ମହାପ୍ରଭୁ ଶ୍ରୀଜଗନ୍ନାଥ ରାଜଧିରାଜ ସେ କାଳିଆ ସାଆନ୍ତ। ସମନ୍ବିତ ସାଂସ୍କୃତିକ ପରମ୍ପରାର ଶ୍ରେଷ୍ଠ ନିଦର୍ଶନ। ଅପୂର୍ବ ତାଙ୍କର ମାନବୀୟ ଲୀଳା। ପ୍ରତ୍ୟେକ ଲୀଳାର ଅନ୍ତରାଳେ ନିହିତ ଥାଏ ମଙ୍ଗଳ କାମନା। ସେଥିପାଇଁ ଦାରୁଦିଅଁଙ୍କ ନୀତିକାନ୍ତି ଭୋଗ, ବେଶ ସବୁକିଛି ମହିମାମଣ୍ଡିତ ପୁଣି ବେଶ ମଧ୍ୟରେ ଅନନ୍ୟ ବିଶ୍ବନିୟନ୍ତାଙ୍କ ସୁନାବେଶ ବର୍ଷକୁ ରତ୍ନ ସିଂହାସନରେ ୪ ଥର ଆଉ ଥରେ ଭାଇ ଭଉଣୀଙ୍କ ସହ ରଥରେ ସ୍ବର୍ଣ୍ଣ ଅଳଙ୍କାରରେ ସକେଇ ହୁଅନ୍ତି କାଳିଆ ଠାକୁର।
ଆଷାଢ଼ ଶୁକ୍ଳ ବଡ଼ ଏକାଦଶୀ ଦିନ ରଥ ଉପରେ ଅନୁଷ୍ଠିତ ହୁଏ ଦାରୁଦିଅଁଙ୍କ ସୁନାବେଶ। ଏହାକୁ ବଡ଼ ବଢା଼ଉ ବେଶ ବି କୁହାଯାଏ। ଶ୍ରୀମନ୍ଦିରରେ ସମ୍ପାଦିତ ୪ଥର ସୁନାବେଶର ନିର୍ଦ୍ଦିଷ୍ଟ ତଥ୍ୟ ସମ୍ପର୍କରେ ଇତିହାସ ନୀରବ। ଅପରପକ୍ଷେ ଇତିହାସ କୁହେ, ସୂର୍ଯ୍ୟବଂଶର ପ୍ରତିଷ୍ଠାତା ଗଜପତି କପିଳେନ୍ଦ୍ର ଦେବ ଦାକ୍ଷିଣାତ୍ୟ ବିଜୟ କରିବା ପରେ ସେଠାରୁ ଅଜସ୍ର ଧନ ରତ୍ନ, ହୀରା, ନୀଳା ଆଦି ହାତୀ ପିଠିରେ ଲଦି ଆମ ରାଜ୍ୟକୁ ଫେରିଥିଲେ। ପ୍ରାଚୀନ ପରମ୍ପରା ଅନୁଯାୟୀ ଯୁଦ୍ଧରେ ବିଜିତ ଧନରତ୍ନ ରାଜଧିରାଜ ଦାରୁଦିଅଁଙ୍କ ପାଖକୁ ହିଁ ଆସିଥାଏ। ଏଣୁ କପିଳେନ୍ଦ୍ର ଦେବ ଏସବୁ ଦ୍ରବ୍ୟ ଶ୍ରୀମନ୍ଦିରରେ ପହଞ୍ଚାଇବା ଲାଗି ଆଦେଶ ଦେଇଥିଲେ। ତେବେ ନିଜେ ଗଜପତି ଏକ ପଟୁଆରରେ ଆସି ଏସବୁ ଧନରତ୍ନ ଶ୍ରୀମନ୍ଦିର ଭଣ୍ଡାରକୁ ହସ୍ତାନ୍ତର କରିଥିଲେ।
କପିଳେନ୍ଦ୍ର ଦେବ (୧୪୩୫-୧୪୬୬) ଜଗନ୍ନାଥଙ୍କୁ ଜାତୀୟ ଦେବତା ରୂପେ ପ୍ରଚାରିତ କରି ନିଜକୁ ତାଙ୍କର ସେବକ ଭାବେ ସ୍ୱୀକାର କରିଥିଲେ। ଏପରିକି ଅନଙ୍ଗଭୀନ ଦେବ ଓ ପୁରୁଷୋତ୍ତମ ଦେବ ଜଗନ୍ନାଥଙ୍କୁ ଓଡ଼ିଶାର ରାଜା ରୂପେ ମାନ୍ୟତା ପ୍ରଦାନ ପୂର୍ବକ ଉଭୟ ଦୁଇବର୍ଷ ଧରି ଅଭିଷେକ ହୋଇନଥିଲେ। କେତେକ ଗବେଷକଙ୍କ ମତରେ ରଥ ଉପରେ ଠାକୁରମାନଙ୍କ ଏହି ବେଶର ନାମ ବଡ଼ ବଢା଼ଉ ବେଶ। ବଡ଼ତଢାଉ ବେଶ ମତରେ କପିଳେନ୍ଦ୍ର ଦେବ ୧୪୬୦ରେ ଦକ୍ଷିଣ ବିଜୟରୁ ଫେରିବା ବେଳେ ୧୬ଟି ହାତୀ ପିଠିରେ ବୋଝେଇ ସୁନାଅଳଙ୍କାର ଆଣିଥିଲେı ଏହାକୁ ମହାପ୍ରଭୁଙ୍କୁ ସମର୍ପଣ କରିଥିବା ନେଇ ଜୟବିଜୟ ଦ୍ୱାରସ୍ଥିତ ଶିଳାଲେଖରେ ସୂଚନା ରହିଛି।
ଅଳଙ୍କାର ସମ୍ପର୍କରେ ରାଜା ବଡ଼ତଢାଉଙ୍କ ପରାମର୍ଶ ନେଇଥିଲେ। ରତ୍ନବେଦିରେ ମହାପ୍ରଭୁଙ୍କ ବିଭିନ୍ନ ବେଶକୁ ସବୁବର୍ଗରେ ଭକ୍ତ ଦର୍ଶନ କରି ପାରୁନାହାନ୍ତି ତେଣୁ ରଥ ଉପରେ ସବୁବର୍ଗର ଦର୍ଶନ ପାଇଁ ମହାପ୍ରଭୁଙ୍କ ସୁନାବେଶ କରେଇବାକୁ ବଡ଼ତଢାଉ ରାଜାଙ୍କୁ ବିନତି କରିଥିଲେ। ଦକ୍ଷିଣାଭିମୁଖୀ ଯାତ୍ରାରେ ତିନି ରଥ ସିଂହଦ୍ୱାରରେ ପହଞ୍ଚିବା ପରେ ବଡ଼ ଏକାଦଶୀ ଦିନ ରଥ ଉପରେ ସୁନାବେଶ କରିବାକୁ ରାଜା ଅନୁମତି ଦେଇଥିଲେ। ତେଣୁ ଅନୁମାନ କରାଯାଏ ଯେ, ୧୪ଶହ ଖ୍ରୀଷ୍ଟାବ୍ଦ ୪ର୍ଥ ଦଶକ ମଧ୍ୟରେ ଏହି ଅପୂର୍ବ ଘଟଣା ରୂପାୟିତ ହୋଇଥିଲା। ଆଉ ସେବେଠାରୁ ରଥ ଉପରେ ହେଉଥିବା ସୁନାବେଶ ଆମ ଅତୀତର ସାମରିକ ଗୌରବ ଗାଥା ବଖାଣୁଛି।