ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍, RBIରେ ଥିବା ନିୟମ ସମ୍ପର୍କରେ କହିଛନ୍ତି ଯେ ‘CIBIL ସ୍କୋର’କୁ ନଦେଖି ଚାଷୀମାନଙ୍କୁ ଋଣ ଦିଆଯିବ। ଏବଂ ଯେଉଁ ବ୍ୟାଙ୍କ ଶାଖା ଏହି ସ୍କୋରକୁ ନେଇ ଜୋର କରିବ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
CIBIL ସ୍କୋର କଣ ?
ସିବିଲ୍ ସ୍କୋର ହେଉଛି ଭାରତର ଏକ କ୍ରେଡିଟ ବ୍ୟୁରୋ, ଯାହା ବ୍ୟକ୍ତି ଏବଂ ବ୍ୟବସାୟର କ୍ରେଡିଟ ବଜାୟ ରଖେ।ଏହି ସ୍କୋର ବ୍ୟବହାର କରି ବ୍ୟାଙ୍କମାନେ ଜାଣିପାରନ୍ତି ଯେ, ବ୍ୟାଙ୍କ ଲୋନ ଦେଲେ ତାହାକୁ ଆପଣ ଠିକ ସମୟରେ ଫେରାଇ ପାରିବେ କି ନାହିଁ ଏବଂ ଆଗରୁ କେତେଟା ଲୋନ ନେଇ ଠିକ ସମୟରେ ଫେରାଇଛନ୍ତି।
ଏହା ମୁଖ୍ୟତଃ ୩୦୦ ରୁ ୯୦୦ ପର୍ଯ୍ୟନ୍ତ ୩ ଅଙ୍କ ବିଶିଷ୍ଟ ସଂଖ୍ୟା ମଧ୍ୟରେ ସୀମିତ ରହିଥାଏ । ଯଦି ସ୍କୋର ୯୦୦ ପାଖାପାଖି ରୁହେ, ତେବେ ଏହା ଭଲ ହୋଇଥାଏ । ବ୍ୟାଙ୍କ ଏବଂ ଋଣଦାତାମାନେ ଟଙ୍କା ଦେବା ପୂର୍ବରୁ ଏହି ସ୍କୋରକୁ ବ୍ୟବହାର କରନ୍ତି । ଯାହାର ଭଲ ସ୍କୋର ଥାଏ ତାଙ୍କୁ ବହୁତ ଜଲ୍ଦି ଋଣ ମିଳିଯାଇଥାଏ।
ଗ୍ରାହକଙ୍କ ଋଣ ପରିଶୋଧ କରିବାର କ୍ଷମତାକୁ ବିଚାରକୁ ନେଇ ସହ୍ୟାଦ୍ରି ଗେଷ୍ଟ ହାଉସରେ ଅନୁଷ୍ଠିତ ୧୬୭ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (SLBC) ବୈଠକରେ ମୁଖ୍ୟମନ୍ତ୍ରୀ ଫଡନାଭିସ୍ କହିଛନ୍ତି, “ଯଦି ଚାଷୀମାନଙ୍କୁ କୃଷି ଋଣ ନ ମିଳେ, ତେବେ ଏହା ଅର୍ଥନୀତି ଉପରେ ଖରାପ ପ୍ରଭାବ ପକାଇବ ଏବଂ ଚାଷୀ ଆତ୍ମହତ୍ୟା ବୃଦ୍ଧି ପାଇବ।
ଆମେ ବାରମ୍ବାର ବ୍ୟାଙ୍କଗୁଡ଼ିକୁ CIBIL ସ୍କୋର ନ ମାଗିବାକୁ ନିର୍ଦ୍ଦେଶ ଦେଇଛୁ, ତଥାପି ସେମାନେ ଏପରି କରିଚାଲିଛନ୍ତି, ଏହାର ସମାଧାନ ହେବା ଆବଶ୍ୟକ। ଯଦି କେଉଁ ବ୍ୟାଙ୍କ ଏହାକୁ ନମାନିଲେ ତେବେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।
୪୪.୭୬ ଲକ୍ଷ କୋଟି ଟଙ୍କାର ଋଣ ଯୋଜନାକୁ ମଞ୍ଜୁରୀ
ବୈଠକ ସମୟରେ, ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ମହାରାଷ୍ଟ୍ର ପାଇଁ ୪୪.୭୬ ଲକ୍ଷ କୋଟି ଟଙ୍କାର ଋଣ ଯୋଜନାକୁ ମଞ୍ଜୁରୀ ଦିଆଯାଇଛି । ଦେଶରେ ମହାରାଷ୍ଟ୍ରର ଅଗ୍ରଣୀ ସ୍ଥିତି ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀମାନେ ରାଜ୍ୟର ମେରୁଦଣ୍ଡ ଏବଂ କୃଷି ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। କୃଷି କ୍ଷେତ୍ରରେ ଅବହେଳା ଗ୍ରହଣୀୟ ନୁହେଁ।