ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାରେ ବ୍ୟାପି ଚାଲିଛି ପ୍ରେମର ରୋଗ । ଏଠାକାର ଯୁବତୀଙ୍କୁ ଘାରିଛି ପ୍ରେମର ଅଜବ ନିଶା । ପ୍ରେମିକଙ୍କୁ ଧରି ଫେରାର ହେଉଛନ୍ତି ଜଣକ ପରେ ଜଣେ ଯୁବତୀ । ଭୁଲି ଯାଉଛନ୍ତି ଘର, ପରିବାର ଆଉ ବନ୍ଧୁବାନ୍ଧବ । ପ୍ରେମିକଙ୍କ ସହ ରାତାରାତି ଛୁ ମାରୁଛନ୍ତି ଏହି ଜିଲ୍ଲାର ଯୁବତୀ । ଏମିତି ଜଣେ କି ଦୁଇ ଜଣ ନୁହେଁ, ଶହ ଶହ ଯୁବତୀ ଏଠାରେ ପ୍ରେମିକଙ୍କ ସହ ଫେରାର ହେବାର ରେକର୍ଡ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ । ମାତ୍ର ୯ ମାସ ଭିତରେ ୫୬୪ ଜଣ ଯୁବତୀ ପ୍ରେମିକଙ୍କ ସହ ଘରଛାଡି ଚାଲି ଯାଇଛନ୍ତି ।
ସୂଚନା ମୁତାବକ, ଜଣେ ଯୁବତୀ ଘରୁ ଫେରାର ହୋଇଯିବା ପରେ ପରିବାର ଲୋକେ ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଥାନ୍ତି । କିନ୍ତୁ ଏଠାକାର ପରିସ୍ଥିତିକୁ ନଜରରେ ରଖି ପୋଲିସ ଏବେ ଡାଏରୀରେ ଲେଖିବା ଆରମ୍ଭ କରିଛି । ତେଣୁ ଏହି ମାମଲାକୁ ପୋଲିସ ଗମ୍ଭୀରତା ସହ ନେଇଥିବା ଜଣାପଡିଛି । ତେବେ କିଛି ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଥିବା ବେଳେ ଏ ନେଇ ଆକ୍ସନ ମୋଡକୁ ଆସିଛି ଉତ୍ତରପ୍ରଦେଶ ପୋଲିସ । ତେବେ ରୁଜୁ ହୋଇଥିବା ଏହି ମାମଲାରେ ଅଧିକାଂଶ ନାବାଳିକା ଝିଅ ବା ସେମାନଙ୍କର ବୟସ ପ୍ରାୟ ୧୪ ବର୍ଷରୁ ୧୭ ବର୍ଷ ମଧ୍ୟରେ ରହିଛି ।
ତେବେ ପଞ୍ଚଦେବରା ଥାନା ଅଞ୍ଚଳରୁ ସବୁଠୁ କମ୍ ଯୁବତୀ ଫେରାର ହୋଇଥିବା ସୂଚନା ଦେଇଛି ପୋଲିସ । ସେହିଭଳି ବେନିଗଞ୍ଜ କୋତବାଲଇ ଅଞ୍ଚଳରୁ ସର୍ବାଧିକ ଯୁବତୀ ପ୍ରେମ ପାଇଁ ଫେରାର ହୋଇଯାଇଛନ୍ତି । ତେବେ ପ୍ରତିଦିନ ଯେକୌଣସି ଅଞ୍ଚଳରୁ ଯୁବତୀଙ୍କ ଫେରାର ଅଭିଯୋଗ ହେଉଛି । ଯାହା ଫଳରେ ଏଠାରେ ମହିଳା ପୋଲିସଙ୍କ କାମ ଆହୁରି ଟିକିଏ ବଢି ଯାଇଛି ବୋଲି କୁହାଯାଉଛି ।
ଏ ନେଇ ସୂଚନା ଦେଇ ହରଦୋଇ ପୋଲିସ ଅଧୀକ୍ଷକ ରାଜେଶ ଦ୍ୱିବେଦୀ କହିଛନ୍ତି ଯେ, ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରିବା ପରେ ଏମାନଙ୍କର ମେଡିକାଲ ଟେଷ୍ଟ କରାଯାଇଥାଏ । ନାବାଳିକାମାନଙ୍କୁ ସିଡବ୍ଲ୍ୟୁସିର ସମକ୍ଷ କାଉନ୍ସିଲିଙ୍ଗ ପାଇଁ ପ୍ରସ୍ତୁତ କରାଯାଇଥାଏ । ତେବେ ଯୁବତୀମାନଙ୍କୁ ସେମାନଙ୍କ ପରିବାର ପାଖକୁ ପଠାଇ ଦିଆଯାଏ ।