ଆସନ୍ତାକାଲି ଶେଷ ହେବ ଲାଇଫ ସାର୍ଟିଫିକେଟ ଜମା କରିବାର ଅବଧି, ଆଜି ହିଁ ଜମା କରିନିଅନ୍ତୁ ନଚେତ୍ ହେବ ଅସୁବିଧା

ନୂଆଦିଲ୍ଲୀ: ପେନସନଭୋଗୀଙ୍କ ପାଇଁ ଲାଇଫ ସାର୍ଟିଫିକେଟ ବା ଜୀବନ ପ୍ରମାଣ ପତ୍ର ଏକ ଜରୁରୀ ଦସ୍ତାବେଜ ହୋଇଥାଏ । ଆପଣ ଲାଇଫ ସାର୍ଟିଫିକେଟ ଅନେକ ଉପାୟରେ ଜମା କରିପାରିବେ । ଟ୍ରେଜରୀ, ବ୍ୟାଙ୍କ ଶାଖା, କମନ ସର୍ଭିସ ସେଣ୍ଟର ଏବଂ ପୋଷ୍ଟ ଅଫିସରେ ଯାଇ ଜମାକରିପାରିବେ । ସରକାରୀ ପେନ୍ସନଭୋଗୀଙ୍କ ପାଇଁ ବାର୍ଷିକ ଲାଇଫ ସାର୍ଟିଫିକେଟ ଜମା କରିବାର ଶେଷ ତାରିଖ ହେଉଛି ନଭେମ୍ବର ୩୦ । ଅର୍ଥାତ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି । ଯଦି ଆପଣ ୩୦ ନଭେମ୍ବର ସୁଦ୍ଧା ଲାଇଫ ସାର୍ଟିଫିକେଟ ଜମା କରାଉନାହାଁନ୍ତି ତେବେ ଆପଣଙ୍କୁ ପେନସନ ମିଳିବା ବନ୍ଦ ହୋଇଯିବ । ପ୍ରକୃତରେ ଲାଇଫ ସାର୍ଟିଫିକେଟ ଜମା କରିବା ଦ୍ୱାରା ହିଁ ଜଣାପଡ଼ିଥାଏ ପେନ୍ସସନ ପାଉଥିବା ବ୍ୟକ୍ତି ଜୀବିତ ଅଛନ୍ତି କି’ ନାହିଁ ।

ତେବେ ଲାଇଫ୍ ସାର୍ଟିଫିକେଟ୍ ପେନସନଭୋଗୀମାନଙ୍କ ପାଇଁ ଅସ୍ତିତ୍ୱର ଏକ ଜରୁରୀ ଡକ୍ୟୁମେଣ୍ଟ ଯାହା ସେ ଜୀବିତ ଥିବା ଏକ ପ୍ରମାଣ ଭାବରେ କାର୍ଯ୍ୟ କରିଥାଏ । ଆପଣ ଜୀବନ ପ୍ରମାଣ ପୋର୍ଟାଲ https://jeevanpramaan.gov.in/କୁ ଯାଇ ନିଜର ଲାଇଫ୍ ସାର୍ଟିଫିକେଟ ଜମା କରିପାରିବେ । ଏଥିପାଇଁ ପ୍ରଥମେ ଆପଣଙ୍କୁ ପୋର୍ଟାଲରୁ ଜୀବନ ପ୍ରମାଣ ଆପ୍ ଡାଉନଲୋଡ କରିବାକୁ ପଡିବ । ଏହା ବ୍ୟତୀତ UIDAI ଦ୍ୱାରା ବୈଧ ଫିଙ୍ଗରପ୍ରିଣ୍ଟ ଡିଭାଇସ୍ ରହିବା ଉଚିତ୍ । ଆପଣ ସ୍ମାର୍ଟଫୋନ୍ ମାଧ୍ୟମରେ ଇମେଲ ଆଇଡି ଓ ଆପରେ ଉଲ୍ଲେଖ ଥିବା ପଦ୍ଧତି ବ୍ୟବହାର କରି ଘରେ ବସି ଲାଇଫ୍ ସାର୍ଟିଫିକେଟ୍ ଦାଖଲ କରିପାରିବେ ।

