ଏହା ‘ମୃତ୍ୟୁ କୁମ୍ଭ’, ମହାକୁମ୍ଭକୁ ନେଇ ମମତାଙ୍କ ବିବାଦୀୟ ବୟାନ, ବିଜେପି କହିଲା- ଏହା ହିନ୍ଦୁସ୍ତାନର..

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିବାଦୀୟ ବୟାନ କାରି କରିଛନ୍ତି। ସେ କୋଲକାତା ବିଧାନସଭାରେ କହିଛନ୍ତି ଯେ, ମହାକୁମ୍ଭ ବର୍ତ୍ତମାନ ‘ମୃତ୍ୟୁ କୁମ୍ଭ’ରେ ପରିଣତ ହୋଇଗଲାଣି।

କୋଲକାତା: ପ୍ରୟାଗରାଜ ପରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଘଟିଥିବା ଦଳାଚକଟା ଘଟଣା ସମ୍ପର୍କରେ ଉଲ୍ଲେଖ କରି ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଦିନ କେନ୍ଦ୍ର ଓ ଉତ୍ତର ପ୍ରଦେଶର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ରାଜ୍ୟ ବିଧାନସଭାରେ କହିଛନ୍ତି ଯେ, ମହାକୁମ୍ଭ ‘ମୃତ୍ୟୁ କୁମ୍ଭ’ରେ ପରିଣତ ହୋଇଛି।

ମମତା କହିଛନ୍ତି ଯେ, ମୁଁ ମହାକୁମ୍ଭକୁ ସମ୍ମାନ କରେ କିନ୍ତୁ ସେଠାରେ ଘଟିଥିବା ଘଟଣା ଯନ୍ତ୍ରଣାଦାୟକ ଅଟେ। ପୂର୍ବତନ ରେଳମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ମହାକୁମ୍ଭକୁ ଅଦରକାରୀ ବୋଲି କହିବା ପରେ ମମତାଙ୍କ ଏହି ବିବୃତ୍ତି ସାମ୍ନାକୁ ଆସିଛି।

ମମତା ଦାବି କରିଛନ୍ତି ଯେ, ପ୍ରୟାଗରାଜରେ 30 ଜଣ ନୁହେଁ ବରଂ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଅନେକ ମୃତଦେହ ଗଙ୍ଗା ଭିତରକୁ ଫିଙ୍ଗି ଦିଆଯାଇଥିଲା। କେବଳ ମହାକୁମ୍ଭ ନାମରେ ପ୍ରଚାର ପ୍ରସାର କରାଯାଇଛି।

ମହାକୁମ୍ଭ ବିଶୃଙ୍ଖଳା ପାଇଁ ଏକ ଅନ୍ୟ ନାମ। ମହାକୁମ୍ଭ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନଥିଲା। ସେ କହିଛନ୍ତି ଯେ, ମହାକୁମ୍ଭରେ ମୃତ୍ୟୁବରଣ କରିଥିବା ସମ୍ପର୍କୀୟଙ୍କୁ ମୃତ୍ୟୁ ପ୍ରମାଣପତ୍ର ମଧ୍ୟ ଦିଆଯାଇ ନାହିଁ।

ମମତା ଆହୁରି କହିଛନ୍ତି ଯେ, ମୁଁ ଗର୍ବର ସହ କହୁଛି ଯେ, ମୁଁ ଜଣେ ହିନ୍ଦୁ। ଧର୍ମ ନାମରେ ଏହାକୁ ଭାଗ କରି ବିଜେପି ଦେଶକୁ ବିଭାଜନ କରୁଛି। ଯେଉଁମାନେ ଧର୍ମ ବିଭାଜନ କରୁଛନ୍ତି ସେମାନଙ୍କ ଉପରେ ଜନସାଧାରଣ ନଜର ରଖିଛନ୍ତି। ମୁଁ ସମସ୍ତ ଧର୍ମକୁ ସମ୍ମାନ କରେ, ସେଥିପାଇଁ ବଙ୍ଗଳାରେ ଶାନ୍ତି ଅଛି, ମୁଁ ସମସ୍ତଙ୍କୁ ସମ୍ମାନ କରେ।

ବିଧାନସଭାରେ ବିରୋଧୀଦଳର ନେତା ତଥା ବିଜେପି ବିଧାୟକ ସୁଭେନ୍ଦୁ ଅଧିକାରୀ ମମତାଙ୍କୁ ବିରୋଧ କରି କହିଛନ୍ତି ଯେ, ମହାକୁମ୍ଭର ଅପମାନ ଭାରତ ବରଦାସ୍ତ କରିବ ନାହିଁ।

ବିଧାନସଭା ବାହାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସୁଭେନ୍ଦୁ କହିଛନ୍ତି ଯେ, ବଙ୍ଗଳାର ମୁଖ୍ୟମନ୍ତ୍ରୀ ଗୃହରେ କହିଛନ୍ତି ଯେ, ଏହା ମହାକୁମ୍ଭ ନୁହେଁ ବରଂ ମୃତ୍ୟୁ କୁମ୍ଭ। ଯଦି ଆପଣ ଜଣେ ପ୍ରକୃତ ହିନ୍ଦୁ ତେବେ ମମତା ବାନାର୍ଜୀଙ୍କ ଏହି ଅପମାନଜନକ ଶବ୍ଦକୁ ଦୃଢ ବିରୋଧ କର। ଦେଶ ଏବଂ ହିନ୍ଦୁ ସମାଜ ମମତାଙ୍କୁ ଏକ ଶିକ୍ଷା ଦେବା ଉଚିତ୍।