fbpx

ପୂର୍ବତନ ଜଜଙ୍କ ପ୍ରଧାନ ବିଚାରପତିଙ୍କୁ ଚିଠି, ନୂପୁର ଶର୍ମା ମାମଲାରେ ସୁପ୍ରିମକୋର୍ଟ ଲାଙ୍ଘିଛନ୍ତି ନିଜର ଲକ୍ଷ୍ମଣ ରେଖା

ନୂଆଦିଲ୍ଲୀ: ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ବୟାନ କାରଣରୁ ଉଦୟପୁର ଘଟଣା ଘଟିଛି। ନୂପୁର ଶର୍ମା ଏଥିପାଇଁ ଦାୟୀ। ତେଣୁ ତାଙ୍କୁ ଦେଶ ଆଗରେ କ୍ଷମା ମାଗିବା ଉଚିତ୍। ଏହା କହିଥିଲେ ସୁପ୍ରିମକୋର୍ଟ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏମିତି ଟିପ୍ପଣୀକୁ ନାପସନ୍ଦ କରିଛନ୍ତି ପୂର୍ବତନ ବିଚାରପତି। ଏ ନେଇ ସେ ଭାରତର ପ୍ରଧାନ ବିଚାରପତିଙ୍କ ନିକଟକୁ ଚିଠି ଲେଖିଛନ୍ତି। କେରଳ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ରବୀନ୍ଦ୍ରନଙ୍କ ଏହି ଚିଠିରେ ୧୫ ଅବସରପ୍ରାପ୍ତ ବିଚାରପତି, ୭୭ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ, ୨୫ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ହସ୍ତାକ୍ଷର ରହିଛି। ନୂପୁର ଶର୍ମାଙ୍କ ବିରୋଧରେ ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ମାମଲା ରୁଜୁ କରାଯାଇଛି। ଏହି ସବୁ ମାମଲାକୁ ଗୋଟିଏ ସ୍ଥାନକୁ ହସ୍ତାନ୍ତର କରିବାକୁ ନୂପୁର ଶର୍ମା ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ।

ପୂର୍ବତନ ବିଚାରପତି ପିଏନ ରବୀନ୍ଦ୍ରନ ନିଜ ଚିଠିରେ କହିଛନ୍ତି, ଆମେ ଜଣେ ଦାୟିତ୍ଵବାନ ନାଗରିକ ହିସାବରେ ବିଶ୍ଵାସ କରୁଛୁ ଯେ, କୌଣସି ଦେଶର ଗଣତନ୍ତ୍ର ସେ ପର‌୍ୟ୍ୟନ୍ତ ବଜାୟ ରହିବ ନାହିଁ, ଯେ ପର‌୍ୟ୍ୟନ୍ତ ସମସ୍ତ ସଂସ୍ଥା ସମ୍ବିଧାନ ମୁତାବକ ନିଜ କର୍ତ୍ତବ୍ୟର ପାଳନ କରିବେ ନାହିଁ। ସୁପ୍ରିମକୋର୍ଟର ଦୁଇ ବିଚାରପତି ନିକଟରେ ଦେଇଥିବା ଟିପ୍ପଣୀରେ ନିଜର ଲକ୍ଷ୍ମଣରେଖା ଉଲ୍ଲଂଘନ କରିଛନ୍ତି। ତେଣୁ ଆମେ ଏହି ଚିଠି ଲେଖିବାକୁ ବାଧ୍ୟ ହୋଇଛୁ। ଦୁଇ ଜଜଙ୍କ ଟିପ୍ପଣୀ ଲୋକଙ୍କୁ ସ୍ତବ୍ଧ କରିଛି। ଏହି ଟିପ୍ପଣୀ ବିଚାରବିଭାଗୀୟ ଆଦେଶର ଅଂଶ ନୁହେଁ। ଜଣେ ବ୍ୟକ୍ତିଙ୍କ ଉପରେ ଦେଶର ଅନେକ ରାଜ୍ୟରେ ରୁଜୁ ମାମଲାକୁ ଗୋଟିଏ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଆବେଦନ କରିବା ଆଇନଗତ ଅଧିକାର ରହିଛି।

ନୂପୁର ଶର୍ମାଙ୍କ ଯାଚିକା ଉପରେ ସୁପ୍ରିମକୋର୍ଟର ବିଚାରପତି ସୂର‌୍ୟ୍ୟକାନ୍ତ ଏବଂ ବିଚାରପତି ଜେବି ପାରଦିବାଲାଙ୍କ ପୀଠ ଶୁଣାଣି କରିଥିଲେ। ପୀଠ କହିଥିଲେ, ଦେଶରେ ଯାହା ସ୍ଥିତି ଉତ୍ପନ ହୋଇଛି ସେଥିପାଇଁ ନୂପୁର ଶର୍ମାଙ୍କ ବୟାନ ଦାୟୀ। ପୀଠଙ୍କ ଏହି ଟିପ୍ପଣୀ ବିରୋଧରେ ଅଲଗା ଅଲଗା ସଂଗଠନ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖି ଅଭିଯୋଗ କରୁଛନ୍ତି।

 

Get real time updates directly on you device, subscribe now.