ପେନସନ୍ ଓ ପେନସନଭୋଗୀ କଲ୍ୟାଣ ବିଭାଗ କହିଛି ଯେ, ପେନ୍ସସନଭୋଗୀମାନେ ୧୨ ଟି ପବ୍ଲିକ୍ ସେକ୍ଟର ବ୍ୟାଙ୍କର ଡୋରଷ୍ଟେପ୍ ବ୍ୟାଙ୍କିଙ୍ଗ୍ ଆଲାୟନ୍ସ ବା ଡାକ ବିଭାଗର ଡୋରଷ୍ଟେପ ସେବାର ଉପଯୋଗ କରି ଡିଜିଟାଲ ଲାଇଫ୍ ସାର୍ଟିଫିକେଟ୍ ଦାଖଲ ପାଇଁ ଜୀବନ ପ୍ରମାଣପତ୍ର ଜମା କରିପାରିବେ । ଭାରତୀୟ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ), ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି), ବ୍ୟାଙ୍କ ଅଫ ବରୋଦା, ବ୍ୟାଙ୍କ ଅଫ ଇଣ୍ଡିଆ, କାନାରା ବ୍ୟାଙ୍କ, ମହାରାଷ୍ଟ୍ରର ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ, ଇଣ୍ଡିଆନ ବ୍ୟାଙ୍କ, ଇଣ୍ଡିଆନ, ଓଭରସିଜ୍ ବ୍ୟାଙ୍କ, ପଞ୍ଜାବ ଏବଂ ସିନ୍ଧ ବ୍ୟାଙ୍କ, ୟୁକୋ ବ୍ୟାଙ୍କ ଏବଂ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହି ସୁବଧା ଦେଉଛି ।
ଆପଣ (doorstepbanks.com ବା www.dsb.imfast.co.in/doorstep/login) ୱେବସାଇଟ୍ ବା ‘ଡୋରଷ୍ଟେପ୍ ବ୍ୟାଙ୍କିଙ୍ଗ୍’ ମୋବାଇଲ୍ ଆପ୍ଲିକେସନ୍ ବା ଟୋଲ୍ ଫ୍ରି ନମ୍ବର (୧୮୦୦୧୨୧୩୭୨୧ ବା ୧୮୦୦୧୦୩୭୧୮୮) କୁ କଲ କରି ଆପଣ ବ୍ୟାଙ୍କର ଡୋରଷ୍ଟେପ୍ ସେବା ବୁକ୍ କରିପାରିବେ ।

ଇଣ୍ଡିଆନ୍ ପୋଷ୍ଟ ଟ୍ୱିଟ୍ କରି ଏହି ସୂଚନା ଦେଇଛି ଯେ, ବରିଷ୍ଠ ନାଗରିକମାନେ ଅତି ସହଜରେ ନିଜ ଅଞ୍ଚଳରେ ଥିବା ଡାକଘରୁ କମନ୍ ସର୍ଭିସ୍ ସେଣ୍ଟର୍ (ସିଏସସି) ରୁ ଜୀବନ ପ୍ରମାଣପତ୍ରର ଫାଇଦା ଉଠାଇପାରିବେ । ଆବେଦନ ପାଇଁ ମୋବାଇଲ୍ ନମ୍ବର ୭୭୩୮୨୯୯୮୯୯ କୁ ଏକ SMS ପଠାଇ ନିକଟତମ ଜୀବନ ପ୍ରମାଣ କେନ୍ଦ୍ରରେ ଅପଡେଟ୍ ନେଇପାରିବେ । SMSରେ JPL <ପିନକୋଡ> ଲେଖିବାକୁ ପଡିବ । ଏଥିରେ ଆପଣଙ୍କୁ ଅଞ୍ଚଳର ଆଖପାଖରେ ଥିବା କେନ୍ଦ୍ରଗୁଡିକର ତାଲିକା ମିଳିଯିବ ।