

Get real time updates directly on you device, subscribe now.