fbpx

ଓଡିଶାର ଏହି ଜାଗାରେ ରହିଛି ମା’ ଗଙ୍ଗାଙ୍କ ମନ୍ଦିର: ମତ୍ସ୍ୟଜୀବୀଙ୍କର ନେଇଥାନ୍ତି ସବୁ ଦାୟିତ୍ୱ

ମାଛ ଧରାଳୀ ମାନଙ୍କ ଆରାଧ୍ୟ ହେଉଛନ୍ତି ମା’ ଗଙ୍ଗା । ମାଆ ଗଙ୍ଗାଙ୍କର ଅନନ୍ୟ କୃପା ସବୁବେଳେ ତାଙ୍କ ସନ୍ତାନଙ୍କ ଉପରେ ବର୍ଷିଥାଏ । ଓଡିଶାରେ ମାଆ ଗଙ୍ଗାଙ୍କର ଏକ ଅନନ୍ୟ ମନ୍ଦିର ରହିଛି । ହୁଏତ ଅନେକେ ଜାଣିଥିବେ ଆମ ରାଜ୍ୟରେ ବି ପୂଜା ପାଉଛନ୍ତି ମା ଗଙ୍ଗା । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଦେବୀ ନଦୀ ନିକଟରେ ରହିଛି ମା ଗଙ୍ଗାଦେବୀଙ୍କ ମନ୍ଦିର । ମା ଏଠାରେ ଭକ୍ତଙ୍କ ନିମନ୍ତେ ବିରାଜମାନ ହୋଇ ଅନେକ ଦିନରୁ ପୂଜା ପାଇ ଆସୁଛନ୍ତି ।

ଘଞ୍ଚ ଝାଉଁ ବଣ ଭିତରେ କୁଳୁକୁଳୁ ନାଦରେ ବହିଯାଉଛି ଦେବୀ ନଦୀ । ଯାହାର ଦୃଶ୍ୟ ଏବଂ ପରିବେଶ ବେଶ୍ ମନୋରମ ମଧ୍ୟ । ଏଠାରେ ଏକ ବାଲିବନ୍ତ ଉପରେ କାହିଁ କେଉଁ ଆବାହମାନ କାଳରୁ ପୂଜା ପାଇଁ ଆସୁଛନ୍ତି ମା ଗଙ୍ଗା ଦେବୀ । ଏଠାକାର ମତ୍ସଜୀବୀ ମାନଙ୍କ ପାଇଁ ମା ଗଙ୍ଗା ଦେବୀ ହିଁ ହେଉଛନ୍ତି କୂଳଦେବୀ । ଯେତେ ବିପଦ ଆପଦ ଅବା ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ବି ମା ସମସ୍ତଙ୍କୁ ଘଣ୍ଟ ଘୋଡାଇ ରଖିଥାନ୍ତି ବୋଲି ବିଶ୍ୱାସ ରହିଛି ।

ଡଙ୍ଗା ନେଇ ପାଣି ଭିତରକୁ ଯିବା ବେଳେ ମା’ଙ୍କୁ ସ୍ମରଣ କରିଥାନ୍ତି ମତ୍ସ୍ୟଜୀବୀ । ବିଶାଳ ସମୁଦ୍ର ଗର୍ଭରେ ମା’ର ଦୟା ହେଲେ ଜାଲରେ ଭରିଯାନ୍ତି ମାଛ । ସେଥିପାଇଁ ସମୁଦ୍ରକୁ ଗଲା ସମୟରେ ମାଙ୍କୁ ପାଣି ଟେକି ସମୁଦ୍ରକୁ ଯାତ୍ରା କରିଥାନ୍ତି । ମା ଗଙ୍ଗା ଦେବୀଙ୍କୁ ଏଠାରେ ଚଣ୍ଡୀଙ୍କ ରୂପରେ ପୂଜାର୍ଚନା କରାଯାଏ । ମା’ଙ୍କ ନିକଟରେ ଆମିଷ ଭୋଗ ଲାଗି ହୁଏ । ଯେତେବେଳେ ଯେଉଁ ମସ୍ଚ୍ୟଜୀବୀ ଡ଼ଙ୍ଗା ନେଇ ସମୁଦ୍ର କୁ ବାହାରିଥାନ୍ତି ସେ ମା ଗଙ୍ଗା ଦେବୀଙ୍କ ପୀଠ ନିକଟ ଦେଇ ସମୁଦ୍ର ମଧ୍ୟକୁ ଯାଇଥାଏ । ସମୁଦ୍ରକୁ ଯିବା ସମୟରେ ମା ଗଙ୍ଗା ଦେବୀଙ୍କୁ ସ୍ମରଣ କରି ଡ଼ଙ୍ଗା ଥାଇ ମା ଙ୍କ ଉଦେଶ୍ୟ ରେ ୩ ଆଞ୍ଜୁଳା ପାଣି ଟେକି ମୁଣ୍ଡିଆ ମାରିଥାନ୍ତ । ମା’ଗଙ୍ଗା ଦେବୀଙ୍କୁ ମନରେ ସ୍ମରଣ କରି ଡ଼ଙ୍ଗା ଫିଟାଇଲେ କୌଣସି ବାଧା ବିଘ୍ନ ଆସିନଥାଏ ବୋଲି ମତ୍ସଜୀବୀ ମାନେ କୁହନ୍ତି ।

ମା ଗଙ୍ଗା ଦେବୀଙ୍କୁ ବିଶ୍ୱାସ କରୁଥିବା ମସ୍ଚ୍ୟଜୀବୀମାନେ ଉପକୂଳ ଅଞ୍ଚଳରେ ବସବାସ କରିଥାନ୍ତି । ଅନେକ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ତାଣ୍ଡବ ଉପକୂଳ ଅଞ୍ଚଳବାସୀଙ୍କୁ ସାମ୍ନା କରିବାକୁ ପଡିଥାଏ । ବିଭିନ୍ନ ବାତ୍ୟା ବନ୍ୟା ସମୟରେ ଅନ୍ୟ ସ୍ଥାନରେ କ୍ଷୟକ୍ଷତି ଘଟୁଥିଲେ ମଧ୍ୟ ଗଙ୍ଗା ଦେବୀଙ୍କ କୃପାରୁ ଏଠାକାର ମସ୍ଚ୍ୟଜୀବୀଙ୍କର ବିଶେଷ କିଛି କ୍ଷତି ହୋଇନଥାଏ ବୋଲି ସେମାନେ କୁହନ୍ତି ।

Get real time updates directly on you device, subscribe now.