Long Covidର ନୂଆ ଲକ୍ଷଣ: ୧୦ ମିନିଟ ଠିଆ ହଲେ ନୀଳ ହୋଇଯାଉଛି ଗୋଡ଼ର ରଙ୍ଗ

ନୂଆଦିଲ୍ଲୀ: କିଛି ଦିନରୁ କରୋନା ମହାମାରୀକୁ ନେଇ ଲେକାଙ୍କ ମନରୁ ଭୟ କମ୍ ହୋଇଛି । କିନ୍ତୁଏହା ଭିତରେ ମହାମାରୀ ଆଉ ଏକ ଭୟଙ୍କର ରୂପ ଦେଖାଇଛି । ଦୀର୍ଘ ଦିନରୁ କରୋନାରେ ପୀଡିତ ଜଣେ ରୋଗୀ ମାତ୍ର ୧୦ ମିନିଟ ଠିଆ ହେବା ପରେ ତାଙ୍କ ଗୋଡ଼ର ରଙ୍ଗ ବଦଳି ଯାଇଥିବା ଦେଖାଯାଇଛି । ଠିଆ ହୋଇଥିବା ଅବସ୍ଥାରେ ହିଁ ତାଙ୍କ ଗୋଡ଼ ହଠାତ୍ ନୀଳ ରଙ୍ଗରେ ପରିବର୍ତ୍ତନ ହୋଇ ଯାଇଥିବା ଦେଖିବାକୁ ମିଳିଛି । କରୋନାର ଏହି ନୂଆ ଲକ୍ଷଣକୁ ନେଇ ଅଧିକ ତଥ୍ୟ ଏବଂ ସଚେତନତାର ଆବଶ୍ୟକତା ରହିଥିବା କହିଛନ୍ତି ଭାରତୀୟ ଅନୁସନ୍ଧାନକାରୀ ଡା. ମନୋଜ ଶିଭନ୍ ।

ଶିଭନଙ୍କ ଏକ ରିସର୍ଚ୍ଚରେ ଏ ନେଇ ପ୍ରକାଶ କରାଯାଇଛି । ଜଣେ ୩୩ ବର୍ଷୀୟ ବ୍ୟକ୍ତି ଆକ୍ରୋସିୟାନୋସିସ ରୋଗରେ ଆକ୍ରାନ୍ତ ହୋଇଥିଲେ । ଏହି ରୋଗରେ ଆକ୍ରାନ୍ତ ଗୋଡ଼ରେ ରକ୍ତ ଜମାଟ ବାନ୍ଧିଥାଏ । ତେବେ ଠିଆ ହେବାର ଗୋଟିଏ ମିନିଟ ପରେ ତାଙ୍କ ଗୋଡ ପ୍ରଥମେ ଲାଲ୍ ରଙ୍ଗ ଏବଂ ଧିରେ ଧିରେ ଏହା ନୀଳ ରଙ୍ଗ ଧାରଣ କରିଥିଲା । ଏହା ସହିତ ଗୋଡ଼ର ଶିରାଗୁଡ଼ିକ ସ୍ପଷ୍ଟ ଦେଖାଯାଇଥିଲା । ତେବେ ଏହିପରି ଭାବରେ ଠିଆ ହେବାର ୧୦ ମିନିଟ ପରେ ଏହି ରଙ୍ଗ ପରିବର୍ତ୍ତନ ହୋଇଥିଲା । ଆକ୍ରାନ୍ତଙ୍କ ଗୋଡ଼ ଓଜନ ଏବଂ କୁଞ୍ଚିତ ହୋଇଯିବା ସହିତ ଏହି ରଙ୍ଗ ସମ୍ପୂର୍ଣ୍ଣ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା । ତେବେ ଏହାପରେ ସେ ବସି ଯାଇଥିଲେ । ବସିବାର ମାତ୍ର ୨ ମିନିଟ ପରେ ଗୋଡ଼ ପୁଣି ପୂର୍ବାବସ୍ଥାକୁ ଫେରି ଆସିଥିଲା ଏବଂ ପ୍ରକୃତ ରଙ୍ଗ ଧାରଣ କରିଥିବା ଦେଖାଯାଇଛି ।

