fbpx

BIG BREAKING: ୩୩ ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବନ କଲେ ବାଚସ୍ପତି

ଓଡିଶା ଭାସ୍କର: ପୁଣି ଲୋକସଭାରେ ବଡ଼ ଆକ୍ସନ। ସଂସଦର ଶୀତକାଳୀନ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ଲୋକସଭା ବାଚସ୍ପତି ଓମ ବିର୍ଲା କଂଗ୍ରେସର ବିବାଦୀୟ ସାଂସଦ ଆଧୀର ରଂଜନ ଚୌଧୁରୀଙ୍କ ସମେତ ୩୩ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି। ଲୋକସଭାର ସୁରକ୍ଷା ଉଲ୍ଲଂଘନ ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତି ଦାବିରେ ସାଂସଦମାନେ ଗୃହ ଭିତରେ ପ୍ଲାକାର୍ଡ ପ୍ରଦର୍ଶନ କରୁଥିବା ବେଳେ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଏଠାରେ କହି ରଖୁଛୁ ଯେ, ସଂସଦର ସୁରକ୍ଷା ତ୍ରୁଟିକୁ ନେଇ ଗୃହ ଉଠୁଛି ପଡୁଛି। ଫଳରେ ଶୀତ ଅଧିବେଶରେ ସାଂସଦଙ୍କ ହଙ୍ଗାମା ଗୃହ କାର୍ୟ୍ୟକୁ ଅଚଳ କରିଦେଇଛି। ତେବେ ଆଜି ଗୃହ ଆରମ୍ଭ ହେଉ ହେଉ ସଂସଦରେ ଗ୍ୟାସ୍ ସ୍ପ୍ରେ ଘଟଣାରେ ପ୍ରଧାନମନ୍ତ୍ରୀ ବିବୃତ୍ତି ରଖନ୍ତୁ ବୋଲି କଂଗ୍ରେସ ସାଂସଦ ଅଧୀର ଚୌଧୁରୀ ଦାବି କରିଥିଲେ। ଡିସେମ୍ବର ୧୩ ରେ ସଂସଦର ସୁରକ୍ଷା ଉଲ୍ଲଂଘନ ପ୍ରସଙ୍ଗରେ ବିରୋଧୀ ସଦସ୍ୟମାନେ କ୍ରମାଗତ ଭାବେ ହୋହଲ୍ଲା କରିବାରୁ ସେମାନଙ୍କୁ ନିଲମ୍ବନ କରାଯାଇଛି। ଅନ୍ୟପଟେ ସାଂସଦଙ୍କ ନିଲମ୍ବନ ପରେ ଗୃହକୁ ଆସନ୍ତାକାଲି ପର୍ୟ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।

କଂଗ୍ରେସର ଅଧୀର ଚୌଧୁରୀଙ୍କ ବ୍ୟତୀତ ଡିଏମକେ ସାଂସଦ ଟି ଆର ବାଲୁ ଓ ଦିନାନିଧି ମାରାନ, ଟିଏମସିର ସୌଗତ ରୟ ପ୍ରମୁଖ ରହିଛନ୍ତି। ସାଂସଦମାନଙ୍କ ନିଲମ୍ବନ ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗୃହରେ ପ୍ରସ୍ତାବ ଦେଇଥିଲେ। ତେବେ ଏହା ପୂର୍ବରୁ ୧୩ ଜଣ ଲୋକସଭା ସାଂସଦ ଏବଂ ଜଣେ ରାଜ୍ୟସଭା ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା। ସଂସଦରେ “ଅସାମ୍ବିଧାନିକ ଆଚରଣ” ଅଭିଯୋଗରେ ସେମାନେ ନିଲମ୍ବିତ ହୋଇଥିଲେ। ଏହାକୁ ମିଶାଇ ଏଯାବତ ମୋଟ ୪୭ଜଣ ସାଂସଦଙ୍କୁ ନିଲମ୍ବନ କରାଗଲାଣି।

Get real time updates directly on you device, subscribe now.