୬୦୨୫ LTR ଶିକ୍ଷକ ନିଯୁକ୍ତି: ଆବେଦନ ତାରିଖ ଘୁଞ୍ଚିଲା, ଅକ୍ଟୋବର ୩୦ରୁ ହେବ ନାହିଁ ଆବେଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଏସଆଣ୍ଡଏମଇ ବିଭାଗ ଅଧିନରେ ନିଯୁକ୍ତି ପାଇଥିବାକୁ ଥିବା ୬୦୨୫ଟି ଲିଭ ଟ୍ରେନିଂ ରିଜର୍ଭ (ଏଲଟିଆର) ଶିକ୍ଷକ ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଗତ ୨୨ ତାରିଖରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଅକ୍ଟୋବର ୩୦ରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇ ନଭେମ୍ବର ୨୯ରେ ସମାପ୍ତ ହେବାର ଥିଲା । ସେହିପରି ଅକ୍ଟୋବର ୩୦ରୁ ଅନଲାଇନ୍ ଆପ୍ଲିକେସନ ଫର୍ମ ସବମିସନ ଓ ଫର୍ମ ସଂଶୋଧନ ଆରମ୍ଭ ହୋଇ ଯଥାକ୍ରମେ ଡିସେମ୍ବର ୨ ଓ ୪ ତାରିଖରେ ସମାପ୍ତ ହେବା ନେଇ ସ୍ଥିର ହୋଇଥିଲା ।

ତେବେ ଏହା ମଧ୍ୟରେ ଏଲଟିଆର ଶିକ୍ଷକ ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଅକ୍ଟୋବର ୩୦ରୁ ଏନେଇ ଆବେଦନ ଆରମ୍ଭ ହେବାକୁ ଥିବା ବେଳେ ତାହାକୁ ଘୁଞ୍ଚାଇ ଦିଆଯାଇଛି । ଏନେଇ ଓଏସଏସସି ତରଫରୁ ଏକ ସୂଚନା ଜାରି କରାଯାଇଛି । ଟିଜିଟି କଳାରେ ପଦ ସଂଖ୍ୟାରେ କିଛି ପରିବର୍ତ୍ତନ କରିବାକୁ ଗଣଶିକ୍ଷା ବିଭାଗ ବିଚାର କରୁଥିବା ଜଣାପଡ଼ିଛି । ବର୍ତ୍ତମାନ ପାଇଁ ଆବେଦନ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଥିବା ଖୁବଶୀଘ୍ର ଓଏସଏସସି ଏନେଇ ବିଜ୍ଞପ୍ତି ଜାରି କରିବ । ତେଣୁ ନିୟମିତ ଭାବେ ଅଫିସିଆଲ ୱେବସାଇଟ୍ ଚେକ୍ କରିବାକୁ ପ୍ରାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଗ୍ରୁପ-ବି ଓ ଗ୍ରୁପ-ସି ପଦ/ସେବାରେ ପ୍ରାର୍ଥୀଙ୍କୁ ଟିଜିଟି କଳା, ଟିଜିସି ବିଜ୍ଞାନ ପିସିଏମ, ଟିଜିଟି ବିଜ୍ଞାନ ସିବିଜେଡ, ହିନ୍ଦି ଶିକ୍ଷକ, ସଂସ୍କୃତ ଶିକ୍ଷକ, ତେଲୁଗୁ ଶିକ୍ଷକ, ଊର୍ଦୁ ଶିକ୍ଷକ ଓ ପିଇଟି ପଦରେ ନିଯୁକ୍ତି ଦିଆଯିବ । ଅଣସଂରଣିତ, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ଶ୍ରେଣୀ (ଏସଇବିସି), ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ବର୍ଗର ପ୍ରାର୍ଥୀଙ୍କ ପାଇଁ ଏଥିରେ ପଦ ସଂରକ୍ଷିତ ରହିଛି । ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଛି । ପ୍ରିଲିମିନାରୀ ପରୀକ୍ଷା, ମୁଖ୍ୟ ଲିଖିତ ପରୀକ୍ଷା ଓ ସାର୍ଟିଫିକେଟ ଯାଞ୍ଚ ଆଦି ପ୍ରକ୍ରିୟା ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ ।