ଏହି କଲେଜର ଅଧ୍ୟକ୍ଷ ହେଉଛନ୍ତି ପ୍ରଭୁ ହନୁମାନ, କଲେଜ ସଂପର୍କିତ ସବୁ ମାମଲାରେ ସେ ନିଅନ୍ତି ନିଷ୍ପତ୍ତି

ଲକ୍ଷ୍ନୌ: କଥାଟି ଆପଣଙ୍କୁ ନିଶ୍ଚୟ ଖଟକା ଲାଗିବ । ବଜରଙ୍ଗ ବାଲି ହନୁମାନଙ୍କ ଶ୍ରୀରାମ ଭକ୍ତି ବିଷୟରେ ସମସ୍ତେ ଭଲ ଭାବରେ ଅବଗତ । ଯେପରି ସେ ଶ୍ରେଷ୍ଠ ରାମ ଭକ୍ତ ଥିଲେ ସେହିପରି ତାଙ୍କର ବି ବହୁ ସଂଖ୍ୟାରେ ଭକ୍ତ ରହିଛନ୍ତି । ଲକ୍ଷ୍ନୌରେ ଜଣେ କଲେଜ ପରିଚାଳକ ବଜରଙ୍ଗବାଲୀଙ୍କୁ ନିଜ କଲେଜର ଅଧ୍ୟକ୍ଷ କରିଛନ୍ତି । କଲେଜର ସବୁ କାମ ବଜରଙ୍ଗ ବାଲିଙ୍କ ଅନୁମୋଦନରେ ହିଁ ହୋଇଥାଏ ।

ଲକ୍ଷ୍ନୌର ସର୍ଦ୍ଦାର ଭଗତ ସିଂହ କଲେଜରେ ସମସ୍ତ କାମ ବଜରଙ୍ଗ ବାଲିଙ୍କ ଅନୁମତି ମିଳିବା ପରେ ହିଁ ହୋଇଥାଏ । ସେ ଏହି କଲେଜର ଅଧ୍ୟକ୍ଷ ଅଛନ୍ତି । ଏହି କଲେଜରେ ହନୁମାନଜୀଙ୍କ କ୍ୟାବିନ ମଧ୍ୟ ରହିଛି । ଲୋକମାନେ ତାଙ୍କର ଆଜ୍ଞା ନେଇ କ୍ୟାବିନ ମଧ୍ୟକୁ ଯାଇଥାନ୍ତି । କେବଳ ଏଥିକି ନୁହେଁ ଏଠାରେ ବଜରଙ୍ଗ ବାଲିଙ୍କ ଲାଗି ଏକ ନାନୋ କାର୍ ମଧ୍ୟ ରହିଛି ଯାହା ତାଙ୍କୁ ପ୍ରତି ମଙ୍ଗଳବାର ରାମ ମନ୍ଦିର ଦର୍ଶନ କରାଇବା ଲାଗି ନେଇ ଯାଇଥାଏ । ଏହି କାର୍‌ରେ ଡ୍ରାଇଭର ଓ ବଜରଙ୍ଗ ବାଲିଙ୍କ ବ୍ୟତିତ ଆଉ କେହି ବସି ନ ଥାନ୍ତି । ଏହି କଲେଜରେ ଥିବା କନଫରେନ୍ସ ରୁମ୍‌ରେ ଚେୟାରମ୍ୟାନ ଗଦି ଉପରେ ହନୁମାନ ଜୀ ବିରାଜମାନ । ତାଙ୍କର ନେମ୍ ପ୍ଲେଟ୍ ବି ସବୁ ଯାଗାରେ ଲାଗିଛି । ଏହି କଲେଜ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ମୋହନ ରୋଡ୍‌ରେ ଅବସ୍ଥିତ । କଲେଜରେ ବିଭିନ୍ନ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ।

ପ୍ରତିଦିନ ସକାଳ ୮ଟା ସମୟରେ କଲେଜକୁ ହନୁମାନଜୀ ଆସିଥାନ୍ତି । ଏହା ପୂର୍ବରୁ ତାଙ୍କ କ୍ୟାବିନକୁ ସଫା ସୁତୁରା କରି ଦିଆଯାଏ । ତାଙ୍କ କ୍ୟାବିନରେ ଧାର୍ମିକ ପୁସ୍ତକ ରଖାଯାଇଛି । ଏହି କ୍ୟାବିନରେ ରାମ ଦରବାର ବି ରହିଛି । ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ସମସ୍ତେ କନଫରେନ୍ସ ହଲ୍‌ରେ ହନୁମାନଜୀଙ୍କ ସହ ମିଟିଂ କରିଥାନ୍ତି । ଦ୍ୱିପ୍ରହର ଲଞ୍ଚ ବ୍ରେକ୍ ସମୟରେ ତାଙ୍କ ପସନ୍ଦର ବେସନ ଲଡୁ କ୍ୟାବିନକୁ ପଠାଇ ଦିଆଯାଏ ।

ଏହି କଲେଜର ପ୍ରତିଷ୍ଠାତା ତଥା ପୂର୍ବତନ ସଭାପତି ବିବେକ ତାଙ୍ଗଡି ଓ ସଚିବ ପଙ୍କଜ ସିଂହ ଭଦୌରିଆ କହିଛନ୍ତି ୨୦୦୭ରେ ସେମାନେ ଏହି କଲେଜ ପ୍ରତିଷ୍ଠା କରିଥିଲେ । ଏହି ସମୟରେ ଦୁଇ ବନ୍ଧୁଙ୍କ ମଧ୍ୟରୁ କେହି କଲେଜର ଅଧ୍ୟକ୍ଷ ହେବାକୁ ଚାହିଁ ନ ଥିଲେ । ତେବେ ଦୁଇ ବନ୍ଧୁ ରାମଭକ୍ତ ହନୁମାନଙ୍କ ପରମ ଭକ୍ତ ଥିବାରୁ କଲେଜର ଅଧ୍ୟକ୍ଷ ପ୍ରଭୁ ବଜରଙ୍ଗ ବାଲି ରହିବେ ବୋଲି ସ୍ଥିର କରିଥିଲେ ।