fbpx

ସାଧାରଣ ନିର୍ବାଚନ ପାଇଁ ପଞ୍ଜୀକୃତ ହେଲେ ୯୭ କୋଟି ଭୋଟର, ଜାଣନ୍ତୁ ଲିଷ୍ଟରେ କେତେ ଜଣଙ୍କ ନାମ ନାହିଁ

ନୂଆଦିଲ୍ଲୀ: ଗତ ସାଧାରଣ ନିର୍ବାଚନ ତୁଳନାରେ ଏଥର ରେଜିଷ୍ଟର୍ଡ ମତଦାତାମାନଙ୍କ ଲିଷ୍ଟରେ ୬ ପ୍ରତିଶତ ବୃଦ୍ଧି ଘଟିଛି । ଚଳିତ ବର୍ଷରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ହାରାହାରି ୯୭ କୋଟି ଲୋକ ଭୋଟ ଦେବାକୁ ଯୋଗ୍ୟ ହେବେ । ଏହି ବାବଦରେ ଭାରତୀୟ ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ଘୋଷଣା କରିଥିଲେ ଯେ, ଆଗାମୀ ଲୋକସଭା ନିର୍ବାଚନରେ ଭୋଟିଂ ପାଇଁ ୯୬.୮୮ କୋଟି ଲୋକ ରେଜିଷ୍ଟ୍ରେସନ କରିଛନ୍ତି ।

ଆୟୋଗରେ କୁହାଯାଇଛି ଯେ, ଚଳିତ ବର୍ଷ ୧୮ ରୁ ୨୯ ବର୍ଷ ବୟସର ଦୁଇ କୋଟିରୁ ଅଧିକ ଯୁବକ ମଧ୍ୟ ଭୋଟର ତାଲିକାରେ ଯୋଡି ହୋଇଛନ୍ତି । ସେହିପରି ଲିଙ୍ଗ ଅନୁପାତ ୨୦୨୩ରେ ୯୪୦ରୁ ବଢି ୨୦୨୪ରେ ୯୪୮ ହୋଇଯାଇଛି । ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର କହିଛନ୍ତି ଯେ, ଆୟୋଗ ଭୋଟର ଲିଷ୍ଟରେ ରିଭିଜନ ଏବଂ ପାରଦର୍ଶିତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏହି ସମୟରେ ସେ ପୁଣେରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ବିଷୟରେ ଉଲ୍ଲେଖ କରିଥିଲେ ଯେଉଁଥିରେ ଭୋଟର ତାଲିକା ସହ ଜଡିତ ସମସ୍ତ କାର୍ଯ୍ୟ ସହିତ ପ୍ରତ୍ୟେକ ପର୍ଯ୍ୟାୟରେ ରାଜନୈତିକ ଦଳର ଅଂଶଗ୍ରହଣ ବିଷୟରେ ବର୍ଣ୍ଣନା କରାଯାଇଛି ।

ସେ କହିଛନ୍ତି ଯେ, ଏଥର ମହିଳା ଭୋଟରଙ୍କ ପଞ୍ଜିକରଣରେ ବୃଦ୍ଧି ଘଟିଛି, ଯାହା ନିର୍ବାଚନ ଢାଞ୍ଚାରେ ଲିଙ୍ଗଗତ ସମାନତା ପ୍ରତି ଏକ ଠୋସ୍ ପ୍ରୟାସର ଉଦାହରଣ ଅଟେ। ଦେଶର ଗଣତାନ୍ତ୍ରିକ ଗଠନରେ ମହିଳାଙ୍କ ବଢୁଥିବା ଭୂମିକାକୁ ପ୍ରତିଫଳିତ କରି ନିର୍ବାଚନ ତାଲିକାରେ ଲିଙ୍ଗ ଅନୁପାତ ସକରାତ୍ମକ ଭାବେ ବୃଦ୍ଧି ପାଇଛି ବୋଲି ଆୟୋଗ କହିଛନ୍ତି। ନିର୍ବାଚନ ଆୟୋଗ ଆହୁରି ମଧ୍ୟ କହିଛନ୍ତି ଯେ ୨.୬୩ କୋଟିରୁ ଅଧିକ ନୂତନ ଭୋଟରଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି, ସେଥିମଧ୍ୟରୁ ପ୍ରାୟ ୧.୪୧ କୋଟି ମହିଳା ଭୋଟର ଅଛନ୍ତି। ଏଥି ସହିତ ପୁରୁଷ ଭୋଟରଙ୍କ ସଂଖ୍ୟା ହେଉଛି ୧.୨୨ କୋଟି।

ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ଚଳିତ ବର୍ଷ ୧ କୋଟି ୬୫ ଲକ୍ଷ ୭୬ ହଜାର ୬୫୪ ଜଣଙ୍କ ନାମ ତାଲିକାରୁ ହଟାଇ ଦିଆଯାଇଛି। ଏଥିମଧ୍ୟରେ ସେହି ବ୍ୟକ୍ତିମାନେ ଅଛନ୍ତି ଯେଉଁମାନେ ମରିଛନ୍ତି କିମ୍ବା ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୋଇଛନ୍ତି। ଏହା ବ୍ୟତୀତ ନକଲି ଭୋଟରଙ୍କ ନାମ ହଟାଇ ଦିଆଯାଇଛି। ଏଥିରେ ୬୭ ଲକ୍ଷ ୮୨ ହଜାର ୬୪୨ ମୃତ ଭୋଟର, ୭୫ ଲକ୍ଷ ୧୧ ହଜାର ୧୨୮ ଅନୁପସ୍ଥିତ ଭୋଟର ଏବଂ ୨୨,୫,୬୮୫ ନକଲ ଭୋଟର ଅନ୍ତର୍ଭୁକ୍ତ।

Get real time updates directly on you device, subscribe now.