ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଘରୋଇ କମ୍ପାନୀର କର୍ମଚାରୀମାନେ ଚାପଗ୍ରସ୍ତ ରୁହୁଥିବାର ଦେଖାଦେଇଛି । ବିଶେଷ କରି କୌଣସି ମୁହୂର୍ତ୍ତରେ ବି ଛଟେଇକୁ ନେଇ ସେମାନଙ୍କ ମନରେ ଭୟ ରହିଥାଏ । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନୋଏଡାରେ । ବାସ୍ତବରେ ନୋଏଡା ସ୍ଥିତ ଏକ ଷ୍ଟାର୍ଟଅପ୍ କମ୍ପାନୀ ଏହାର କର୍ମଚାରୀଙ୍କ ମାନସିକ ସ୍ୱାସ୍ଥ୍ୟର ଏକ ସର୍ଭେ କରିବା ବାହାନରେ ୧୦୦ ଜଣ କର୍ମଚାରୀଙ୍କୁ ଛଟେଇ କରିଛି । ବର୍ତ୍ତମାନ ଏହି କମ୍ପାନୀର ଇ-ମେଲ୍ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।
ନୋଏଡା ସ୍ଥିତ ଏକ ଷ୍ଟାର୍ଟଅପ୍ କମ୍ପାନୀ ହେଉଛି ‘ୟେସ୍ ମ୍ୟାଡାମ୍’ । କମ୍ପାନୀର ପୂର୍ବତନ କର୍ମଚାରୀଙ୍କ କହିବାନୁଯାୟୀ ଉକ୍ତ କମ୍ପାନୀ ଏକ ଅଭ୍ୟନ୍ତରୀଣ ମେଣ୍ଟାଲ ହେଲ୍୍ଥ ସର୍ଭେ କରାଯାଇଥିଲା । ଏହି ସର୍ଭେର ମୂଳ ଉଦ୍ଦେଶ୍ୟ କର୍ମଚାରୀଙ୍କ ମାନସିକ ସ୍ଥିତି ଏବଂ କାର୍ଯ୍ୟ ଚାପକୁ ବୁଝିବା । କିନ୍ତୁ ଏହି ସର୍ଭେ ପରିଣାମକୁ ଆଧାର କରି ପ୍ରାୟ ୧୦୦ ଜଣ କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା ଯେଉଁମାନେ କାର୍ଯ୍ୟ ଚାପ ବିଷୟରେ ଅଭିଯୋଗ କରିଥିଲେ । କମ୍ପାନୀର ଏଭଳି ପଦକ୍ଷେପକୁ କମ୍ପାନୀର କର୍ମଚାରୀ ଏବଂ ଇଣ୍ଟରନେଟ୍ ବ୍ୟବହାରକାରୀ ଅମାନୁଷିକ ଦର୍ଶାଇଛନ୍ତି । ତାଙ୍କ କହିବାନୁଯାୟୀ ମାନସିକ ସ୍ୱାସ୍ଥ୍ୟ ବିଷୟରେ କଥାବାର୍ତ୍ତା କରିବାକୁ ପ୍ରୋତ୍ସାହିତ କରିବା ପରିବର୍ତ୍ତେ ଏହି ସର୍ଭେକୁ କର୍ମଚାରୀଙ୍କ ବିରୋଧରେ ବ୍ୟବହାର କରିବା ଭୁଲ ଅଟେ । ନିକଟରେ ଏହି ଘଟଣାକୁ ନେଇ ଜଣେ ୟୁଜର ଲିଙ୍କଡ୍ ଇନରେ କମ୍ପାନୀର HRଙ୍କ ଇ- ମେଲର ଏକ ସ୍କ୍ରିନସଟ୍ ଶେୟାର କରି ଲେଖିଥିଲେ, ‘ୟେସ୍ ମ୍ୟାଡାମରେ କ’ଣ ହେଉଛି ? ପ୍ରଥମେ ଆପଣ ରାନଡମ୍ ସର୍ଭେ କରୁଛନ୍ତି ଏହା ପରେ ରାତାରାତି କର୍ମଚାରୀଙ୍କୁ ଛଟେଇ କରୁଛନ୍ତି କାରଣ ଆମେ ଚାପଗ୍ରସ୍ତ ରହୁଛୁ ? ମୋ ସହ ଅନ୍ୟ ୧୦୦ ଜଣ କର୍ମଚାରୀଙ୍କୁ ଛଟେଇ କରାଯାଇଛି । ଏହି ପୋଷ୍ଟରେ ’ଜଣେ ୟୁଜର ଲେଖିଛନ୍ତି, ‘ଯଦି କମ୍ପାନୀ ମାନସିକ ସ୍ୱାସ୍ଥ୍ୟ ସର୍ଭେ ନାଁରେ ଛଟେଇ କରିବ ତେବେ କିଏ ବି ନିଜ ମାନସିକ ସ୍ଥିତି ବିଷୟରେ ଖୋଲିକି କହିବନି ।’ ଅନ୍ୟ ଜଣେ ଲେଖିଛନ୍ତି, ‘କାର୍ଯ୍ୟ ଚାପର ମୁକାବିଲା ଆଶାରେ କମ୍ପାନୀଗୁଡ଼ିକ କର୍ମଚାରୀଙ୍କ ମାନସିକ ସ୍ଥିତିକୁ ଅଣଦେଖା କରୁଛନ୍ତି ।’ ଅପରପକ୍ଷରେ କମ୍ପାନୀ ଏହାର ସ୍ପଷ୍ଟୀକରଣରେ କହିଛି କି କର୍ମଚାରୀଙ୍କ ଭଲ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ସର୍ଭେ ରିପୋର୍ଟର ଫଳାଫଳ ଅନୁଯାୟୀ କିଛି କର୍ମଚାରୀଙ୍କୁ ଅଧିକ କାର୍ଯ୍ୟ ଚାପ ଥିଲା ଏବଂ ସେମାନଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।