ସିଲିଣ୍ଡର ପରେ ମହଙ୍ଗା ହେଲା ଗ୍ୟାସ୍ କନେକ୍ସନ, ଜାଣନ୍ତୁ କେତେ ଦେବାକୁ ପଡିବ ଦାମ୍

ନୂଆଦିଲ୍ଲୀ: ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ଅତ୍ୟାବଶ୍ୟକ ଜୀବନରୁ ଦମଦାମ୍ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଚିନ୍ତାରେ ଉପଭୋକ୍ତା । ତେବେ ଏହି ଧାଡିରେ ଏବେ ସାମିଲ ହୋଇଯାଇଛି ଗ୍ୟାସ୍ କନେକ୍ସନ । କଥାଟା ହେଉଛି ଯଦି ଆପଣ ନୂଆ କରି ଗ୍ୟାସ୍ କନେକ୍ସନ ନେବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ୧୪୫୦ ଟଙ୍କା ଦେବା ବଦଳରେ ୨୨୦୦ ଟଙ୍କା ଦେବାକୁ ହେବ ।

୨ଟି ସିଲିଣ୍ଡର ପାଇଁ ଡବଲ ଖର୍ଚ୍ଚ:-
ତେବେ ପେଟ୍ରୋଲିୟମ କମ୍ପାନୀର ନୂଆ ନିୟମ ଅନୁଯାୟୀ, ଏଥର ନୂଆ କରି ଗ୍ୟାସ କନେକ୍ସନ ଆଣିବା ସମୟରେ ୧୪.୨ କିଲୋଗ୍ରାମର ପ୍ରତି ସିଲିଣ୍ଡର ପିଛା ୭୫୦ ଟଙ୍କା ବୃଦ୍ଧି କରାଯାଇଛି । ଅର୍ଥାତ୍ ଯଦି ଆପଣ ୨ଟି ଗ୍ୟାସ୍ ସିଲିଣ୍ଡର ଆଣୁଛନ୍ତି ଆପଣଙ୍କୁ ୨୨୦୦ ଟଙ୍କା ସ୍ଥାନରେ ୪୪୦୦ ଟଙ୍କା ଦେବାକୁ ପଡିବ । ପେଟ୍ରୋଲିୟମ କମ୍ପାନୀର ଏହି ନୂଆ ନିୟମ ଆଗାମୀ ୧୬ ଜୁନ୍ରୁ ଲାଗୁ ହେବ । ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ୨ଟି ଗ୍ୟାସ୍ ସିଲିଣ୍ଡର କିଣିଲେ ୨୯୦୦ ଟଙ୍କା ଦେବାକୁ ପଡୁଥିଲା ।

ରେଗୁଲେଟର ପାଇଁ ୨୫୦ ଟଙ୍କା:-
ସେହିଭଳି ରେଗୁଲେଟର ପାଇଁ ୧୫୦ ଟଙ୍କା ବଦଳରେ ୨୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଇଣ୍ଡିଆନ୍ ଅଏଲ, ଭାରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ପକ୍ଷରୁ କରାଯାଇଥିବା ନୂତନ ନିୟମ ଅନୁସାରେ ଏଥର ୫ କିଲୋ ସିଲିଣ୍ଡର ସିକ୍ୟୁରିଟି ପାଇଁ ୮୦୦ ବଦଳରେ ୧୧୫୦ ଟଙ୍କା ଦେବାକୁ ହେବ ।

ଉଜ୍ଜ୍ୱଳା ଯୋଜନାରେ ମହଙ୍ଗା ମାଡ:-
କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ମଧ୍ୟ ଦେଖିବାକୁ ମିଳିବ ମହଙ୍ଗା ମାଡ । ଯଦି ଉଜ୍ଜ୍ୱଳା ଯୋଜନାରେ ଗ୍ରାହକ ଗୋଟିଏ ବଦଳରେ ଆଉ ଏକ ସିଲିଣ୍ଡର ନେବାକୁ ଚାହାଁନ୍ତି, ତେବେ ସେଥିପାଇଁ ସିକ୍ୟୁରିଟି ଦେବାକୁ ବାଧ୍ୟ ।

ଜାଣନ୍ତୁ ନୂଆ ନିୟମର ଦର:-

ନନ୍ ସବସିଡ୍ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ-୧୦୬୫ ଟଙ୍କା
ସିଲିଣ୍ଡର ପାଇଁ ସିକ୍ୟୁରିଟି ରାଶି-୨୨୦୦ ଟଙ୍କା
ରେଗୁଲେଟର ପାଇଁ-୨୫୦ ଟଙ୍କା
ପାସବୁକ୍ ପାଇଁ-୨୫ ଟଙ୍କା
ପାଇପ୍ ପାଇଁ-୧୫୦ଟଙ୍କା

୩୬୯୦ ଟଙ୍କାରେ ମିଳିବ ନୂଆ କନେକ୍ସନ:-
ଯଦି ଆପଣ କେବଳ ଗୋଟିଏ ସିଲିଣ୍ଡୀ ନେବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ୩୬୯୦ ଟଙ୍କା ଦେବାକୁ ହେବ । ମାତ୍ର ଏଥିରେ ଚୁହ୍ଲା ମିଳିବ ନାହିଁ । ଚୁହ୍ଲା ନେବାକୁ ହେଲେ ଅଲଗା ଟଙ୍କା ଦେବାକୁ ପଡିବ । ତେବେ ଗ୍ୟାସ୍ ସିଲିଣ୍ଡର ପରେ ଏବେ କନେକ୍ସନ ରାଶି ବୃଦ୍ଧି ହେବା ପରେ ଖାଉଟିଙ୍କୁ ଆଉ ଏକ ଝଟକା ଲାଗିଛି ।