କରୋନାରେ ପୀଡିତ ହେବା ପରଠାରୁ ଏଭଳି ପରିବର୍ତ୍ତନ ହୋଇଥିବା କହିଛନ୍ତି ଆକ୍ରାନ୍ତ ବ୍ୟକ୍ତି । ତେବେ ସେ ପୋଷ୍ଟୁରାଲ ଅର୍ଥୋଷ୍ଟାଟିକ ଟାକିକାର୍ଡିଆ ସିଣ୍ଡ୍ରୋମ(POTS)ରେ ପୀଡିତ ଥିଲେ । ଏଥିରେ ଜଣେ ମଣିଷ ଠିଆହେବା ଦ୍ୱାରା ତାଙ୍କର ହୃଦସ୍ପନ୍ଦନ ଅସ୍ୱାଭାବିକ ହୋଇଥାଏ । ଏ ନେଇ ଡା. ଶିଭନ କହିଛନ୍ତି ଯେ, ଆକ୍ରୋସିୟାନୋସିସ ରୋଗର ଏହା ଏକ ଅଦ୍ଭୁତ ଘଟଣା, ଯାହା ପୂର୍ବରୁ କେବେ ହୋଇ ନଥିଲା । ତେବେ ଏହା ଦୀର୍ଘ ଦିନ କରୋନାରେ ପୀଡିତ ହେବା ତଥା ଡାଇସଟୋନୋମିଆ ରୋଗର ଲକ୍ଷଣ ବୋଲି ଅନେକ ରୋଗୀଙ୍କୁ ଜଣା ନଥିବ । ସେହିପରି ଲଙ୍ଗ କୋଭିଡ ଏବଂ ଆକ୍ରୋସିୟାନୋସିସ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ମଧ୍ୟ ଜଣା ନଥିବ ।

ଲଙ୍ଗ କୋଭିଡ ଶରୀରର ବିଭିନ୍ନ ସିଷ୍ଟମକୁ ପ୍ରଭାବିତ କରିଥାଏ ଏବଂ ଏହାର ଲକ୍ଷଣ ଦୈନନ୍ଦିନ କାର୍ଯ୍ୟର କ୍ଷମତା ଉପରେ ପ୍ରଭାବ ପକାଇଥାଏ । ଏହାବ୍ୟତୀତ ରକ୍ତ ସଞ୍ଚାଳନ ଏବଂ ହୃଦସ୍ପନ୍ଦନ ନିୟନ୍ତ୍ରଣ କରୁଥିବା ନର୍ଭସ ସିଷ୍ଟମକୁ ମଧ୍ୟ ପ୍ରଭାବିତ କରିଥାଏ । ତେବେ ଏହାପୂର୍ବରୁ POTS ଏବଂ ଡାଇସଟୋନୋମିଆ ଲଙ୍ଗ କୋଭିଡ ସହିତ ଶରୀରରେ ବୃଦ୍ଧି ପାଇଥାଏ ବୋଲି ଶିଭନଙ୍କ ପୂର୍ବ ରିସର୍ଚ୍ଚରେ କୁହାଯାଇଛି । ତେଣୁ ବର୍ତ୍ତମାନ ଡାଇସଟୋନୋମିଆର ଦୀର୍ଘସ୍ଥାୟୀତ୍ୱ ଉପରେ ଅଧିକ ସଚେତନତା, ପ୍ରଭାବଶାଳୀ ମୂଲ୍ୟାଙ୍କନ ଏବଂ ପରିଚାଳନା ଆଭିମୁଖ୍ୟ ସହିତ ସିଣ୍ଡ୍ରୋମ ଉପରେ ଅଧିକ ଅନୁସନ୍ଧାନ ଆବଶ୍ୟକ। ଏହା ଉଭୟ ରୋଗୀ ଏବଂ ଚିକିତ୍ସକଙ୍କୁ ଏହି ଅବସ୍ଥାକୁ ଭଲ ଭାବରେ ପରିଚାଳନା କରିବାରେ ସକ୍ଷମ କରିବ ବୋଲି ଡା. ଶିଭନ କହିଛନ୍ତି ।