fbpx

IPLରେ ଓଡିଆ କମେଣ୍ଟ୍ରି କରିବେ ଲୋରିଆ: ଏମିତି ଭାବେ ମଜା ନେଇ ପାରିବେ ଦର୍ଶକ

କଟକ: ଚଳିତବର୍ଷର ଆଇପିଏଲକୁ ନେଇ ରୋମାଞ୍ଚ ଦିନକୁ ଦିନ ବଢିବାରେ ଲାଗିଛି । ବିଭିନ୍ନ କାରଣରୁ ଆଇପିଏଲ-୨୦୨୩ ସିଜନ୍ ପାଇଁ ଫ୍ୟାନ୍ସମାନଙ୍କ ମନରେ ଉତ୍ସାହ ବଢିଚାଲିଛି । ସେପଟେ ଓଡିଆ କ୍ରିକେଟପ୍ରେମୀମାନଙ୍କ ପାଇଁ ଆଉ ଏକ ସରପ୍ରାଇଜ ଖବର ଏବେ ସାମନାକୁ ଆସିଛି । ଚଳିତବର୍ଷର ଆଇପିଏଲ ସିଜନ ଓଡିଆମାନଙ୍କ ପାଇଁ ହେବାକୁ ଯାଉଛି ଆହୁରି ରୋମାଞ୍ଚକର । କାରଣ ଆସନ୍ତା ଆଇପିଏଲ-୨୦୨୩ ମ୍ୟାଚର ସମସ୍ତ ଧାରା ବିବରଣୀ ଓଡିଆ ଭାଷାରେ ଦିଆଯିବ । ଏଥିପାଇଁ ଓଡିଶାର ଜଣେ ଆଗଧାଡିର ଉପସ୍ଥାପିକାଙ୍କୁ ଚୟନ କରାଯାଇଛି ।

ଚଳିତବର୍ଷ ଆଇପିଏଲରେ ଓଡିଆ ଭାଷା ଏବଂ ଓଡିଆ ଆଙ୍କର ଲୋରିଆ ମହାନ୍ତିଙ୍କୁ ମିଳିଛି ଏକ ବଡ ସମ୍ମାନ । ପ୍ରଥମ ଥର ଆଇପିଏଲରେ କମେଣ୍ଟ୍ରି ଓଡିଆ ଭାଷାରେ କରାଯିବ । ଏ ନେଇ ପ୍ରସାରଣ ଦାୟିତ୍ୱରେ ଥିବା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ମୋବାଇଲ ଆପ୍ଲିକେସନରେ କ୍ରିକେଟ ପ୍ରେମୀମାନେ ଓଡିଆ କମେଣ୍ଟ୍ରିର ମଜା ନେଇପାରିବେ । ମ୍ୟାଚ ପୂର୍ବରୁ କ୍ରିକେଟ ବିଶେଷଜ୍ଞମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ ପରିଚାଳନା କରିବା ପାଇଁ କଟକ ସହରର ଲୋରିଆ ମହାନ୍ତିଙ୍କୁ ଚୟନ କରାଯାଇଛି । ଏଥିପାଇଁ ଆସନ୍ତାକାଲି ସେ ମୁମ୍ବାଇ ଅଭିମୁଖେ ଯାତ୍ରା କରିବେ ।

ଦୀର୍ଘ ବର୍ଷରୁ ଓଲିଉଡ ଜଗତରେ ଜଣେ ଆଗେ ଧାଡିର ଆଙ୍କର ଭାବେ ସେ ଖୁବ ପରିଚିତ । ତେବେ ବର୍ତ୍ତମାନ ଏହି ଦିଗରେ ସେ ଆଉ ଏକ ପାଦ ଆଗକୁ ବଢାଇଛନ୍ତି । ବର୍ତ୍ତମାନ ବିଶ୍ୱର ସର୍ବବୃହତ ଟି-୨୦ ଲିଗ୍ ଆଇପିଏଲରେ ସେ ସଂଯୋଜକର ଭୂମିକା ତୁଲାଇବାକୁ ଯାଉଛନ୍ତି । ସେଥିପାଇଁ ତାଙ୍କୁ ସବୁଆଡୁ ପ୍ରଶାଂସାର ସୁଅ ଛୁଟିଛି । ମଞ୍ଚ ପରିଚାଳନା ସହ ଟେଲିଭିଜନ ଆଙ୍କରିଂରେ ସେ ବେଶ ନାଁ କମାଇଥିବା ବେଳେ ଏହି ଦାୟିତ୍ୱ ନିଶ୍ଚୟ କିଛି ନୂଆ ଅନୁଭୂତି ଦେବ ବୋଲି କହିଛନ୍ତି ଲୋରିଆ । କ୍ରିକେଟ ଦୁନିଆରେ ବିଶେଷଜ୍ଞମାନଙ୍କୁ ନେଇ ପ୍ରଥମ ଥର ଏଭଳି ଏକ ବିଶାଳ କାର୍ଯ୍ୟକ୍ରମକୁ ପରିଚାଳନା କରିବା ଚାଲେଞ୍ଜିଂ ରହିବ ବୋଲି ଲୋରିଆ ମତ ରଖିଛନ୍ତି ।

Get real time updates directly on you device, subscribe now.