fbpx

ସୃଷ୍ଟିହେଲା ଲଘୁଚାପ: ଆଗାମୀ ୨୪ ଘଣ୍ଟାରେ ଅଧିକ ଘତିଭୂତ ସମ୍ଭାବନା

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହି ଲଘୁଚାପ ଅଧିକ ଘନିଭୂତ ହୋଇ ଓଡିଶା ଉପକୂଳ ଆଡକୁ ଗତି କରିବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ସହ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯାଇଛି । କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ କଟକ ଜିଲ୍ଲାର କିଛି ଅଞ୍ଚଳରେ ବର୍ଷା ଲାଗି ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଏହି ଲଘୁଚାପ ହେତୁ ୧୯ ତାରିଖରେ ବର୍ଷା ଓ ଘଡ଼ଘଡ଼ି ନେଇ ୨୧ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, କଳାହାଣ୍ଡି, ରାୟଗଡ଼ା, ଗଜପତି, କନ୍ଧମାଳ, ବୌଦ୍ଧ, ଗଞ୍ଜାମ, ନୟାଗଡ଼, ଅନୁଗୋଳ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜ । ଏହି ଜିଲ୍ଲାଗୁଡ଼ିକ ମଧ୍ୟରୁ କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାର କିଛି ସ୍ଥାନରେ ୭ରୁ ୧୧ ସେ.ମି. ବର୍ଷା ହେବାର ସମ୍ଭାବନା ରହିଛି ।

ଲଘୁଚାପ ପ୍ରଭାବରେ ରାଜ୍ୟରେ ୨୦ ଓ ୨୧ ଦୁଇ ଦିନ ଧରି ବର୍ଷାର ସମ୍ଭାବନା ରହିଥିବାବେଳେ କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ବିଶେଷ କରି ୨୦, ୨୧ ଓ ୨୨ ତାରିଖରେ ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାଜ୍ୟରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲା । ପରେ ୩ରୁ ୪ ଦିନ ଧରି ପ୍ରବଳ ଗରମ ସହ ଗୁଳୁଗୁଳି ମଧ୍ୟ ଲାଗି ରହିଥିଲା । ଏବେ ପୁଣି ବର୍ଷାର ସମ୍ଭାବନା ନେଇ ରାଜ୍ୟବାସୀ ଆତଙ୍କିତ ହୋଇପଡ଼ିଛନ୍ତି ।

Get real time updates directly on you device, subscribe now.