fbpx

ଉଚ୍ଚ ଶିକ୍ଷା ବିଭାଗର ନୂଆ ଯୋଜନା: ଅଧ୍ୟାପକଙ୍କ ଦକ୍ଷତା ବୃଦ୍ଧି ପାଇଁ ଦିଆଯିବ ପ୍ରଶିକ୍ଷଣ, ନିଯୁକ୍ତି ପାଇବେ ଅବସରପ୍ରାପ୍ତ ଓ ବରିଷ୍ଠ ପ୍ରଫେସର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଅଭାବ ଦୂର ହେବ । ତେବେ ପ୍ରଫେସରଙ୍କ ନିଯୁକ୍ତି ଉପରେ କଟକଣା ରହିଥିବା ବେଳେ ତା’ର ବିକଳ୍ପ ବ୍ୟବସ୍ଥା ସ୍ଥିର କରାଯାଇଛି । ବିଶ୍ୱବିଦ୍ୟାଳୟ, ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ଼ କରିବାକୁ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସମୀକ୍ଷା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି ।

ସୂଚନା ମୁତାବକ, ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟ କରୁଥିବା ଅଧ୍ୟାପକ ଓ ପ୍ରଫେସରଙ୍କର ଦକ୍ଷତା ବୃଦ୍ଧି ପାଇଁ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ଖୁବଶୀଘ୍ର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ବିଶ୍ୱବିଦ୍ୟାଳୟରେ ଦୀର୍ଘଦିନ ଧରି ପ୍ରଫେସର ନିଯୁକ୍ତି ବନ୍ଦ ରହିଥିବା ବେଳେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଉପରେ ଅଦାଲତ ପକ୍ଷରୁ ରହିତାଦେଶ ଜାରି କରାଯାଇଛି ।

ତେଣୁ ଏହିସବୁ ସମସ୍ୟାର ସମାଧାନ କିପରି କରାଯିବ ସେନେଇ ବୈଠକରେ ଆଲୋଚନା ହୋଇଥିଲା । ରାଜ୍ୟରେ ଅତିଥି ଓ ଅସ୍ଥାୟୀ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯିବ । ଏଥିସହିତ ଅତିଥି ଅଧ୍ୟାପକଙ୍କ ସଂଖ୍ୟା ବୃଦ୍ଧି କରାଯିବା ସହିତ ସେମାନଙ୍କର ପାରିଶ୍ରମିକ ବୃଦ୍ଧି କରାଯିବ । ବିଶ୍ୱବିଦ୍ୟାଳୟର ଶିକ୍ଷାଦାନରେ ଅବସରପ୍ରାପ୍ତ ଓ ବରିଷ୍ଠ ପ୍ରଫେସରଙ୍କୁ ସାମିଲ କରାଯାଇ ଏଥିପାଇଁ ଅତିରିକ୍ତ ଭାବେ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏନେଇ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯିବ । ସେହିପରି ସରକାରୀ ମହାବିଦ୍ୟାଳୟରେ ନିଯୁକ୍ତି ପାଇଁ ମନୋନୀତ ହୋଇଥିବା ୧୫୦ ଜଣ ସହକାରୀ ପ୍ରଫେସରଙ୍କୁ ଆସନ୍ତା ୧୦ ତାରିଖରେ କାଉନସେଲିଂ କରାଯିବ । ରାଜ୍ୟ ଚୟନ ବୋର୍ଡ (ଏସଏସବି) ପକ୍ଷରୁ ୧୦୬୫ଟି ଅଧ୍ୟାପକ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଚାଲିଥିବା ବେଳେ ଚଳିତ ମାସ ଶେଷ ସୁଦ୍ଧା ସେମାନଙ୍କୁ କଲେଜରେ ନିଯୁକ୍ତି ଦିଆଯିବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.