fbpx

କୃଷି ଆଇନ ପରି ରଦ୍ଦ ହେଉ ସିଏଏ, ଶୀତକାଳୀନ ଅଧିବେଶନ ପୂର୍ବରୁ ଦାବି କଲେ ଏନଡିଏ ସହଯୋଗୀ ଦଳ

ନୂଆଦିଲ୍ଲୀ ; ସର୍ବଦଳୀୟ ବୈଠକରେ ସରକାରଙ୍କ ଅଡୁଆ ବଢାଇଲେ ଏନଡିଏର ସହଯୋଗୀ ଦଳ। ନ୍ୟାସନାଲ ପିପୁଲ୍ସ ପାର୍ଟିର ନେତା ଅଗାଥା ସଙ୍ଗମା ରବିବାର ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ଏନଡିଏର ସହଯୋଗୀଙ୍କ ବୈଠକରେ ନାଗରିକତା ସଂଶୋଧନ ଅଧିନିୟମ(ସିଏଏ) ରଦ୍ଦ କରିବାକୁ ଦାବି କରିଛନ୍ତି।

ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକରେ ଏନପିପି ସିଏଏ ଆଇନ ରଦ୍ଦ କରିବାକୁ ଦାବି କରିଛନ୍ତି। ପାର୍ଟିର ନେତା ଅଗାଥା ସାଙ୍ଗମା ବୈଠକ ପରେ କହିଛନ୍ତି, କୃଷି ଆଇନ ପ୍ରତ୍ୟାହାର କରାଯିବା ନିଷ୍ପତ୍ତି ନିଶ୍ଚିତ ଭାବେ ଲୋକଙ୍କ ହିତକୁ ଧ୍ୟାନରେ ରଖି ନିଆଯାଇଛି। ଏଥିପାଇଁ ମୁଁ ଉତ୍ତର ପୂର୍ବର ଜନତାଙ୍କ ଭାବନାକୁ ଧ୍ୟାନରେ ରଖି ସରକାରଙ୍କୁ ସିଏଏ ରଦ୍ଦ କରିବାକୁ ଅନୁରୋଧ କରୁଛି।

ସଙ୍ଗମା କହିଛନ୍ତି, ଏହି ପ୍ରସଙ୍ଗରେ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ମାତ୍ର ସରକାରଙ୍କ ଏହି ଦାବି ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ମୁଁ ନିଜ ପାର୍ଟି ଏବଂ ପୂର୍ବୋତର ଲୋକଙ୍କ ଦାବି ସରକାରଙ୍କ ସମ୍ମୁଖରେ ରଖିଛି। ଆଶା କରୁଛି ସରକାର ଏହି ଦିଗରେ ଉଚିତ୍ ପଦକ୍ଷେପ ନେବେ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ପକ୍ଷରୁ ବିବାଦୀୟ ତିନି କୃଷି ଆଇନ ପ୍ରତ୍ୟାହାର ଘୋଷଣା ପରେ ଏବେ ଦେଶରେ ସିଏଏ ପ୍ରତ୍ୟାହାର ଦାବି ଜୋର ଧରିଛି। ବିରୋଧୀ ଦଳ ସହ ଅନେକ ସଂଗଠନ ସିଏଏ ରଦ୍ଦ କରିବାକୁ ଦାବି କରିଛନ୍ତି।

Get real time updates directly on you device, subscribe now.