fbpx

କ୍ରିକେଟର ବହୁତ ବଡ ଫ୍ୟାନ୍ ଥିଲେ ‘ଲତା ଦିଦି’, ୧୯୮୩ ବିଶ୍ଵ କପ୍ ବିଜୟୀ ଦଳକୁ ଏମିତି କରିଥିଲେ ସାହାଯ୍ୟ

ନୂଆଦିଲ୍ଲୀ: ଭାରତ ରତ୍ନରେ ସମ୍ମାନିତ ସ୍ଵର ସାମ୍ରାଜ୍ଞୀ ଲତା ମଙ୍ଗେସରକଙ୍କ ରବିବାର ପରଲୋକ ଘଟିଛି। ୯୨ ବର୍ଷ ବୟସରେ ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ଉକ୍ତ ହସ୍ପିଟାଲରେ ସେ ପ୍ରାୟ ମାସେ ଧରି ଚିକିତ୍ସିତ ଥିଲେ। ତାଙ୍କ ନିଧନରେ ପୂରା ଦେଶରେ ଶୋକର ଛାୟା ଖେଳି ଯାଇଛି। ଲତାଙ୍କ ଦେହାନ୍ତରେ ଦୁଇ ଦିନର ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। କ୍ରୀଡା ଜଗତ ମଧ୍ୟ ସ୍ଵର କୋକିଳାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। ‘ଲତା ଦିଦି’ ନାମରେ ପ୍ରସିଦ୍ଧ ଲତା ମଙ୍ଗେସକର କ୍ରିକେଟର ବହୁତ ବଡ ପ୍ରଶଂସକ ଥିଲେ। କ୍ରିକେଟକୁ ନେଇ ସେ ସର୍ବଦା ନିଜର ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ମ୍ୟାଚ୍ କିମ୍ବା ସେ ସଂପର୍କିତ ଖବର ପୋଷ୍ଟ କରୁଥିଲେ।

୧୯୮୩ରେ ବିସିସିଆଇ ଏବଂ ଖେଳାଳିଙ୍କୁ କରିଥିଲେ ସାହାଯ୍ୟ

୧୯୮୩ରେ କପିଲ୍ ଦେବଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଯେବେ ପ୍ରଥମ ବିଶ୍ଵ କପ୍ ଜିତି ସ୍ଵଦେଶ ଫେରିଲା ସେହି ସମମରେ ବିସିସିଆଇ ପାଖରେ ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କୁ ଦେବା ପାଇଁ ପଇସା ନଥିଲା। ସେହି ସମୟର ତତ୍କାଳୀନ ଅଧ୍ୟକ୍ଷ ଏନକେପି ସାଲଭେ ନିଜର ବିଶ୍ଵ ବିଜୟୀ ଦଳକୁ ପୁରସ୍କୃତ କରିବାକୁ ଚାହୁଁଥିଲେ। ମାତ୍ର ଅର୍ଥାଭାବ କାରଣରୁ ସେ ଏମିତି କରି ପାରିନଥିଲେ। ସାଲଭେ ୨୦୦୮ରେ ଏକ କାର୍ଯ୍ୟକ୍ରମରେ ଖୁଲାସା କରିଥିଲେ ଯେ, ଯେବେ ବିଶ୍ଵ କପ୍ ଜିତି ଦଳ ଭାରତ ଫେରିଲା, ପୁରସ୍କାର ଦେବା ପାଇଁ ବିସିସିଆଇ ପାଖରେ ପଇସା ନଥିଲା। ମିଟିଂ ପରେ ସୁନିଲ ଗାଭାସ୍କର ତାଙ୍କୁ ଭେଟିବାକୁ ଆସିଥିଲେ। ତାଙ୍କ ସହିତ କପିଲ ଦେବ ମଧ୍ୟ ଥିଲେ। ଗାଭାସ୍କର ମୋତେ ପୁରସ୍କାର ରାଶି ବିଷୟରେ ପଚାରିଥିଲେ। ସାଲଭେ ଗାଭାସ୍କରଙ୍କୁ କହିଥିଲେ, ବୋର୍ଡ ପାଖରେ ସେତେ ପଇସା ନାହିଁ କିନ୍ତୁ ସେ ପୁରସ୍କାର ଦେବାକୁ ଉଦ୍ୟମ କରିବେ। ସେହି ସମୟରେ ସାଲଭେ ଲତାଜୀଙ୍କ ସାହାଯ୍ୟ ଲୋଡିଥିଲେ। ଆଉ ଲତା ଦିଦି ତାଙ୍କୁ ନିରାଶ କରିନଥିଲେ।

ଭାରତୀୟ ଦଳର ବିଜୟ ଉତ୍ସବ ପାଇଁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ଲତା ମଙ୍ଗେସକରଙ୍କ କନସର୍ଟ ଆୟୋଜିତ କରାଯାଇଥିଲା। ସେହି କନସର୍ଟ ପାଇଁ ଲତା ବିସିସିଆଇଠୁ ଟଙ୍କାଟିଏ ମଧ୍ୟ ନେଇନଥିଲେ। ଯେବେ ଲତା ଦିଦି ମଞ୍ଚରେ ଗୀତ ଗାଉଥିଲେ, ତାଙ୍କ ସ୍ଵରରେ ସ୍ଵର ମିଳାଇ ଗାଉଥିଲେ ଭାରତୀୟ କ୍ରିକେଟ୍ ଖେଳାଳି। କନସର୍ଟରୁ ପ୍ରାୟ ୨୦ ଲକ୍ଷ ଟଙ୍କାର ଆୟ ହୋଇଥିଲା। ଲତା ଦିଦି ଉକ୍ତ ଅର୍ଥରେ ୧୯୮୩ ବିଶ୍ଵ କପ୍ ବିଜେତା ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ପୁରସ୍କାରସ୍ଵରୂପ ଏକ ଲକ୍ଷ ଟଙ୍କା ଲେଖାଏଁ ଦେଇଥିଲେ।

ବିସିସିଆଇ ଏବଂ ତତ୍କାଳୀନ ଖେଳାଳି ଲତା ମଙ୍ଗେସକରଙ୍କ ଏହି ମୂଲ୍ୟବାନ ଯୋଗଦାନକୁ ସର୍ବଦା ମନେ ରଖିଛି। ଏହା ପରେ ବିସିସିଆଇ ନିଷ୍ପତ୍ତି ନେଇଥିଲା ଯେ, ଲତା ଦିଦି ଯେ ପର‌୍ୟ୍ୟନ୍ତ ବଞ୍ଚିଥିବେ, ଭାରତର ପ୍ରତ୍ୟେକ ଷ୍ଟାଡିୟମରେ ମ୍ୟାଚ୍ ଦେଖିବା ପାଇଁ ତାଙ୍କ ଲାଗି ଗୋଟିଏ ସିଟ୍ ରିଜର୍ଭ ରହିବ।

Get real time updates directly on you device, subscribe now.