fbpx

Prasar Bharti ମାଧ୍ୟମରେ କରାଯିବ ସରକାରୀ ସିଧା ପ୍ରସାରଣ କାର୍ଯ୍ୟ: ସମସ୍ତ ରାଜ୍ୟ ଓ ମନ୍ତ୍ରଣାଳୟକୁ କେନ୍ଦ୍ରର ନୋଟିସ୍

ନୂଆଦିଲ୍ଲୀ: ଏଣିକି ସମସ୍ତ ସରକାରୀ ପ୍ରସାରଣ କାର୍ଯ୍ୟ କରିବ ପ୍ରସାର ଭାରତୀ । ଭବିଷ୍ୟତରେ କେନ୍ଦ୍ର ସରକାରଙ୍କର କୌଣସି ମନ୍ତ୍ରଣାଳୟ, ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପ୍ରସାରଣରେ ସାମିଲ ହୋଇପାରିବେ ନାହିଁ । ନିଜର ସମସ୍ତ ବିଷୟବସ୍ତୁକୁ ପ୍ରସାର ଭାରତୀ ମାଧ୍ୟମରେ ପ୍ରସାରଣ କରିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏ ବାବଦରେ କେନ୍ଦ୍ର ସରକାରଙ୍କ ତରଫରୁ ଏକ ଆଡଭାଇଜରି ଜାରି କରାଯାଇଛି ।

ଏହି ଆଡଭାଇଜରି ଜାରି କରିବା ପୂର୍ବରୁ ପ୍ରସାରଣ କରୁଥିବା ସମସ୍ତ ରାଜ୍ୟ ଓ ମନ୍ତ୍ରଣାଳୟଗୁଡ଼ିକୁ କେନ୍ଦ୍ର ସରକାର ସମୟ ଦେଇଥିଲେ । ୨୦୨୩ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହି ସମୟ ଧାର୍ଯ୍ୟ ହୋଇଥିଲା । । ଏହି ନୂଆ ଆଡଭାଇଜରି ଦ୍ୱାରା ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶ ସରକାର ବିଶେଷ ଭାବେ ପ୍ରଭାବିତ ହେବାର ସମ୍ଭାବନା ରହିଛି । ତାମିଲନାଡ଼ୁ ସରକାର ଶୈକ୍ଷିକ ଚାନେଲ କାଲବୀ ଟିଭି ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ଆଇପିଟିବି ଡିଟିଏଚ ପ୍ଲାଟଫର୍ମରେ ଏବେ ଉପଲବ୍ଧ ରହିଛି ।

ଟେଲିକମ୍ ରେଗୁଲେଟରୀ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ)ର ସୁପାରିଶ, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି, ଆଇନ ଓ ନ୍ୟାୟିକ ମନ୍ତ୍ରଣାଳୟର ଆଇନଗତ ମତାମତ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି । ସମ୍ବିଧାନର ଅନୁଚ୍ଛେଦ ୨୪୬ ଅନୁସାରେ ଏହି ସମସ୍ତ ବିଷୟ ଉପରେ କେବଳ କେନ୍ଦ୍ର ସରକାର ନିୟମ ପ୍ରଣୟନ କରିପାରିବେ ବୋଲି ଆଇଟି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିଜସ୍ୱ କ୍ଷେତ୍ର ସହିତ ସଂଯୁକ୍ତ ଉଦ୍ୟୋଗକୁ ପ୍ରସାରଣ ବ୍ୟବସାୟରେ ପ୍ରବେଶ ନେଇ ଅନୁମତି ଦିଆଯିବା ଅନୁଚିତ ବୋଲି ଟ୍ରାଇ କହିଥିଲେ ।

Get real time updates directly on you device, subscribe now.