ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କୋଇଲା ସଂକଟ ବଢିବାରେ ଲାଗିଛି । ଅନେକ କୋଇଲା ଖାଦାନରେ ବର୍ତ୍ତମାନ କୋଇଲା ଉତ୍ପାଦନ ଗତ ୯ ବର୍ଷ ତୁଳନାରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଅନ୍ୟ ପକ୍ଷରେ, ଗ୍ରୀଷ୍ମ ଋତୁ ପାଇଁ ଏବେ ବିଜୁଳି ବ୍ୟବହାର ମଧ୍ୟ ବୃଦ୍ଧି ପାଇଛି । କରୋନା ସମୟରେ ହୋଇଥିବା କ୍ଷତିର ଭରଣପୋଷଣ ପାଇଁ ଏବଂ ଉତ୍ପାଦନ ବଢାଇବା ପାଇଁ ମଧ୍ୟ ବିଜୁଳିର ଅଧିକ ଆବଶ୍ୟକ ହେଉଛି । ଫଳରେ ଆଗକୁ ଦେଶର ବିଭିନ୍ନ ରାଜ୍ୟରେ ଘଣ୍ଟିକିଆ ବିଜୁଳି କାଟ ଫେରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।
ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ବିହାର, ମଧ୍ୟପ୍ରଦେଶ, ଝାଡଖଣ୍ଡ, ପଞ୍ଜାବ, ହରିୟାଣା, ରାଜସ୍ଥାନ, ତେଲେଙ୍ଗାନା ଏବଂ ଉତ୍ତରପ୍ରଦେଶ ଭଳି ବିଭିନ୍ନ ରାଜ୍ୟରେ ପାୱାର କଟ୍ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ଏପରିକି ଦେଶର ସର୍ବବୃହତ ଶିଳ୍ପାଞ୍ଚଳ ମହାରାଷ୍ଟ୍ର ପାୱାର କଟକୁ ବାଧ୍ୟତାମୂଳକ କରିବା ପାଇଁ ପ୍ରସ୍ତୁତ ହେଉଛି । ସେପଟେ ବିଜୁଳି କାଟ୍ ରୁ ବଞ୍ଚିବା ପାଇଁ ଗୁଜୁରାଟ ଏବଂ ତାମିଲନାଡୁ ଭଳି ରାଜ୍ୟ ଅନ୍ୟ ରାଜ୍ୟରୁ ମହଙ୍ଗା ଦାମରେ ବିଜୁଳି କିଣିବା ପାଇଁ ଅନୁମତି ଦେଇଛନ୍ତି । ଚାହିଦା ତୁଳନାରେ ବିଦ୍ୟୁତ ଯୋଗାଣ ୧.୪% ଅଭାବ ପରିଲକ୍ଷିତ ହୋଇଛି । ତେବେ ରେକର୍ଡ ନଭେମ୍ବର ୨୦୨୧ରୁ ମଧ୍ୟ ଅଧିକ । ୨୦୨୧ ନଭେମ୍ବର ମାସରେ ଏହା ୧% ରହିଥିଲା । ନଭେମ୍ବର ମାସରେ କିଛି ଦିନ ପାଇଁ ଦେଶରେ କୋଇଲାର ଘୋର ଅଭାବ ଦେଖା ଦେଇଥିଲା । ମହାରାଷ୍ଟ୍ରରେ ଗତବର୍ଷ ,ହି ସମୟରେ ମାତ୍ର ୪୦୦୦ ମେଗାୱାଟ ବିଜୁଳିର ଆବଶ୍ୟକତା ରହୁଥିବା ବେଳେ ବର୍ତ୍ତମାନ ଏହା ୨୮,୦୦୦ ମେଗାୱାଟ ହୋଇଛି । ତେଣୁ ବିଜୁଳି କାଟ୍ ପାଇଁ ରାଜ୍ୟ ଶକ୍ତି ନିୟାମକ ଆୟୋଗକୁ ଅପିଲ କରାଯାଇଛି ।