ଯୋଶୀମଠର ଚାରି ଆଡେ ହାହାକାର, ଜାଣନ୍ତୁ କେଉଁଠାରୁ ପ୍ରଥମେ ଆରମ୍ଭ ହୋଇଥିଲା ଭୂ-ସ୍ଖଳନ

ଉତ୍ତରାଖଣ୍ଡ: ଯୋଶୀମଠରେ ଭୂମି ଭୂଷୁଡ଼ିବା କାରଣରୁ ହାହାକାର ସୃଷ୍ଟି ହୋଇଛି । ଘରର କାନ୍ଥ ଠାରୁ ଆରମ୍ଭ କରି ସବୁଜାଗା ଫାଟିବାକୁ ଆରମ୍ଭ କରିଛି । କେବଳ ଯୋଶୀମଠ ନୁହେଁ କର୍ଣ୍ଣପ୍ରୟାଗ, ରୁଦ୍ରପ୍ରସାଦ, ନୈନିତାଲ, ଚମୋଲୀ, ଉତ୍ତରକାଶୀରେ ମଧ୍ୟ ଏପରି ସମସ୍ୟା ଦେଖାଦେଇଛି । ଦେଖାଯାଉଛି ଯେ, ଏହି ସମସ୍ୟା ଯୋଶୀମଠାରୁ ଆରମ୍ଭ ହେଇଛି । ବର୍ତ୍ତମାନ ବାଦି କରାଯାଉଛି ଯେ, ଏହି ଭୂ-ସ୍ଖଳନର ଘଟଣା ଏହା ପୂର୍ବରୁ ଅନ୍ୟ ଜାଗାରେ ମଧ୍ୟ ହୋଇଛି ।

ସୂଚନା ମୁତାବକ, ଜୋଶୀମଠର ପାଖାପାଖି ୮କିମି ଉପରକୁ ଗଲେ ୭୦୦୦ପୁଟ ଉଚ୍ଚରେ ସୁନୀଲ ନାମ ଏକ ଗାଁ ରହିଛି । ସର୍ବ ପ୍ରଥମେ ଏହି ଗାଁରେ ଆଗ ଭୁ-ସ୍ଖଳନ ହୋଇଥିଲା । ଯୋଶୀମଠ ଘଟଣାର ୧ମାସ ପୂର୍ବରୁ ଏହି ଗାଁରେ ଭୂ-ସ୍ଖଳନ ଘଟି କାନ୍ଥ ବାଡ଼ ଫାଟି ଯାଇଥିବା ଜଣାପଡ଼ିଛି । ୮ଦିନ ପୂର୍ବରୁ ଏହି ଫାଟିଥିବା କାନ୍ଥ ଏତେ ସୋଚନୀୟ ହୋଇଯାଇଛି ଯେ, ଯାହାଫଳରେ କାନ୍ଥ ଭାଙ୍ଗିବାକୁ ଆରମ୍ଭ କରିଛି ।

ଏପରି ପରିସ୍ଥିତିରେ କିଛି ପରିବାରଙ୍କୁ ହୋଟେଲରେ ନେଇ ରଖାଯାଇଛି । କିନ୍ତୁ ସେମାନେ ଦିନରେ ଏହି ଘରକୁ ଫେରିବା ପାଇଁ ବାଧ୍ୟ ହେଉଛନ୍ତି, କାରଣ ସେଠାରେ ସେମାନଙ୍କ ବ୍ୟବହାରିକ ଜିନିଷ ରହିଛି । ଅନ୍ୟପଟେ ସୁନୀଲ ଗାଁର ଲୋକେ କହୁଛନ୍ତି ଯେ,ଯେଉଁଠାରେ ଆମକୁ ରହିବା ପାଇଁ ପଠାଯାଉଛି ସେ ଯାଗା ମଧ୍ୟ ଅସୁରକ୍ଷିତ ଅଟେ । ତେବେ ଗାଁର ଲୋକେ ନିଜ ଘର-ସମ୍ପତ୍ତି ଛାଡ଼ିବାକୁ ଚାହୁଁନାହାନ୍ତି ।

ଯୋଶୀମଠର ଭୂ-ସଖଳନ ହେତୁ ବର୍ତ୍ତମାନ ପର୍ଯ୍ୟନ୍ତ ୭୨୩ଟି ଘରର କାନ୍ଥ ଫାଟିସାରିଛି । ୧୩୧ ପରିବାର ଅସ୍ଥାୟୀ ରୂପରେ ବିସ୍ଥାପିତ କରାଯାଇଛି । ଏଥିରୁ ୧୦ଟି ପରିବାର ଅଛନ୍ତି ଯାହାଙ୍କ ପରିସ୍ଥିତି ସମ୍ପୂର୍ଣ୍ଣ ଖରାପ ରହିଛି । ଏପରି ଦାବି କରାଯାଇଛି ଯେ, ପ୍ରଶାସନ ସେମାନଙ୍କୁ ୧.୩୦ ଲକ୍ଷ ଧନରାଶି ପ୍ରଦାନ କରନ୍ତୁ ।

ଯୋଶୀମଠରେ ଯେଉଁ ଘରର କାନ୍ଥ ଫାଟି ରେଡ଼ ଜୋନରେ ଅଛି ସେହି ଘରକୁ ଯଥା ଶୀଘ୍ର ଭଙ୍ଗା ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏମାନଙ୍କୁ ଭାଙ୍ଗିବା ପାଇଁ କୌଣସି ବୁଲଡ଼ୋଜର କିମ୍ବା କୌଣସି ହେବି ମେସିନର ବ୍ୟବହାର କରାଯିବ ନାହିଁ ଯାହାଦ୍ୱାରା ଭୂମି ଥରିବ ନାହିଁ । ଏହାକୁ ଭଙ୍ଗା ଯିବା ପାଇଁ ଶ୍ରମିକ ମାନଙ୍କୁ ଲଗାଯିବ । ସେମାନେ ହାତୁଡ଼ି , କୋଦାଳ ପରି ଅସ୍ତ୍ରରେ ଘର ଗୁଡ଼ିକୁ ଭାଙ୍ଗିବେ ।